Latest Odisha News

BREAKING NEWS

ଛୁଟିଲା ‘ଫୁଲ’ଙ୍କ ମହକ : ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ୍‌ ଦଳର ହେଲେ ଉପଅଧିନାୟିକା

ବାଲେଶ୍ବର: ଅନେକ ସମୟରେ ଅଭିଶାପ ବି ଆଶୀର୍ବାଦ ପରି ସଫଳତା ଆଡକୁ ବାଟ କଢାଇ ନେଇଥାଏ  । ଠିକ ଫୁଲଙ୍କ ପରି ।  ପିଲାଦିନେ ଗୋଟିଏ ଆଖି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା। ମର୍ମାହତ ଭଗ୍ନ ହୃଦୟ ଭିତରେ ବିଧି ଲିଖିତ ସଂଯୋଗ ଓ ବ୍ୟାକୁଳ ମନର ମନ୍ଥନରୁ ଜନ୍ମ ନେଇଥିଲା ଏକ ଅଦ୍ଵିତୀୟ ସ୍ବପ୍ନ  ଯାହାକି ରାତିର ନିଦ ହଜାଇ ଦେଇଥିଲା । ସେହି ସ୍ବପ୍ନ ଆଜି ସାକାର ହୋଇଛି। ଗାଁ ଧୂଳିମାଟିରେ ବଢ଼ିଥିବା ଗରିବ ଦିବ୍ୟାଙ୍ଗ ଝିଅଟିଏ ନିଜର ଅଗାଧ ପରିଶ୍ରମ ଓ ନିଷ୍ଠା ବଳରେ ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ୍‌ ଦଳର ଉପଅଧିନାୟିକା ହେବାର ଗୌରବ ଅର୍ଜନ କରିଛନ୍ତି।

ଫୁଲ ସୋରେନ୍‌ ବାଲେଶ୍ବର ସହର ରେମୁଣା ଗୋଲେଇ ନିକଟ ଶାଳବଣି ଗାଁର ଏକ ଅଭାବୀ ପରିବାରର ଝିଅ । ଫୁଲଙ୍କ ବୟସ ଯେତେବେଳେ ୫ ବର୍ଷ, କଣ୍ଢେଇ ତିଆରି ପାଇଁ ବାଉଁଶ କାଠି ଭାଙ୍ଗୁଥିବା ବେଳେ ଆଘାତପ୍ରାପ୍ତ ହୋଇ ଗୋଟିଏ ଆଖି ନଷ୍ଟ ହୋଇଯାଇଥିଲା। ଦାରିଦ୍ର୍ୟର ସୀମାରେଖା ଡେଇଁ ଓ ଆର୍ଥିକ ଅଭାବ ଅନାଟନକୁ ଆଡେଇ ଫୁଲଙ୍କ ଚିକିତ୍ସା କରିବା ତାଙ୍କ ପରିବାର ପକ୍ଷେ ସମ୍ଭବ ନ ଥିଲା । ଆଖି ହରାଇ ସନ୍ତାପ ଭିତରେ ଥିବା ଫୁଲ ଭିନ୍ନ କିଛି କରିବା ପାଇଁ ସୁଯୋଗ ଖୋଜୁଥିଲେ। ଏମିତି ସମୟରେ ଜଣେ ଶିକ୍ଷକ ଦେବଦୂତ ସାଜି ତାଙ୍କୁ ବାଲେଶ୍ବର ରାଣୀପାଟଣାସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ନାମ ଲେଖାଇଦେଲେ। ବାସ୍ ସେଇଠୁ ଏକ ନୂଆ ଜୀବନର ଅୟମାରମ୍ଭ ହେଲା। ପାଠପଢ଼ା ସହ କ୍ରିକେଟ୍‌ ଖେଳ ପ୍ରତି ଫୁଲଙ୍କର ରୁଚି ଥିଲା। ଖେଳ ରୁଚିର ମାୟାରେ ସେ ସ୍ବପ୍ନ ଦେଖିବାକୁ ଲାଗିଲେ  ଦିନେ ଭାରତୀୟ ଦଳରେ ଖେଳିବେ। କ୍ରିକେଟ୍‌ ପ୍ରତି ପ୍ରଚଣ୍ଡ ଆଗ୍ରହ ଦେଖି ଖେଳ ଶିକ୍ଷକ ପ୍ୟାରୀମୋହନ ଭୂୟାଁ ତାଙ୍କୁ ‌ପ୍ରଶିକ୍ଷଣ ଦେବା ଆରମ୍ଭ କରିଦେଲେ ।

