Latest Odisha News

BREAKING NEWS

ଅଜିତ-ଶରଦଙ୍କ ‘ଗୁପ୍ତ’ ବୈଠକ ପରେ ‘ସୁପ୍ରିମୋ’ଙ୍କ ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ମୁମ୍ବାଇ: ଏନସିପି ମୁଖ୍ୟ ଶରଦ ପାଓ୍ବାର ରବିବାର କହିଛନ୍ତି ଯେ ତାଙ୍କ ଦଳ ବିଜେପି ସହ ଯିବ ନାହିଁ, ଯଦିଓ କିଛି ‘ଶୁଭଚିନ୍ତକ’ ତାଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ସାଙ୍ଗୋଲାରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ପାଓ୍ୱାର ଏଭଳି କିଛି କହିଛନ୍ତି।

ସେ କହିଛନ୍ତି, ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ମୁଁ ସ୍ପଷ୍ଟ କରୁଛି ଯେ ମୋ ଦଳ (ଏନସିପି) ବିଜେପି ସହ ଯିବ ନାହିଁ। ଭାରତୀୟ ଜନତା ପାର୍ଟି ସହ କୌଣସି ପ୍ରକାରର ସମ୍ପର୍କ ଏନସିପିର ରାଜନୈତିକ ନୀତିରେ ଫିଟ୍ ନୁହେଁ। କିଛି ଶୁଭେଚ୍ଛୁ ତାଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସେ କେବେହେଲେ ଭାରତୀୟ ଜନତା ପାର୍ଟି ସହିତ ମେଣ୍ଟ କରିବେ ନାହିଁ।

ଆମ ମଧ୍ୟରୁ କିଛି (ଅଜିତ ପାଓ୍ୱାରଙ୍କ ନେତୃତ୍ୱାଧୀନ ଏନସିପି ଗୋଷ୍ଠୀ) ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆମ ଆଭିମୁଖ୍ୟରେ କିଛି ପରିବର୍ତ୍ତନ ଆସିପାରେ କି ନାହିଁ ତାହା ଦେଖିବା ପାଇଁ ଆମର କିଛି ଶୁଭେଚ୍ଛୁ ଚେଷ୍ଟା କରୁଛନ୍ତି। ସେଥିପାଇଁ ସେମାନେ ଆମ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ନା ନ ନେଇ ଶରଦ କହିଛନ୍ତି।

ମହାରାଷ୍ଟ୍ରରେ ଶିବସେନା-ବିଜେପି ସରକାରରେ ସାମିଲ ଥିବା ତାଙ୍କ ପୁତୁରା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କ ସହ ଶନିବାର ପୁଣେରେ ତାଙ୍କର ‘ଗୁପ୍ତ’ ବୈଠକ ବିଷୟରେ ପଚରାଯିବାରୁ ବରିଷ୍ଠ ପାଓ୍ୱାର କହିଛନ୍ତି, ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ସେ ମୋର ପୁତୁରା। ମୋର ପୁତୁରାକୁ ଭେଟିବାରେ କ’ଣ ଭୁଲ୍ ଅଛି? ଯଦି ପରିବାରର ଜଣେ ବରିଷ୍ଠ ବ୍ୟକ୍ତି ଅନ୍ୟ ଜଣେ ସଦସ୍ୟଙ୍କୁ ଭେଟିବାକୁ ଚାହୁଁଛନ୍ତି, ତେବେ ଏଥିରେ କୌଣସି ଅସୁବିଧା ନାହିଁ। ଏନସିପି ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ ଲୋକମାନେ ମହା ବିକାଶ ଅଘାଡିକୁ ରାଜ୍ୟର ଶାସନ ଭାର ହସ୍ତାନ୍ତର କରିବେ କଂଗ୍ରେସ, ଏନସିପି (ଶରଦ ପାଓ୍ୱାର ଗ୍ରୁପ୍), ଶିବସେନା (ୟୁବିଟି)କୁ ନେଇ ଗଠିତ ହୋଇଛି।

Comments are closed.