Latest Odisha News

BREAKING NEWS

ରାଜଧାନୀରେ ଡରାଇ ଚାଲିଛି ଡେଙ୍ଗୁ ମଶା, ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ଯା

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଟପିଥିବା ବେଳେ କ୍ୟାପିଟାଲ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଦିଲ୍ଲୀପ କୁମାର ପଣ୍ଡା ରବିବାର କହିଛନ୍ତି ଯେ, ରାଜଧାନୀରେ ପ୍ରତିଦିନ ୩୦୦-୪୦୦ ନମୁନା ପରୀକ୍ଷା କରାଯାଉଛି।

ଏଥିମଧ୍ୟରୁ ପ୍ରାୟ ୫୦-୬୦ଟି ନମୁନାରେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି। ବର୍ତ୍ତମାନ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ପାଇଁ ୫୦ଟି ସ୍ୱତନ୍ତ୍ର ଶଯ୍ୟା ରହିଥିବା ବେଳେ ୪୮ଟି ଶଯ୍ୟାରେ ରୋଗୀ ଚିକିତ୍ସିତ ହେଉଛନ୍ତି। ଦୈନିକ ଆଠ-ନଅ ଜଣ ଗୁରୁତର ରୋଗୀଙ୍କୁ ପ୍ରୋଫିଲେକ୍ଟିକ୍ ପ୍ଲେଟିଲେଟ୍ ଟ୍ରାନ୍ସଫ୍ୟୁଜନ୍ ଦିଆଯାଉଛି ବୋଲି ସେ କହିଛନ୍ତି। ଶନିବାର ୩୯୩ ଜଣଙ୍କ ଡେଙ୍ଗୁ ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ଇତିମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସହରର ଅପହଞ୍ଚ ଇଲାକାରେ ମଶା ବଂଶ ବୃଦ୍ଧି କରୁଥିବା ଉତ୍ସଗୁଡ଼ିକୁ ନଷ୍ଟ କରିବା ପାଇଁ ପୁଣି ଥରେ ଡ୍ରୋନ୍ ସ୍ପ୍ରେ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ସହରର ସମସ୍ତ ୬୭ଟି ଓ୍ବାର୍ଡରେ ମୌସୁମୀ ପରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନୟାପଲ୍ଲୀରେ ୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଚାର୍ଯ୍ୟ ବିହାରରେ ୯୪ ଏବଂ ଜୟଦେବ ବିହାରରେ ୬୦ ଚିହ୍ନଟ ହୋଇଛନ୍ତି। ସତ୍ୟନଗର, ୟୁନିଟ୍-୯, ବରମୁଣ୍ଡା ଓ ୟୁନିଟ୍-୬ ସମେତ ଅନ୍ୟ ୧୦ଟି ସ୍ଥାନରେ ଚଳିତ ଋତୁରେ ବର୍ତ୍ତମାନ ସୁଦ୍ଧା ୧୦ରୁ ୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ପୂର୍ବରୁ ପୌରପାଳିକା ପକ୍ଷରୁ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ୫ ହଜାର ଓ ଏକ ହଜାର ଟଙ୍କା ଜରିମାନା ଘୋଷଣା କରାଯାଇଥିଲା। ଏଥିପାଇଁ ଅଗଷ୍ଟ ୧୫ରୁ ଘରେ ଘରେ ରେଣ୍ଡମ ଚେକିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Comments are closed.