Latest Odisha News

BREAKING NEWS

ଆଉ ଗୋପନୀୟ ହୋଇ ରହିବ ନାହିଁ ‘ସ୍ୱିସ୍ ବ୍ୟାଙ୍କ’ ଜମାକାରୀଙ୍କ ତଥ୍ୟ

ନୂଆଦିଲ୍ଲୀ: ଏଥର ସ୍ୱିସ୍ ବ୍ୟାଙ୍କ ଯୋଗାଇ ଦେବ ଭାରତୀୟ ଜମାକାରୀଙ୍କ ଜମା ସମ୍ବନ୍ଧିତ ତଥ୍ୟ । ବିଶ୍ୱର ସବୁଠୁ ଗୋପନୀୟ ତଥା ପୁଞ୍ଜିପତି ମାନଙ୍କ ବ୍ୟାଙ୍କ ଭାବେ ପରିଚିତ ସ୍ୱିସ୍ ବ୍ୟାଙ୍କ ଆଉ ଭାରତୀୟ ଜମାକାରୀଙ୍କ ଜମା ସମ୍ବଦ୍ଧୀୟ ସୂଚନା ଗୋପନୀୟ କରି ରଖିବ ନାହିଁ ।

ସ୍ୱିସ୍ ବ୍ୟାଙ୍କରେ ଥିବା ଭାରତୀୟ ଜମାକାରୀଙ୍କ ଜମା ସୂଚନା ପାଇଁ ପୂର୍ବରୁ ଭାରତ ସରକାର ନିବେଦନ କରାଯାଇଥିବା ବେଳେ, ବ୍ୟାଙ୍କ କର୍ତ୍ତୃପକ୍ଷ ସେପ୍ଟେମ୍ବର ମାସରୁ ସରକାରଙ୍କୁ ଜମାକାରୀଙ୍କ ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିବେ ବୋଲି ଜାତୀୟ ଗଣମାଧ୍ୟମ ଏନଡି ଟିଭିରେ ପ୍ରକାଶିତ ହୋଇଛି ।

କଳାଧନ ବିରୋଧରେ ଭାରତ ସରକାରଙ୍କ ଉଦ୍ୟମର ଏହା ଏକ ବଡ ସଫଳତା ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) କହିଛନ୍ତି ।

ଏଥିଲାଗି ଗତ ଅଗଷ୍ଟ ୨୯ ଓ ୩୦ ତାରିଖରେ ସ୍ୱିଜରଲ୍ୟାଣ୍ଡର ଏକ ପ୍ରତିନିଧି ମଣ୍ଡଳ ନୂଆଦିଲ୍ଲୀରେ ରାଜସ୍ୱ ସଚିବ ଏ.ବି.ପାଣ୍ଡେ, ସିବିଡିଟି ଚେୟାରମ୍ୟାନ ପି.ସି.ମୌର୍ଯ୍ୟ ଓ ସଦସ୍ୟ ଅଖିଳେଶ ରଞ୍ଜନଙ୍କୁ ଭେଟି ଆଲୋଚନା କରିଥିଲେ ।

ଏହି ସାକ୍ଷାତକାର ଓ ଆଲୋଚନା ବେଳେ ଶୁଳ୍କ ଅଧିକାରୀମାନଙ୍କୁ ସ୍ୱିସ୍ ବ୍ୟାଙ୍କ ଭାରତୀୟ ଜମାକାରୀଙ୍କ ଆକାଉଣ୍ଟ ସମ୍ବଦ୍ଧିତ ସମସ୍ତ ତଥ୍ୟ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ଦୁଇ ଦେଶଙ୍କ ମଧ୍ୟରେ ଏବେ ସୂଚନା ଆଦାନ ପ୍ରଦାନ ମଧ୍ୟ ଅଧିକ ତ୍ୱରାନ୍ୱୀତ ହେବ ବୋଲି ସିବିଡିଟି ଅଧିକାରୀ କହିଛନ୍ତି।

ଜଏଣ୍ଟ ରିପୋର୍ଟିଂ ମାନକରେ ଥିବା ବ୍ୟବସ୍ଥା ଅନୁସାରେ ସ୍ୱିଜରଲ୍ୟାଣ୍ଡ ବ୍ୟାଙ୍କ ଭାରତୀୟ ଜମାକାରୀଙ୍କ ଜମା ଖାତା ସମ୍ପର୍କରେ ସେପ୍ଟେମ୍ବର ମାସରୁ ସୂଚନାପ୍ରଦାନ କରିବେ ବୋଲି ଜଣାପଡିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୧୮ ମସିହାର ସମସ୍ତ ବ୍ୟାଙ୍କିଙ୍ଗ ସୂଚନା ଏଥିରେ ମିଳିବ ବୋଲି କୁହାଯାଇଛି।

ସ୍ୱିସ୍ ବ୍ୟାଙ୍କରେ ପୂର୍ବରୁ ଥିବା ଆକାଉଣ୍ଟ ଯାହା ଏହି ସମୟରେ ବନ୍ଦ ରହିଛି, ତାହାର ମଧ୍ୟ ସୂଚନା ମିଳିପାରିବ ବୋଲି ଏନଡି ଟିଭିର ଏହି ରିପୋର୍ଟରେ ପ୍ରକାଶିତ ହୋଇଛି ।

Leave A Reply

Your email address will not be published.