Latest Odisha News

ଭାଇରାଲ ଫିବର୍‌କୁ ଏଡାଇବା ପାଇଁ ଘରୋଇ ଉପଚାର

ଋତୁ ପରିବର୍ତ୍ତନଶୀଳ। ଋତୁ ପରିବର୍ତ୍ତନକୁ ନେଇ ଘରେ ଘରେ ବିଭିନ୍ନ ପ୍ରକାରର ସଂକ୍ରମଣ ରୋଗ ହେଉଥିବା ଦେଖିବାକୁ ମିଳେ। ବର୍ଷା ଋତୁରେ ଭାଇରାଲ ଫିବର୍ ବା ସଂକ୍ରମିତ ଜ୍ୱର ହେବାର ଆଶଙ୍କା ରହୁଛି। ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ କରନ୍ତି ତେବେ ଆପଣ ଘରୋଇ ଉପଚାର ଗ୍ରହଣ କରି ଆରାମ ପାଇପାରିବେ।

ଭାଇରାଲ ଫିବର୍ ହେବା ଗୁରୁତର ଚିନ୍ତାର ବିଷୟ ନୁହେଁ। ତଥାପି ଏଥିରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ପାଖାପାଖି ଗୋଟିଏ ସପ୍ତାହ ଲାଗିପାରେ। ଏହି ସମୟରେ ଆପଣଙ୍କୁ ନାନା ଶାରୀରିକ ପୀଡା ଦେଇ ଗତି କରିବାକୁ ପଡିପାରେ। ତେଣୁ ଏହି ସମୟରେ ଘରୋଇ ଉପଚାର ନିହାତି ଜରୁରୀ।

ଆମ ଭାରତୀୟ ରୋଷେଇ ଘରେ ଏପରି ଅନେକ ମସଲା ଅଛି, ଯାହାକୁ ବ୍ୟବହାର କରି ରୋଗର ଚିକିତ୍ସା ସମ୍ଭବ ହୋଇପାରିଛି। ଏଠାରେ ଆମେ ଆପଣଙ୍କୁ କିଛି ଘରୋଇ ଉପଚାର କହିବାକୁ ଯାଉଛୁ, ଯାହା ଅନୁସରଣ କରି ଆପଣ ଭାଇରାଲ୍ ଜ୍ୱର ଦ୍ୱାରା ହେଉଥିବା ଯନ୍ତ୍ରଣା ଏବଂ ଦୁର୍ବଳତାରୁ ମୁକ୍ତି ପାଇପାରିବେ।

  • ଭାଇରାଲ୍ ଜ୍ୱରରେ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆପଣ ଗୋଲମରିଚ ବ୍ୟବହାର କରିପାରିବେ। ଏଥିପାଇଁ ଅଧା ଚାମଚ ଗୋଲମରିଚ ଗୁଣ୍ଡକୁ ଏକ ଚତୁର୍ଥ ଚାମଚ ହଳଦୀ ଏବଂ ଅଧା ଚାମଚ ଶୁଖିଲା ଅଦା ପାଉଡର ସହିତ ଦୁଇ କପ୍ ପାଣିରେ ଫୁଟାନ୍ତୁ। ଯେତେବେଳେ ଏହି ପାଣି ଫୁଟି ଅଧା ହୋଇଯିବ, ସେତେବେଳେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ। ଆଉ ଏହି ପାଣିକୁ ଉଷୁମ ଉଷୁମ ପିଅନ୍ତୁ।
  • ଭାଇରାଲ୍ ଜ୍ୱରରେ ଲବଙ୍ଗ ଉପକାରୀ। ଏଥିପାଇଁ ଆପଣ ୧ ରୁ ୩ ଚାମଚ ମହୁ ସହିତ ୨ ରୁ ୩ ଲବଙ୍ଗ ପାଉଡର ମାଶାଇ ସେବନ କରନ୍ତୁ। ଏହାର ବ୍ୟବହାର ଦ୍ୱାରା ଗଳା ଯନ୍ତ୍ରଣା ଭଲ ହୋଇଯିବ।
  • ଔଷଧୀୟ ଗୁଣ ଥିବା ତୁଳସୀ ମଧ୍ୟ ଭାଇରାଲ୍ ଜ୍ୱରରେ ବେଶ୍ ପ୍ରଭାବଶାଳୀ। ଏଥିପାଇଁ ୬ ରୁ ୭ ତୁଳସୀ ପତ୍ରକୁ ୧ ଚାମଚ ଲବଙ୍ଗ ପାଉଡର ସହିତ ୧ ଲିଟର ପାଣିରେ ଫୁଟାନ୍ତୁ । ତା’ପରେ ଏହାକୁ ଦିନକୁ ୩ ରୁ ୪ ଥର ଅଳ୍ପ ଅଳ୍ପ କରି ପିଅନ୍ତୁ। ଏପରି କଲେ ଶରୀର ଯନ୍ତ୍ରଣାରୁ ମୁକ୍ତି ମିଳିବ।
  • ଭାଇରାଲ୍ ଜ୍ୱର ସମସ୍ୟାରେ ଗିଲୋଇ ଉପକାରୀ। ୧ ଲିଟର ପାଣିରେ ୩ ଇଞ୍ଚ ଗିଲୋଇ କାଠ ପକାଇ ଫୁଟାନ୍ତୁ। ଯେତେବେଳେ ଏହି ପାଣି ଫୁଟି ଫୁଟି ଅଧା ହୋଇଯିବ, ଗ୍ୟାସ ବନ୍ଦ କରିଦିଅନ୍ତୁ। ପାଣିକୁ ଥଣ୍ଡା କରି ଦିନକୁ ଅନେକ ଥର ଏହାକୁ ସେବନ କରନ୍ତୁ। ଗିଲୋଇ ଫୁଟା ପାଣି ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।
  • ସେହିପରି ଧନିଆ ମଞ୍ଜି ଅନେକ ରୋଗ ପାଇଁ ଉପକାରୀ। ସଂକ୍ରମିତ ଜ୍ୱରରେ ଧନିଆ ମଞ୍ଜି ପାଣି ପିଇବା ଲାଭଦାୟକ। ଏଥିପାଇଁ ୧ ଚାମଚ ଧନିଆ ମଞ୍ଜି ରାତିସାରା ୧ ଗ୍ଲାସ ପାଣିରେ ଭିଜାଇ ସକାଳେ ଏହି ପାଣିକୁ ପିଅନ୍ତୁ। ଆପଣଙ୍କୁ ଆରାମ ଲାଗିବ।

Comments are closed.