ପୁରୀ: ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ରେ ଅଭାବନୀୟ ଘଟଣା l ମିଳିଲାନି ଷ୍ଟ୍ରେଚର କି ହୁଇଲଚେୟାର । କାନ୍ଧରେ ଅସୁସ୍ଥ ସ୍ତ୍ରୀକୁ ବୋହିନେଲେ ସ୍ଵାମୀ । ଅସୁସ୍ଥ ବୃଦ୍ଧା ଜଣକ ହେଲେ ମଧ୍ୟପ୍ରଦେଶ ର ୬୫ବର୍ଷୀୟା କାଲାବାଇ l ବୃଦ୍ଧାଜଣକୁ ତାଙ୍କ ସ୍ୱାମୀ କାନ୍ଧରେ ବୋହି ନେଉଥିବା ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି l
ସୂଚନା ଅନୁଯାୟୀ, ବୃଦ୍ଧ ଦମ୍ପତି ଜଣକ ପୁରୀ ବୁଲିବାକୁ ଆସିଥିଲେ । ମହାପ୍ରଭୁଙ୍କ ଦର୍ଶନ କରି ସମୁଦ୍ର କୂଳକୁ ପିଣ୍ଡ ଦାନ ପାଇଁ ଯାଇଥିଲେ । ସେଠାରେ ପିଣ୍ଡ ଦାନ କରୁଥିବା ସମୟରେ ସମୁଦ୍ର ଲହଡିରେ କାଲାବାଇଙ୍କ ଗୋଡରେ ଆଘାତ ଲାଗିଥିଲେ l ସମୁଦ୍ର କୂଳରୁ ଆହତ ବୃଦ୍ଧାଙ୍କୁ ରିକ୍ସା ଦ୍ୱାରା ପୁରୀ ସଦରମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ତାଙ୍କ ସ୍ଵାମୀ ଭାଉ ସିଂ ।
ଚିକିତ୍ସାଳୟରେ ପହଞ୍ଚିବା ପରେ ଭାଉ ସିଂ ଟିକେଟ ପାଇଁ ଯାଇଥିଲେ । ଟିକେଟ କରିବା ପରେ ଅସୁସ୍ଥ ବୃଦ୍ଧା ଜଣଙ୍କୁ ଆଉଟ ଡୋରକୁ ନେବା ଲାଗି ସେଠାରେ ତାଙ୍କୁ କୌଣସି ଷ୍ଟ୍ରେଚର କିମ୍ବା ହୁଇଲ ଚେୟାର ମିଳିନଥିଲା । ଏପରିକି ବୃଦ୍ଧ ଦମ୍ପତିଙ୍କୁ ସହାୟତା ଦେବାଲାଗି ସେଠାରେ କୌଣସି ହସ୍ପିଟାଲ କର୍ମଚାରୀଙ୍କର ମଧ୍ୟ ଦେଖା ନଥିଲା l ତେବେ କୌଣସି ବିକଳ୍ପ ନମିଳିବାରୁ ବୃଦ୍ଧାଙ୍କ ସ୍ୱାମୀ ତାଙ୍କୁ ଟିକେଟ କାଉଣ୍ଟରଠାରୁ କାନ୍ଧରେ ବୋହି ବୋହି ଆଉଟ ଡୋର ପର୍ଯନ୍ତ ନେଇଥିଲେ । ଆଉଟ ଡୋରରୁ ପୁଣି ଏକ୍ସରେ କରିବା ପାଇଁ ଏକ୍ସରେ ରୁମକୁ ନେଇଥିଲେ l
ତେବେ ବୃଦ୍ଧାଜଣଙ୍କୁ ତାଙ୍କ ସ୍ୱାମୀ କାନ୍ଧରେ ବୋହି ନେଉଥିବା ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି l ଭିଡିଓଟିରେ କଏଦ ହୋଇଥିବା ଦୃଶ୍ୟ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟବସ୍ଥାର ବିକଳ ଚିତ୍ରକୁ ପଦାରେ ପକାଇଛି ।
Comments are closed.