Latest Odisha News

BREAKING NEWS

ସ୍ୱାଧୀନତା ଦିବସ ପୂର୍ବରୁ ମାଉଣ୍ଟ୍‌ ଏଲ୍‌ବ୍ରସ୍‌ରେ ଜାତୀୟ ପତାକା ଉଡ଼ାଇଲେ ଓଡ଼ିଆ ପୁଅ

ଭୁବନେଶ୍ୱର: ୭୭ତମ ସ୍ୱାଧୀନତା ଦିବସ ପୂର୍ବରୁ ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୫୬୪୨ ମିଟର ଉଚ୍ଚ ମାଉଣ୍ଟ୍‌ ଏଲ୍‌ବ୍ରସ୍‌ରେ ଉଡ଼ିଲା ଜାତୀୟ ପତାକା। ନୟାଗଡ଼ର ଗୌରବ ଆଇରନ୍‌ ମ୍ୟାନ୍‌ ଓ ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ମାଉଣ୍ଟ୍‌ ଏଲବ୍ରସ୍‌ ଚଢ଼ି ଇତିହାସ ସୃଷ୍ଟି କରିଛନ୍ତି। ଏହି ଦୁଃସାହାସିକ ଯାତ୍ରା ଶେଷ କରିବା ପରେ ସେ ତାଙ୍କ ସଫଳତାର ଶ୍ରେୟ ମହାପ୍ରଭୁ ଜଗନ୍ନାଥ, ଆକାଶବାଣୀ ଏବଂ ନୟାଗଡ଼ ବିକାଶ ମଞ୍ଚକୁ ଅର୍ପଣ କରିଛନ୍ତି।

ସୈଭାଗ୍ୟ କୁମାର ରଥ ଏହି ସଫଳତା ପାଇବା ପରେ କହିଛନ୍ତି, ରବିବାର ଭାରତୀୟ ସମୟ ଅନୁସାରେ ଦିନ ୧୧.୧୦ରେ ଇଉରୋପ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ୍‌ ଏଲ୍‌ବ୍ରସ୍‌ (୫୬୪୨ ମିଟର) ଆରୋହଣ କଲି। ପ୍ରବଳ ଝଡ ଓ ତୁଷାରପାତ ସତ୍ତ୍ୱେ ଏହି ଦଳର ସମସ୍ତ ସଦସ୍ୟ ସଫଳ ହେଲେ। ଏହି ଦଳରେ ୪ ରୁଷୀୟ , ୨ ଭାରତୀୟ ଏବଂ ୩ ଜଣ ପ୍ରଶିକ୍ଷକ ଯାଇଥିଲେ। ସେ ପୁନଶ୍ଚ କହିଛନ୍ତି ‘ମୋ ସଫଳତାର ଶ୍ରେୟ ମୁଁ ମହାପ୍ରଭୁ ଜଗନ୍ନାଥ, ଆକାଶବାଣୀ ଏବଂ ନୟାଗଡ଼ ବିକାଶ ମଞ୍ଚକୁ ଅର୍ପଣ କରୁଛି।’

ସୌଭାଗ୍ୟଙ୍କ ଏହି ସଫଳତାରେ ନୟାଗଡ଼ ବିକାଶ ମଞ୍ଚର ଆବାହକ ତଥା ଜଣାଶୁଣା ଲେଖକ ଶୁଭ୍ରାଂଶୁ ପଣ୍ଡା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୌଭାଗ୍ୟ କେବଳ ନୟାଗଡ଼ ନୁହେଁ, ଓଡ଼ିଶା ଓ ଭାରତ ପାଇଁ ଗୌରବ ଆଣିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୪ରେ ସୌଭାଗ୍ୟ ନୟାଗଡ଼ରୁ ଯାତ୍ରା ଆରମ୍ଭ କରିଥିଲେ। ଅଗଷ୍ଟ ୫ରେ ଦିଲ୍ଲୀରୁ ମସ୍କୋ ଯାତ୍ରା କରିଥିଲେ। ଅଗଷ୍ଟ ୭ରେ ମସ୍କୋରୁ ‘ମିନେରାଲନୀ ଭଡୀ’ ଯାତ୍ରା କରିଥିଲେ। ଅଗଷ୍ଟ ୮ ତାରିଖରେ ଦୁଃସାହସିକ ପର୍ବତାରୋହଣ ଆରମ୍ଭ କରିଥିଲେ। ଅଗଷ୍ଟ ୧୩ ତାରିଖରେ ସୌଭାଗ୍ୟ ତାଙ୍କର ଦୁଃସାହିସକ ପର୍ବତାରୋହଣ ଶେଷ କରିଛନ୍ତି।

Comments are closed.