Latest Odisha News

BREAKING NEWS

ଜଙ୍ଗଲ ସୁରକ୍ଷା ଦାବିରେ ରାସ୍ତାକୁ ଓହ୍ଲାଇଲେ ବଲିଉଡ ତାରକା

ମୁମ୍ବାଇ: ପରିବେଶ ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ବଲିଉଡର ଆଗଧାଡ଼ିର କିଛି କଳାକାର । ମୁମ୍ବାଇର ଆରା ଅଞ୍ଚଳରେ ମେଟ୍ରୋ କାର୍‌ ଶେଡ୍‌ ପାଇଁ ୨୭୦୦ ଗଛ କଟାଯିବା ନିଷ୍ପତ୍ତି ନେଇଛନ୍ତି ସରକାର । ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ମହଲରେ ଲଗାତାର ବିରୋଧ କରାଯାଉଥିବା ବେଳେ କିଛି ବଲିଉଡ ଷ୍ଟାର ମଧ୍ୟ ଏହି ଗଛ କଟାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ଅଭିନେତ୍ରୀ ଶ୍ରଦ୍ଧା କପୁର, ଦିଆ ମିର୍ଜା ଓ ରବିନା ଟଣ୍ଡନଙ୍କ ସହ ଆହୁରି ଅନେକ ବଲିଉଡ ଷ୍ଟାର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

ନିକଟରେ ଶ୍ରଦ୍ଧା କପୁର କିଛି ପରିବେଶ ପ୍ରେମୀଙ୍କ ସହ ରାସ୍ତାକୁ ଓହ୍ଲାଇ ଏହି ମାମଲାର ବିରୋଧ ପ୍ରଦର୍ଶନ କରିବା ସହ ଗଛ କାଟିବା ଭଳି ଏକ ଭୁଲ ନିଷ୍ପତ୍ତି ବିରୋଧରେ ହେଉଥିବା ପ୍ରଦର୍ଶନରେ ଶ୍ରଦ୍ଧା ସାମିଲ ହୋଇଥିଲେ । ଏହି ନିଷ୍ପତ୍ତି ବଦଳିଲେ ଅନେକ ଲୋକ ଖୁସି ହେବେ। ଏଭଳି ଆଶ୍ଚର୍ଯ୍ୟକର ନିଷ୍ପତ୍ତି ଜମା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

ମୁମ୍ବାଇରେ ପ୍ରଥମରୁ ହିଁ ପରିବେଶ ପ୍ରଦୂଷଣ ସମ୍ବନ୍ଧୀୟ ଅନେକ ସମସ୍ୟା ହେଉଛି । ଆଉ ଏବେ ଲୋକଙ୍କ ଫୁସ୍‌ଫୁସ୍‌କୁ କାଟିବାକୁ ସରକାର ଅନୁମତି କେମିତି ଦେଲେ ବୋଲି ଶ୍ରଦ୍ଧା ପ୍ରଶ୍ନ କରିଛନ୍ତି । ତେଣୁ ଏହା ଅଟକାଇବା ନିହାତି ଜରୁରୀ।

ଖାଲି ଶ୍ରଦ୍ଧା ନୁହେଁ ବଲିଉଡର ଆଗ ଧାଡ଼ିର ଅଭିନେତ୍ରୀ ରବିନା ଟଣ୍ଡନ ମଧ୍ୟ ଏହି ନିଷ୍ପତ୍ତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଟୁଇଟ୍‌ କରି ନିଜ ଭାବନା ଜଣାଇଛନ୍ତି।

ଏଭଳି ଏକ ନିଷ୍ପତ୍ତି ଶୁଣି ସେ ଖୁବ୍‌ ଆଶ୍ଚର୍ଯ୍ୟ ହୋଇଥିବା ରବିନା ଟ୍ୱିଟରେ ଲେଖିବା ସହ, ଏହି ସଂକ୍ରାନ୍ତରେ ସେଠାକାର ଜନତାଙ୍କ ସ୍ବର କ’ଣ ପାଇଁ ଶୁଣା ଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ଅଭିନେତ୍ରୀ ଦିୟା ମିର୍ଜା ନିଜ ଟ୍ୱିଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ କରି ଲେଖିଛନ୍ତି ଯେ, ସେ ମେଟ୍ରୋ ବିରୋଧରେ ନାହାନ୍ତି ହେଲେ ଲୋକଙ୍କ ଅମୁଲ୍ୟ ସେବା କରୁଥିବା ଗଛ ଗୁଡିକୁ ନକାଟି କିଛି ଅନ୍ୟ ବିକଳ୍ପ ଉପାୟ ଚିନ୍ତା କରିବା ଉଚିତ୍‌ ବୋଲି ଦିଆ ଟ୍ୱିଟ କରିଛନ୍ତି ।

ଅଭିନେତ୍ରୀ ଈଶା ଗୁପ୍ତା ଟ୍ୱିଟ କରି ଲେଖିଛନ୍ତି ଯେ, ଏହା ଅତ୍ୟନ୍ତ ହାସ୍ୟାସ୍ପଦ। ପରିବେଶକୁ ନେଇ ରାଜନୀତି କରିବା ଅନୁଚିତ୍‌। ଆଗାମୀ ପିଢ଼ି ପାଇଁ କିଛି ଛାଡ଼ିବା ନିହାତି ଜରୁରୀ। ଏହି ନିଷ୍ପତ୍ତି ନବଦଳିଲେ ଆଗକୁ ଗଛ ସବୁଠୁ ଦାମୀ ହେବ।

ଏମାନଙ୍କ ବ୍ୟତୀତ କମେଡ଼ି କିଙ୍ଗ୍ କପିଲ୍ ଶର୍ମା, ବଲିଉଡ଼୍ ଗାୟକ ଶାନ୍‌ ଓ ଅନେକ ଷ୍ଟାର୍‌ ଟୁଇଟ୍‌ କରି ଏହାର ବିରୋଧ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.