ଭଲ ଖେଳୁଥିବାରୁ ଫୁଲଙ୍କୁ କେବଳ ବାଲେଶ୍ବର ଦୃଷ୍ଟିବାଧିତ କ୍ରିକେଟ୍‌ ଦଳରେ ଖେଳିବାର ସୁଯୋଗ ମିଳିଲା ।  ସେତିକି ନୁହେଁ ବରଂ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ୍‌ ଦଳରୁ ବି ତାଙ୍କୁ ଡାକରା ଆସିଲା  । ଏହା ପରଠାରୁ ସେ ଆଉ ପଛକୁ ଚାହିଁନାହାନ୍ତି। ଓଡ଼ିଶା ଦଳରେ ୩ ବର୍ଷ ଖେଳିବା ଭିତରେ ନିଜର ଦକ୍ଷତା ଯୋଗୁଁ ଫୁଲ ଗତବର୍ଷ ଅଧିନାୟିକା ପଦ ସମ୍ଭାଳିବା ସହ ଜାତୀୟ କ୍ରିକେଟ୍‌ କ୍ୟାମ୍ପ୍‌ ପାଇଁ ମନୋନୀତ ହୋଇଥିଲେ। କ୍ୟାମ୍ପ୍‌ରେ ଦକ୍ଷତାର ଭରପୂର ଉପଯୋଗ କରି ଉଭୟ ବ୍ୟାଟ୍‌ ଓ ବଲ୍‌ରେ କମାଲ୍‌ ଦେଖାଇବା ସହିତ ସେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫୁଲଙ୍କ ଭିତରେ ପ୍ରଚଣ୍ଡ ପ୍ରତିଭା ଦେଖି ଚୟନକର୍ତ୍ତା ତାଙ୍କୁ ଟିମ୍‌ ଇଣ୍ଡିଆ ପାଇଁ ମନୋନୀତ କରିବା ସହିତ ଦଳର ଉପଅଧିନାୟିକା ଦାୟିତ୍ବ ମଧ୍ୟ ସମର୍ପି ଦେଲେ। ଚଳିତ ମାସ ୧୮ରୁ ୨୭ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡର ବର୍ମିଂହାମ୍‌ଠାରେ ଆଇଏସ୍‌ବିଏ ଦୃଷ୍ଟିବାଧିତ ବିଶ୍ବକପ୍ କ୍ରିକେଟ୍‌ ଆୟୋଜିତ ହେଉଥିବା ବେଳେ ଅଧିନାୟିକା ବର୍ଷା ଉମାପାଠୀ ଓ ଉପଅଧିନାୟିକା ଫୁଲ ସୋରେନ୍‌ଙ୍କ ନେତୃତ୍ବରେ ଭାରତୀୟ ଦଳ ଅଂଶଗ୍ରହଣ କରିବ।

ଫୁଲଙ୍କ ପରିବାର କହିଲେ, ବାପା ସୁନା ସୋରେନ୍‌ ଓ ୩ ଜଣ ଭାଇଭଉଣୀ  । ମାଆ ଡେଗେ ସୋରେନ୍‌ ୨୦୨୨  ଜୁନ୍‌ରେ ଆରପାରିକୁ ଚାଲିଯାଇଛନ୍ତି । ବାପା ଚାଷ କରୁଥିବା ବେଳେ ଦୁଇ ଭାଇ; ମେଘରାଇ ସୋରେନ୍‌, ଦୁର୍ଗା ସୋରେନ୍‌ ଓ ଭଉଣୀ କାର୍ମି ସୋରେନ୍‌ ମୂଲମଜୁରି ଓ ପର ଘରେ ପାଇଟି କରି ଚଳୁଛନ୍ତି।

ସୂଚନା ମୁତାବକ ଫୁଲ ତାଙ୍କ ନିଜ ସଫଳତାର ଶ୍ରେୟ ପରିବାର ସଦସ୍ୟ, ଦୃଷ୍ଟିହୀନ ବିଦ୍ୟାଳୟର ଅଧ୍ୟକ୍ଷ ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦେଇଥିବା ବେଳେ ମହେନ୍ଦ୍ର ସିଂହ ଧୋନୀ ଓ ଶେଫାଳି ବର୍ମାଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଛନ୍ତି । ତେବେ ଫୁଲ ଦେଖିଥିବା ସ୍ବପ୍ନ ସବୁ ପୂରା ହୋଇଛି । ତାଙ୍କର ସଫଳତା ପାଇଁ ସାରା ଓଡିଶା ଆଜି ଗର୍ବିତ ।

Comments are closed.