ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (ଓଏସ୍ଏସସି) ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ଭାରତୀୟ ଜନତା ପାର୍ଟି ଶୁକ୍ରବାର ଦାବି କରିଛି। ଏହି ପ୍ରଶ୍ନପତ୍ର ଲିକ ମାମଲାରେ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀ ସାମିଲ ଥାଇ ପାରନ୍ତି ଆଶଙ୍କା କରି ବିଜେପି ଏହି ପ୍ରସଙ୍ଗରେ ସ୍ବର ଶାଣିତ କରିଛି। ଶାସକ ବିଜେଡି କିନ୍ତୁ କହିଛି, ଓଡିଶା ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ସାରିଛି। ବିରୋଧୀ ଏହାକୁ ନେଇ ହୀନ ରାଜନୀତି କରୁଛନ୍ତି।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ମୁଁ ଓଡ଼ିଶା ସରକାରଙ୍କୁ ସିବିଆଇ ତଦନ୍ତ ପାଇଁ ଦାବି କରୁଛି। ଯଦି ରାଜ୍ୟ ସରକାରଙ୍କ ନୈତିକ ସାହସ ଅଛି ଏବଂ ସେ ସଫେଇ ଦେବାକୁ ଚାହୁଁଛନ୍ତି, ତେବେ ସରକାର ଏହାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରନ୍ତୁ।
ଯଦି ଏପରି ନ ହୁଏ, ତା’ହେଲେ ଆମକୁ ବିକଳ୍ପ ଉପାୟ ଚିନ୍ତା କରିବାକୁ ପଡ଼ିବ। କିନ୍ତୁ ମୁଁ ଭାବୁଛି, ଯେହେତୁ ଏହା ନିରୀହ ଚାକିରି ଆଶାୟୀ ଏବଂ ସେମାନଙ୍କ ଭବିଷ୍ୟତର ବିଷୟ, ତେଣୁ ସରକାର ଏହି ପଦକ୍ଷେପ ନେବା ଉଚିତ ଏବଂ ବିଳମ୍ବ ନକରି ସିବିଆଇ ତଦନ୍ତ ପାଇଁ ପଦକ୍ଷେପ ନେବା ଉଚିତ।
ପ୍ରଶ୍ନପତ୍ର ଲିକ୍ ଘଟଣାର ସମାଧାନ ହୋଇଥିବା ନେଇ ଗୁରୁବାର ବାଲେଶ୍ୱର ପୁଲିସ ଦାବି କରିବା ସହ ଓଡ଼ିଶା ବାହାରେ ଥିବା ଏକ ପ୍ରିଣ୍ଟିଂ ପ୍ରେସ୍ରୁ ଏହି ପ୍ରଶ୍ନପତ୍ର ଲିକ୍ ହୋଇଥିବା କଥା ପ୍ରକାଶ କରିଛନ୍ତି।
ତେବେ ବିଜେପିକୁ ଜବାବ ଦେବାକୁ ଯାଇ ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ କହିଛନ୍ତି, ଓଡ଼ିଶା ବିଜେପି ନେତାମାନେ ଚିରାଚରିତ ଭାବେ ହୀନ ରାଜନୀତି କରିବା ଆରମ୍ଭ କରି ଦେଇଛନ୍ତି। ଓଡ଼ିଶା ପୁଲିସ ଏକ ଅନ୍ତଃରାଜ୍ୟ ପ୍ରଶ୍ନପତ୍ର ରାକେଟର ପର୍ଦ୍ଦାଫାସ୍ କରିବାରେ ସମର୍ଥ ହୋଇଛି। ପୁଲିସ ହାତରେ ଧରା ପଡ଼ିଥିବା ଏହି ରାକେଟର ମାଷ୍ଟର ମାଇଣ୍ଡ ହେଉଛି କେନ୍ଦ୍ର ସରକାରଙ୍କ ଗୋଟିଏ ବିଭାଗ ଅଧୀନରେ କାର୍ଯ୍ୟରତ ଜଣେ କର୍ମଚାରୀ। ଏହି ରାକେଟ୍ କେବଳ ଓଡ଼ିଶା ନୁହେଁ, ବିହାର, ମଧ୍ୟପ୍ରଦେଶ ଏବଂ ସେଣ୍ଟ୍ରାଲ ଷ୍ଟାଫ୍ ସିଲେକସନ୍ କମିଶନର ପ୍ରଶ୍ନପତ୍ର ଲିକ୍ ମାମଲାରେ ମଧ୍ୟ ସଂପୃକ୍ତ ଅଛି। ଏହାଛଡ଼ା ଏହି ରାକେଟ୍ ଉତ୍ତରପ୍ରଦେଶ ଓ ଗୁଜରାଟର ଷ୍ଟାଫ୍ ସିଲେକସନ୍ କମିଶନ ପ୍ରଶ୍ନପତ୍ର ଲିକ୍ ରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ଖୁବଶୀଘ୍ର ତଦନ୍ତରୁ ସବୁ କଥା ସ୍ପଷ୍ଟ ହେବ। ମାତ୍ର ଓଡ଼ିଶା ବିଜେପି ନେତାମାନେ ଏତେ ବିଚଳିତ ଓ ଅଧୈର୍ଯ୍ୟ ହୋଇ ପଡ଼ୁଛନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଓଏସଏସସି ଜେଇ(ସିଭିଲ) ମୁଖ୍ୟ ଲିଖିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗୁରୁବାର ବାଲେଶ୍ୱର ପୁଲିସ ମାଷ୍ଟରମାଇଣ୍ଡ ସମେତ ଆଉ ୮ ଜଣଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ବିହାରରୁ ଗିରଫ କରାଯାଇଥିବା ବେଳେ ଏହି ଘଟଣାର ମାଷ୍ଟରମାଇଣ୍ଡ ଜଣେ ବିହାର ସରକାରୀ କର୍ମଚାରୀ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ମୋଟ ଗିରଫ ସଙ୍ଖ୍ୟା ୧୭ରେ ପହଞ୍ଚିଛି।
Comments are closed.