ନାରୀ ଗୋଟେ ବର୍ଷା ଋତୁ
ପ୍ରୀତିଧାରା ସାମଲ
ଝରକା ପାଖରେ ଠିଆ ହେଇ ସେ
ଦେଖୁଚି ବର୍ଷା
ସବୁକାମ ସାରିଦେଇ ଆସିଚି,
ଖରାରେ ଦେଇଥିବା ପୋକରା ଡାଲିକୁ
ନେଇଆସିଚି ଭିତରକୁ,
ଲୁଗାପଟା ତୋଳିଆଣିଚି।
ଏବେ ସେ ମେଘ ହେଇଯିବ
ତା ଆଖି ଆକାଶରେ ବି ରୁନ୍ଧିହେଇ ରହିଚି
ଅନେକ ମେଘ ଅଭିଯୋଗ ଆଉ ସନ୍ତାପର ।
ବର୍ଷା ଦେଇପାରନ୍ତା କି
ତା ହୃଦୟର କ୍ଷତ ପାଇଁ ମଲମ
ଆତ୍ମାର ଦାଗସବୁ ପୋଛିଦିଅନ୍ତା
ଦେହର ଦରଜକୁ ଉପଶମ କରିପାରନ୍ତା।
ଆକାଶରୁ ଖସିଲା ତ ମିଶିଗଲା ମାଟିରେ
ଠିକ ତା ପରି ହଜେଇଦେଲା ଅସ୍ତିତ୍ୱ
ଆକାଶ ଆଉ ମାଟି ମଝିରେ
ସେ କୋଉଠି ନାହିଁ କି ନଥିଲା ।
ପ୍ରତିଥର କିନ୍ତୁ ତା ହାତଧରି
ଦିନ, ମାସ, ବର୍ଷ ଡେଇଁ
ପହଞ୍ଚେଇ ଦେଇଚି ଏଠି,
ଯେତେଥର ମରିଚି
ସେତେଥର ତାକୁ ଜୀବନ ଦେଇଚି।
ଯେଉଁଦିନ ତା ପ୍ରଥମ ପ୍ରେମ
ବାଟବଣା ହେଲା, ସେ ମରିଥିଲା
ଆଉଥରେ ମରିଥିଲା ତା ନିରୀହ ସ୍ୱପ୍ନ
ମରିଗଲା ପରେ,
କେହିଜଣେ ପ୍ରଶ୍ନ କରିଥିଲା
ତା ନାରୀଜନ୍ମକୁ, ସେ ମରିଥିଲା…
ଏମିତି କେତେଥର ମରିଚି
ଅଥଚ ପ୍ରତ୍ୟେକ ଥର
ଉଦ୍ଧାର କରିଆଣିଚି ନିଆଁରୁ,
ପଥରରୁ,ମାଟିତଳୁ ।
ସେ ଜାଣିଚି ବୋଧେ
ଅନେକଥର ମରିଥିବା ନାରୀ ଗୋଟେ ବର୍ଷା ଋତୁ,
ବର୍ଷାଋତୁ
ସମସ୍ତଂକ ଶୋଷ ମେଣ୍ଟଉଥିବା ଜଣେ ନାରୀ।