ବାରିପଦା: ଗିରଫ ହେବାର ଗୋଟିଏ ଦିନ ପରେ ବାରିପଦାରେ ଥିବା ଓଡ଼ିଶା ବନ ବିଭାଗର ହେପାଜତରୁ ଖସି ପଳାଇଛି କୁଖ୍ୟାତ ଶିକାରୀ ରୁପୟ ମାର୍ଣ୍ଡି। ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ରବିବାର ମାର୍ଣ୍ଡିକୁ ଅନ୍ୟ ଦୁଇ ବନ୍ୟପ୍ରାଣୀ ଚୋରା ଚାଲାଣକାରୀଙ୍କ ସହ ଗିରଫ କରାଯାଇଥିଲା।
ବାରିପଦା ବନ ବିଭାଗ ପକ୍ଷରୁ ବାହାଲଦା ଗାଁରେ ଚଢ଼ାଉ ବେଳେ ଏହି ତିନି ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ଚାରୋଟି ଚିତାବାଘ ଚମଡ଼ା ମଧ୍ୟ ଜବତ କରାଯାଇଛି। ଗିରଫ ପରେ ଅସୁସ୍ଥତା ଦର୍ଶାଇବାରୁ ଭୋର ସମୟରେ ମାର୍ଣ୍ଡିଙ୍କୁ ଚିକିତ୍ସା ପାଇଁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଉ ତାଙ୍କୁ କୋର୍ଟ ଚାଲାଣ କରିବାକୁ ଅପରପକ୍ଷରେ ପ୍ରସ୍ତୁତି ଚାଲିଥିଲା। କିନ୍ତୁ ସେ ହସ୍ପିଟାଲ୍ରୁ ଚକମା ଦେଇ ଖସି ପଳାଇଛି।
ବାରିପଦା ଡିଏଫ୍ଓ ସନ୍ତୋଷ କୁମାର ଯୋଶୀ କହିଛନ୍ତି, ମାର୍ଣ୍ଡିକୁ ଧରିବା ପାଇଁ 4ଟି ଟିମ୍ ଗଠନ କରାଯାଇଛି। ଏ ନେଇ ଏକ ଏଫ୍ଆଇଆର୍ ମଧ୍ୟ ରୁଜୁ ହୋଇଛି। ଯୋଶୀ ଆହୁରି ମଧ୍ୟ କହିଛନ୍ତି ଯେ ଖସି ଯିବା ପାଇଁ ଦାୟୀ ରେଞ୍ଜ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି। ତେବେ ଦିନଯାକ ଖୋଜାଖୋଜି କରିବା ପରେ ମଧ୍ୟ ରୂପୟଙ୍କୁ ଖୋଜିବାରେ ସଫଳ ହୋଇନି ବନ ବିଭାଗ। ଅନ୍ୟପଟେ ବାଘଛାଲ ଜବତ ଘଟଣାରେ ଆଉ ଜଣେ ଅଭିଯୁକ୍ତ ବିଶୋଇ ଥାନା ରୁଗୁଡ଼ି ଗାଁର ମେଘରାଇ ମୁର୍ମୁ (୬୫)କୁ ଗିରଫ କରାଯାଇଛି।
ମାର୍ଣ୍ଡି ଖସିଯିବା ଘଟଣା ଓଡ଼ିଶା ବନ ବିଭାଗର ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି। ବନ୍ୟଜନ୍ତୁ ଶିକାର ରୋକିବା ପାଇଁ ବିଭାଗୀୟ ଉଦ୍ୟମକୁ ମଧ୍ୟ ଏହା ଏକ ଝଟକା ବୋଲି କୁହାଯାଉଛି।
Comments are closed.