ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ପ୍ରତ୍ୟେକ ମଂଜି ଯେଣୁ ଭିନ୍ନ
ଗଛ ବି ହୁଅଇ ଅନନ୍ୟ
ଅନନ୍ୟତାକୁ କଲେ ନାଶ
ହୁଏନି ସମୂହ ବିକାଶ
ଗୋଠକୁ ଯାଇ ସୁଦ୍ଧା ଗାଈ
ଅନ୍ୟ ଭଳି ପାରେନି ହୋଇ
ମଣିଷ ଗଢ଼େ ସଂଘ, ସଂସ୍ଥା
ତେଣୁ ଭୋଗଇ ଦୁରବସ୍ଥା
ସାହିତ୍ୟ ହୋଇଲେ ପଠିତ
ତହିଁର ଭାବ ବିସ୍ତାରିତ
ହୁଅଇ ପାଠକ ପର୍ଯଂତ
ସର୍ବେ ହୁଅଂତି ଉପକୃତ
ବିଭିନ୍ନ ଦୃଷ୍ଟାଂତ ସହିତ
ସାହିତ୍ୟ ହେଲେ ଆଲୋଚିତ
ବିଦ୍ୟାର୍ଥୀମାନେ ପାଇ ହିତ
ହୁଅଂତି ଅଧିକ ସଂପୃକ୍ତ
ଏପରି ସହଯୋଗୀ ଭାବ
କରିଲେ ଲୋକେ ଅନୁଭବ
ସାହିତ୍ୟ ହୁଏ ସମାଦୃତ
ଘଟାଏ ସର୍ବବ୍ୟାପୀ ହିତ
ସାନ, ସାନ ସରଳ ଶବ୍ଦ
ହେଲେ ହେଁ ଭାଷାର ସଂପଦ
ଏବେ ସାହିତ୍ୟକାରଗଣ
କରଂତି ସେ ସବୁ ବର୍ଜନ
ଚେଷ୍ଟା କରିଲେ ଅବିରତ
ଶାଂତ ଓ ସ୍ଥିର ହୁଏ ଚିତ୍ତ
ଭାଷାକୁ କଲେ ବିଶ୍ଳେଷଣ
ମନେ ଉପୁଜେ ନିଜ ଜ୍ଞାନ
ବହିରେ ଥାଏ ପର ଜ୍ଞାନ
ନୁହେ ତା ବିଶ୍ବାସଭାଜନ
ନିଜେ ନିଜର ଜ୍ଞାନାର୍ଜନ
କରିବା ଉତ୍ତମ ଲକ୍ଷଣ
ବହୁ ପୂର୍ବେ ଯା ପ୍ରକାଶିତ
ତହିଁରେ ଏ କାଳର ସତ
ରହିବା ନୁହଇ ସଂଭବ
ଏ ସତ୍ୟ କରୁଁ ଅନୁଭବ