ଭୁବନେଶ୍ୱର: 5-ଟି ସଚିବଙ୍କ ଓଡ଼ିଶା ଭ୍ରମଣକୁ ନେଇ ସାରା ଓଡିଶାରେ ଅନେକ ହଇଚଇ ସୃଷ୍ଟି ହେବା ପରେ ଏବେ ରାଜ୍ୟର କ୍ଷମତାଶାଳୀ ଟିମ୍ ଆମେରିକା ଗସ୍ତ କରିଛନ୍ତି। ଯେଉଁଥିରେ 5-ଟି ସଚିବ ଭି. କେ. ପାଣ୍ଡିଆନ୍, ଆଇଟି ସଚିବ ମନୋଜ ମିଶ୍ର, ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଜେଡି ସାଂସଦ ସୁଜିତ କୁମାର ରହିଛନ୍ତି। ନେତା ଓ ବାବୁଙ୍କ ଏହି 10 ଦିନିଆ ଆମେରିକା ଗସ୍ତକୁ ନେଇ ସରଗରମ ହୋଇଛି ରାଜନୀତି।
ଇଲେକ୍ଟ୍ରୋନିକ୍ସ ଓ ଆଇଟି କ୍ଷେତ୍ରରେ ଓଡ଼ିଶାକୁ ଅଧିକ ପୁଞ୍ଜିନିବେଶ ମିଳିବ ବୋଲି କୁହାୟାଉଛି ଏହି ଗସ୍ତ ସମୟରେ। ଏହି ଟିମ୍ ସିଲିକନ୍ ଭ୍ୟାଲିରେ ବିଭିନ୍ନ କମ୍ପାନୀ ସହ ଆଲୋଚନା କରିବାର ସମ୍ଭାବନା ରହିଛି। ଓଡ଼ିଶାରେ ଏକ ସମର୍ପିତ ଫାଇବର ନେଟ୍ ଗ୍ରୀଡ୍ ଏବଂ ଏହାକୁ ବିଛାଇବା ପାଇଁ ଯୋଜନା ରହିଥିବାରୁ ସଫ୍ଟଓ୍ୱୟର ଏବଂ ଇଣ୍ଟରନେଟ୍ କମ୍ପାନୀଗୁଡ଼ିକୁ ଏହି ଟିମ୍ ଓଡ଼ିଶାରେ ପୁଞ୍ଜିନିବେଶର ସୁଯୋଗ ସମ୍ପର୍କରେ ଅବଗତ କରାଇବ ବୋଲି କୁହାଯାଉଛି।
ଏହି ଟିମ୍ ଜୁଲାଇ 28ରେ ସେଠାରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ଭେଟିବାର ଯୋଜନା ରହିଛି। ସେପଟେ ବିଦେଶ ଗସ୍ତକୁ ନେଇ ଓଡ଼ିଶା ସରକାରଙ୍କୁ ଘେରିଛନ୍ତି ବିରୋଧୀ।
ବିଜେପି ଅଭିଯୋଗ କରିଛି ଯେ ନିବେଶ ଆଣିବା ପାଇଁ ସରକାର ଅତୀତରେ ମଧ୍ୟ ଅନେକ ଦେଶ ଗସ୍ତ କରିଥିଲେ। ତେବେ କେତେ ପରିମାଣର ପୁଞ୍ଜିନିବେଶ ହୋଇଛି ସେନେଇ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ। କେବଳ ଅଫିସରମାନଙ୍କୁ ଖୁସି କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏଭଳି ବିଦେଶ ଗସ୍ତ କରିଛନ୍ତି ବୋଲି ଦଳ ପକ୍ଷରୁ ଆହୁରି ଅଭିଯୋଗ କରାଯାଇଛି।
ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଯତୀନ ମହାନ୍ତି କହିଛନ୍ତି, ପ୍ରତିଥର ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଫିସରମାନଙ୍କୁ ବିଦେଶ ଗସ୍ତରେ ପଠାଉଛନ୍ତି। ସେମାନେ କେବଳ ଆନନ୍ଦ ଭ୍ରମଣ ବ୍ୟତୀତ ଆଉ କିଛି ନୁହଁନ୍ତି। କେତେ ପୁଞ୍ଜି ବିନିଯୋଗ ହୋଇଛି, ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ।
କଂଗ୍କେସ ମଧ୍ୟ ଓଡ଼ିଶାକୁ ଏଯାଏ ମିଳିଥିବା ପୁଞ୍ଜିନିବେଶକୁ ନେଇ ପ୍ରଶ୍ନ ଉଠାଇଛି। ଓଡ଼ିଶା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, ଇଟାଲୀ ଓ ଦୁବାଇ ଟୁରରେ କେତେ ପୁଞ୍ଜିନିବେଶ ହୋଇଛି ତାହା ସମସ୍ତେ ଦେଖିଲେ। ଆମେରିକାରୁ କ’ଣ ନିବେଶ ଆସିବ? ଯଦି ରାଜ୍ୟ ସରକାରଙ୍କ ଚିନ୍ତାଧାରା ନିବେଶ ଆଣିବା ଥାଆନ୍ତା, ତା’ହେଲେ ବହୁ ସଂଖ୍ୟାରେ ଲୋକ ସୁରଟକୁ ଯାଇ ନଥାଆନ୍ତେ।
ସୂଚନାଯୋଗ୍ୟ, ଏହି ଟିମ୍ ଆମେରିକା ଗସ୍ତ କରିବାର ଗୋଟିଏ ଦିନ ପୂର୍ବରୁ ଓଡ଼ିଶା କ୍ୟାବିନେଟ୍ ସେମି କଣ୍ଡକ୍ଟର ମାନୁଫାକ୍ଚରିଂ ପଲିସିକୁ ମଞ୍ଜୁରୀ ଦେଇଥିଲେ। ସରକାରଙ୍କ ଅନୁସାରେ, ସେମିକଣ୍ଡକ୍ଟର ମାନୁଫାକ୍ଚରିଂ ଏବଂ ଫ୍ୟାବଲ୍ସ ପଲିସି ଏକ ଏଣ୍ଡ-ଟୁ-ଏଣ୍ଡ ସେମିକଣ୍ଡକ୍ଟର ଇକୋସିଷ୍ଟମ ବିକଶିତ କରିବ, ଓଡ଼ିଶାକୁ ସେମିକଣ୍ଡକ୍ଟର ମାନୁଫାକ୍ଚରିଂ ପାଇଁ ଏକ ଅଗ୍ରଣୀ କେନ୍ଦ୍ରରେ ପରିଣତ କରିବ ଏବଂ ସେମିକଣ୍ଡକ୍ଟର ଡିଜାଇନ ପ୍ରତିଭାର ଏକ ଭଣ୍ଡାର ସୃଷ୍ଟି କରିବ। ଇତିମଧ୍ୟରେ ସେମିକଣ୍ଡକ୍ଟର ମାନୁଫାକ୍ଚରିଂ କ୍ଷେତ୍ର ପାଇଁ ପ୍ରସ୍ତୁତ ହୋଇଥିବା ନୀତି ମାଧ୍ୟମରେ କିଭଳି ସଫଳତା ମିଳିବ ସେନେଇ ଏବେ ପ୍ରଶ୍ନ ଉଠିଛି।
ବିରୋଧୀଙ୍କ ଅଭିଯୋଗର ଜବାବ ରଖି ଶାସକ ବିଜେଡିର ଜଣେ ବରିଷ୍ଠ ବିଧାୟକ ଦେବୀ ମିଶ୍ର କହିଛନ୍ତି, ଏଭଳି ବୟାନ ଦୁର୍ଭାଗ୍ୟଜନକ। ନିବେଶ ପାଇଁ ରାଜ୍ୟଗୁଡ଼ିକ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଏବଂ ଅନ୍ୟ ରାଜ୍ୟଗୁଡ଼ିକ ନିବେଶ ଆଣିବା ପାଇଁ ଯାହା ଯୋଗାଇ ଦେଉଛନ୍ତି, ତା’ଠାରୁ ଭଲ ସୁଯୋଗ ପ୍ରଦାନ କରିବାର ଆବଶ୍ୟକତା ରହିଛି।
Comments are closed.