Latest Odisha News

BREAKING NEWS

ନିବେଶ ନୁହେଁ, ବିଦେଶ ଗସ୍ତ ପାଇଁ ଖର୍ଚ୍ଚ ହେଉଛି ଟିକସ ଟଙ୍କା

ଭୁବନେଶ୍ୱର:ଓଡ଼ିଶାବାସୀଙ୍କୁ ମିଛ ଗପ ଶୁଣାଉଛନ୍ତି ରାଜ୍ୟ ସରକାର । ମିଥ୍ୟା ପୁଞ୍ଜି ନିବେଶର ଗପ ଶୁଣାଉଛନ୍ତି ।   ଟଙ୍କାଟିଏ ବି ବିଦେଶୀ ପୁଞ୍ଜି ଓଡ଼ିଶାକୁ ଆସିନାହିଁ । ବରଂ ବାବୁଙ୍କ ବିଦେଶ ଗସ୍ତ ପାଇଁ ପୁଞ୍ଜି ଖର୍ଚ୍ଚ ହେଉଛି । ଏମିତି କହି ରଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ଡ.ଯତୀନ୍ ମହାନ୍ତି  ।

ସେ କହିଛନ୍ତି,  ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି, କେତେ ପୁଞ୍ଜି ନିବେଶ ହୋଇଛି ଏବଂ କେଉଁ କେଉଁ ପୁଞ୍ଜିନିବେଶକାରୀଙ୍କୁ ଭେଟିଛନ୍ତି ତାହାର ବିବରଣୀ ସହ ଶ୍ୱେତପତ୍ର ଜାରି କରନ୍ତୁ ରାଜ୍ୟ ସରକାର । ଶାସକ ବିଜେଡିର ମନ୍ତ୍ରୀ, ସାଂସଦମାନେ ପୁଞ୍ଜିନିବେଶ ଆଳରେ ବାରମ୍ବାର ବିଦେଶ ଗସ୍ତ କରୁଛନ୍ତି । ଓଡ଼ିଶାର ଗରୀବଙ୍କ ଟିକସ ଖର୍ଚ୍ଚରେ ଶାସକ ବିଜେଡିର ନେତାମାନେ ଇଟାଲୀ, ଜାପାନ, ଇଜ୍ରାଇଲି, ୟୁକେ ଏବେ ୟୁଏସକୁ ଯାଉଛନ୍ତି । ହେଲେ ବିଦେଶ ଗସ୍ତ ଖର୍ଚ୍ଚ ତୁଳନାରେ ରାଜ୍ୟକୁ ବିଦେଶୀ ପୁଞ୍ଜି ଆସୁନି ।

ବିଜେପି ରାଜ୍ୟ ମୁଖପାତ୍ର କହିଛନ୍ତି,  ଗତକାଲି ଆଇଟି ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଆଇଟି ଟମ୍‌ରେ ଜଣେ କ୍ରୀଡାସଚିବ, ୫-ଟି ସଚିବ ପୁଞ୍ଜି ଆଣିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ) ଯାଇଛନ୍ତି । ଗତ ଦୁଇରୁ ତିନି ବର୍ଷ ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଟିମ୍ କୃଷି ଓ ଶିଳ୍ପରେ ପୁଞ୍ଜିନିବେଶ ପାଇଁ ବାରମ୍ବାର ବିଦେଶଗସ୍ତ କରିଚାଲିଛନ୍ତି । ଏହି ଟିମ୍‌ମାନେ ଓଡ଼ିଶାର ଗରୀବଙ୍କ ଟିକସ ଟଙ୍କାରେ ବିଳାସପୂର୍ଣ୍ଣ ହୋଟେଲରେ ରହି ପୁଞ୍ଜିନିବେଶର ଆଲୋଚନା କରୁଛନ୍ତି ।  ସେଥିରୁ ଓଡ଼ିଶା କେତେ ଲାଭାନ୍ୱିତ ହୋଇଛି ତାହାର ଉତର ରାଜ୍ୟ ସରକାର ଦିଅନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଡ.ଯତୀନ୍ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି,  ‘ବିଦେଶ ଗସ୍ତରୁ ଫେରିବା ପରେ ଏହି ଟିମ୍  ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାବାସୀଙ୍କ ମିଥ୍ୟା ପୁଞ୍ଜିନିବେଶର ଗପ ଶୁଣାଉଛନ୍ତି। ବାସ୍ତବରେ ଟଙ୍କାଟିଏ ବି ବିଦେଶ ପୁଞ୍ଜି ଓଡ଼ିଶାକୁ ଆସିନାହିଁ । ଅନ୍ୟପକ୍ଷରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଫିସରମାନଙ୍କୁ ବିଦେଶ ବୁଲାଇନେବା ସହ ବିଳାସପୂର୍ଣ୍ଣ ହୋଟେଲରେ ମଜା ମଜ୍‌ଲିସ କରି ଫେରୁଛନ୍ତି ।’

ଅଫିସରମାନଙ୍କୁ ଖୁସି କରାଇବା ପାଇଁ ବାରମ୍ବାର ରାଜ୍ୟ ସରକାର ବିଦେଶଗସ୍ତର ଆୟୋଜନ କରୁଛନ୍ତି । ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି, କେତେ ପୁଞ୍ଜି ନିବେଶ ହୋଇଛି ଏବଂ କେଉଁ କେଉଁ ପୁଞ୍ଜି ନିବେଶକାରୀଙ୍କୁ ଭେଟିଛନ୍ତି ତାହାର ବିବରଣୀ ସହ ଶ୍ୱେତପତ୍ର ରାଜ୍ୟ ସରକାର ଜାରି କରନ୍ତୁ ବୋଲି ସେ ଦାବି କରିଛନ୍ତି  । ରାଜ୍ୟ ରାଜକୋଷର ଟଙ୍କାରେ  ଅୟସ ଆରାମ କରିବାର କୌଣସି ଅଧିକାର ରାଜ୍ୟ ସରକାରଙ୍କର ନାହିଁ  । ଏଥିରୁ ସେ କ୍ଷାନ୍ତ ରୁହନ୍ତୁ ବୋଲି ଡ. ମହାନ୍ତି କହିଛନ୍ତି ।

Comments are closed.