ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ନୂଆସାହି ଗାଁର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଚକ୍ଷୁଦାନ କରିଛନ୍ତି।ମାଳତୀ ମାଧେଇଙ୍କ ସ୍ୱାମୀ କମଳାକାନ୍ତ ମାଧେଇ ଏକ ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ କାମ କରୁଥିଲେ। ତେବେ ଡ୍ୟୁଟିରେ ଥିବା ବେଳେ ବିଦ୍ୟୁତ୍ ଆଘାତରେ କମଳାକାନ୍ତଙ୍କର ମୃତ୍ୟୁ ହୋଇଛି।
ଏହି ଦୁଃଖଦ ଘଟଣା ପରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ତେବେ ଗଭୀର ଦୁଃଖ ଭିତରେ ମାଳତୀ ଦୃଢମନା ରହି ସ୍ୱାମୀଙ୍କ ଚକ୍ଷୁଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ମାଳତୀଙ୍କ କହିବାନୁସାରେ, ଥରେ ତାଙ୍କ ସ୍ୱାମୀ ମୃତ୍ୟୁ ପରେ ଚକ୍ଷୁଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ମୃତ ସ୍ୱାମୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ସେ ତାଙ୍କର ଚକ୍ଷୁଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି।
ସେ କହିଛନ୍ତି, ମୋ ସ୍ୱାମୀ ଜୀବିତ ଥିବା ବେଳେ ମୃତ୍ୟୁ ପରେ ଚକ୍ଷୁଦାନ କରିବାକୁ କହିଥିଲେ। ମୁଁ ମୋ ସ୍ୱାମୀଙ୍କୁ ଫେରାଇ ପାରିବି ନାହିଁ। କିନ୍ତୁ ମୁଁ ତାଙ୍କର ଏହି ଇଚ୍ଛାକୁ ପୂରଣ କରିବା ପାଇଁ ନିଷ୍ପତ୍ତି ନେଇଛି। ଆଉ କାହାକୁ ନିଜ ଆଖିରେ ଦୁନିଆର ଆଲୋକ ଦେଖିବାର ସୁଯୋଗ ମିଳୁ, କହିଛନ୍ତି ମାଳତୀ।
ସେ କହିଛନ୍ତି, ମୋ ପୁଅ ଲୋକଙ୍କୁ ବହୁତ ସାହାଯ୍ୟ କରୁଥିଲା। ଏବେ ସେ ଆଉ ନାହିଁ। ତାଙ୍କ ଆଖି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦୁନିଆର ଆଲୋକ ଦେଖିବାରେ ସାହାଯ୍ୟ କରିବ। ତାଙ୍କର ଏହି ଇଚ୍ଛା ଏହିଭଳି ଭାବେ ପୂରଣ ହେବ ବୋଲି ମୃତକଙ୍କ ମାଆ ବାସନ୍ତୀ ମଧେଇ କହିଛନ୍ତି। ସେପଟେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଏଭଳି ଏକ ମହତ ନିଷ୍ପତି ନେଇ ପରିବାର ଲୋକଙ୍କୁ ପ୍ରଶଂସା କରିଛନ୍ତି।
ମୁଁ ମୃତକଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। କମଳାକାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଚକ୍ଷୁଦାନ ପାଇଁ ସେମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେମାନେ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ବିଧାୟକ ନାୟକ କହିଛନ୍ତି।
Comments are closed.