Latest Odisha News

ଦୀପାଳି ହୋଟେଲରେ ଯୁବତୀଙ୍କ ରହସ୍ୟଜନକ ମୃତ୍ୟୁ, ବୟଫ୍ରେଣ୍ଡକୁ ପୋଲିସର ଜେରା

ଭୁବନେଶ୍ୱର: ରାଜଧାନୀସ୍ଥିତ ଲକ୍ଷ୍ମୀସାଗରରେ ଥିବା ଏକ ହୋଟେଲରେ ଯୁବତୀ ଶୁଭଲକ୍ଷ୍ମୀଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ପୋଲିସ ତାଙ୍କ ପୁରୁଷ ବନ୍ଧୁ ତଥା ବୟଫ୍ରେଣ୍ଡକୁ ପଚରାଉଚରା କରିଛି। ପ୍ରେମ ସମ୍ପର୍କରେ ତିକ୍ତତା ଆସିବାରୁ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥାଇପାରନ୍ତି ସନ୍ଦେହ କରି ତଦନ୍ତ କରୁଛି ପୋଲିସ।

ଲକ୍ଷ୍ମୀସାଗର ପୁଲିସର ଜଣେ ଅଧିକାରୀ କହିଛନ୍ତି ଯେ ସେମାନେ ମୃତ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବୟାନକୁ ସିଆରପିସିର ଧାରା ୧୬୧ ଅନୁଯାୟୀ ରେକର୍ଡ କରିଛନ୍ତି। ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ପୁଲିସ ପ୍ରାୟ ୧୦ ଜଣଙ୍କର ସାକ୍ଷ୍ୟ ଗ୍ରହଣ କରିସାରିଛି।

ଭଦ୍ରକ ଜିଲ୍ଲା କୁଆବାଗ ସାହିର ଶୁଭଲକ୍ଷ୍ମୀ ସାହୁ ନାମକ ଏହି ଯୁବତୀ ଗତ ଅଗଷ୍ଟ ୫ ତାରିଖରେ କଟକ-ପୁରୀ ରାସ୍ତାର ଲକ୍ଷ୍ମୀସାଗର ଛକ ନିକଟରେ ଥିବା ଦୀପାଳି ହୋଟେଲ ତଥା ବାରର ୨୦୫ ନମ୍ବର ପ୍ରକୋଷ୍ଠରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ।

ରମା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ-ଦୁଇ ଦ୍ୱିତୀୟ ବର୍ଷର ଏହି ଛାତ୍ରୀ ଅଗଷ୍ଟ ୪ ତାରିଖ ଅପରାହ୍ନ ୩ଟା ୨୦ ମିନିଟ୍ ସମୟରେ ହୋଟେଲରେ ପ୍ରବେଶ କରିଥିଲେ।

ଘଟଣା ଘଟିବାର କିଛି ସମୟ ପରେ ଯୁବତୀଙ୍କ ପରିବାର ଲୋକେ ସନ୍ଦେହ ପ୍ରକାଶ କରି କହିଥିଲେ ଯେ ତାଙ୍କୁ ହତ୍ୟା କରାଯାଇପାରେ ଏବଂ ପରେ ହୋଟେଲ୍ ରୁମ୍ ଭିତରେ ଆତ୍ମହତ୍ୟା ଭଳି ନାଟକ କରାଯାଇଛି। ଏପରିକି ହୋଟେଲର କିଛି କର୍ମଚାରୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର।

କିଛି ମିଡିଆର ରିପୋର୍ଟ ଅନୁଯାୟୀ, ମୃତକ ଜଣଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନୁହଁ। ସକାଳେ ରମାଦେବୀରେ ଯୁବତୀ ଜଣଙ୍କ ପାଠ ପଢନ୍ତି ଏହାପରେ ହୋଟେଲରେ କାମ କରନ୍ତି।

Comments are closed.