Latest Odisha News

BREAKING NEWS

‘ବିଶୃଙ୍ଖଳା’, ଗୃହରୁ ନିଲମ୍ବିତ ହେଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କର ଶେଷ ଦିନରେ ଗୁରୁବାର ଦିନ ସଂସଦରେ କାର୍ଯ୍ୟକାଳ ସମୟରେ ‘ଅନାବଶ୍ୟକ ବ୍ୟବହାର’ ବା ବିଶୃଙ୍ଖଳା ପାଇଁ କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଛି।ବିଜେପି ନେତା ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ପ୍ରସ୍ତାବ ପରେ ଅଧୀର ଚୌଧୁରୀଙ୍କ ନିଲମ୍ବନକୁ ଲୋକସଭାରେ ଗ୍ରହଣ କରାଯାଇଛି।

ପ୍ରିଭିଲେଜ କମିଟି ଏହି ପ୍ରସଙ୍ଗରେ ରିପୋର୍ଟ ନ ଦେବା ଯାଏ ଚୌଧୁରୀ ନିଲମ୍ବିତ ରହିବେ ବୋଲି ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ସଂସଦୀୟ କାର୍ଯ୍ୟ ସମୟରେ ଅଧୀର ଚୌଧୁରୀ କ୍ରମାଗତ ଭାବେ ବାଧା ସୃଷ୍ଟି କରୁଛନ୍ତି ଏବଂ ଦେଶ ଏବଂ ଏହାର ଭାବମୂର୍ତ୍ତିକୁ ଅପମାନିତ କରୁଛନ୍ତି ବୋଲି ଯୋଶୀ ଅଭିଯୋଗ କରିଛନ୍ତି।

ଏହା ଏବେ ଅଭ୍ୟାସରେ ପରିଣତ ହୋଇଗଲାଣି। ବାରମ୍ବାର ଚେତାବନୀ ମିଳିବା ପରେ ମଧ୍ୟ ତାଙ୍କର ଉନ୍ନତି ହୋଇ ନାହିଁ। ସବୁବେଳେ ବିତର୍କରେ ସେ ଅମୂଳକ ଅଭିଯୋଗ ଆଣିଥାନ୍ତି। ସେ ଦେଶ ଏବଂ ଏହାର ଭାବମୂର୍ତ୍ତିକୁ ଅପମାନିତ କରନ୍ତି ଏବଂ କେବେ କ୍ଷମା ମାଗନ୍ତି ନାହିଁ ବୋଲି ପ୍ରହ୍ଲାଦ ଯୋଶୀ ଦାବି କରିଛନ୍ତି।

ବିଜେପି ସଦସ୍ୟ ଦାବି କରିଛନ୍ତି ଯେ ବୁଧବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯେତେବେଳେ ଭାଷଣ ଦେଲେ ସେତେବେଳେ ପଶ୍ଚିମବଙ୍ଗ କଂଗ୍ରେସର ସଭାପତି ତଥା ସାଂସଦ ଅନୁରୂପ ଆଚରଣ କରିଥିଲେ। ଏହାପରେ ଯୋଶୀ ଅଧୀରଙ୍କ ମାମଲା ପ୍ରିଭିଲେଜ କମିଟିକୁ ପଠାଇବା ପାଇଁ ପ୍ରସ୍ତାବ ଆଣିଥିଲେ ଏବଂ କମିଟି ରିପୋର୍ଟ ନ ଦେବା ଯାଏଁ ଅଧୀରଙ୍କୁ ନିଲମ୍ବିତ କରିବାକୁ ଦାବି କରିଛନ୍ତି। ଏହି ପ୍ରସ୍ତାବକୁ ସଂସଦରେ ଗ୍ରହଣ କରାଯାଇଛି।

Comments are closed.