Latest Odisha News

BREAKING NEWS

ଦୁଷ୍କର୍ମ ମାମଲାରେ ଚାରି ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ଘଟିଥିବା ଗଣଦୁଷ୍କର୍ମ ଘଟଣାର ପ୍ରାୟ ୪ ବର୍ଷ ପରେ ପୋଲିସ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଦୁଷ୍କର୍ମ ମାମଲାରେ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ନିକିରାଇ ଥାନା ଅନ୍ତର୍ଗତ କଳସପୁର ଗ୍ରାମର ମୁଖ୍ୟ ଅଭିଯୁକ୍ତ ମହେଶ୍ୱର ସାହୁଙ୍କ ସହ ପୀଡ଼ିତାଙ୍କ ସ୍ୱାମୀଙ୍କ ଜମିଜମା ବିବାଦ ଲାଗି ରହିଥିଲା। ମହିଳାଙ୍କ ସ୍ୱାମୀଙ୍କୁ ଧମକ ଦେବା ପାଇଁ ମହେଶ୍ବର ସାହୁ ତାଙ୍କ ସ୍ତ୍ରୀ ଝରଣା ସାହୁଙ୍କ ସହ ମିଶି ଷଡଯନ୍ତ୍ର ରଚିଥିଲେ।

ସେମାନଙ୍କ ଯୋଜନା ମୁତାବକ ଶ୍ରୀ ସାହୁ ଓ ତାଙ୍କ ସହଯୋଗୀମାନେ ମହିଳାଙ୍କୁ ଅପହରଣ କରି ୨୦୧୯, ଜୁନ୍ ୨୮ରେ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ପୀଡ଼ିତାଙ୍କ ସ୍ୱାମୀ ନିକିରାଇ ଥାନାରେ ଅଭିଯୋଗ କରିଥିଲେ। ମହେଶ୍ୱର ସାହୁ ଓ ତାଙ୍କ ପତ୍ନୀଙ୍କ ସମେତ ୭ଜଣ ଏଥିରେ ସମ୍ପୃକ୍ତ ଥିବା ସେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ମହେଶ୍ୱର ସାହୁ ଓ ତାଙ୍କ ପତ୍ନୀ ଫେରାର ହୋଇଯାଇଥିଲେ। ପରେ କୋର୍ଟ ୪ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ସହ ଜଣଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।

ରବିବାର ମହେଶ୍ୱର ସାହୁ ତାଙ୍କ ମୃତ ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ନିଜ ଗାଁକୁ ଆସିଥିଲେ। ଖବର ପାଇ ନିକିରାଇ ଥାନା ପୁଲିସର ଏକ ଟିମ୍ ମହେଶ୍ୱର ସାହୁଙ୍କୁ ଗିରଫ କରି ଏସଡିଜେଏମ୍ କୋର୍ଟରେ ହାଜର କରିଥିଲା। କୋର୍ଟ ମହେଶ୍ୱର ସାହୁଙ୍କ ଜାମିନ ଆବେଦନ ଖାରଜ କରିବା ପରେ ତାଙ୍କୁ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି।

Comments are closed.