ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
କାହାର ସଂଗଲାଭ ପାଇଁ
ମୁଁ ଯେଣୁ ଇଚ୍ଛା କରେଁନାହିଁ
ନିଜ କାମରେ ରହି ଲିପ୍ତ
ହୁଏଁ ମୁଁ ସର୍ବାଧିକ ତୃପ୍ତ
ଏ ତୃପ୍ତି ପାଇବା ସକାଶେ
ସ୍ବେଚ୍ଛାରେ ଉଠେଁ ଆଉ ବସେଁ
ଗୋଷ୍ଠୀରେ ହୁଏଁନାହିଁ ଯୋଡ଼ି
କେହି ବି ପାରଂତିନି ତଡ଼ି
କେହି କହିଲେ କଥା ରଡ଼ି
ତା’ପାଶେ ପୁଣି ମୁଁ ବାହୁଡ଼ି
ହେବାକୁ ଆଉ ଥରେ ଯୋଡ଼ି
ନ ହୋଇ, ଯାଏଁ ଦୂରେ ଉଡ଼ି
ଏକଦା ଭାଷା ସଂଗଠନ
ଆଡ଼କୁ ଢଳିଥିଲା ମନ
ମୋର କାମର ଫଳାଫଳ
ପାଇଲେ ମୁଖ୍ୟ କର୍ତା ଦଳ
ମୁଁ କଲି ମୁଖ୍ୟ କାମମାନ
ସେମାନେ କଲେ ଉଦ୍ଘାଟନ
ଅଥବା ବହି ଉନ୍ମୋଚନ
କ୍ରମେ ମୁଁ ହେଲି ଅପ୍ରଧାନ
ଯେ ସେଠି ଲଗାଇଲେ ବିତ୍ତ
ବଢ଼ିଲା ତାଂକର ଗୁରୁତ୍ବ
କୃତି ନ ଥିଲେ ବି ସ୍ବୀକୃତି
ତାହାଂକୁ ଦେଲେ ସବୁ ବ୍ୟକ୍ତି
ସ୍ବଗୃହ ଛାଡ଼ି, ସେଠି ପଡ଼ି
ରହି ଲେଖିଲି ଯେତେ ଧାଡ଼ି
ତାହାର କୌଣସି ପ୍ରଭାବ
କେହି କଲେନି ଅନୁଭବ
ଅନ୍ୟକୁ କରିବାକୁ ଖୁସି
କାହା ସହିତ ମିଳିମିଶି
କରିନି ନିଜତ୍ବ ବର୍ଜନ
ଅଥବା ଦାସତ୍ବ ବରଣ
ତେଣୁ ମୁଁ ହୋଇ ସଂଘଛଡ଼ା
ରହୁଛିଁ ନେଇ ଘର ଭଡ଼ା
ଅଧିକ ଧାଆଁ ଓ ଦଉଡ଼ା
ଏବେ ପଡ଼ୁନି ଆଉ ଲୋଡ଼ା
ରହୁଛିଁ ନିଜର ସହିତ
ତେଣୁ ହୋଇଛିଁ ସ୍ଥିରଚିତ୍ତ
ହାତକୁ ଆସୁନାହିଁ ବିତ୍ତ
ତେବେ ବି ନୁହେଁ ଭୟାକ୍ରାଂତ
ପହଂଚିଗଲେ ସବା ତଳେ
ଯାହା କରିଲେ ତାହା ଚଳେ
ଏବେ ହୋଇ ମୁଁ ସ୍ବେଚ୍ଛାଧୀନ
ବିତାଏଁ ଏକାଂତ ଜୀବନ
ଗୋଟେ ମନକୁ ଅନ୍ୟ ମନ
ଚେଷ୍ଟା କଲେ ବି ଘନଘନ
କେବେ ବି ପାରିନି ମନାଇ
ଏ କଥା ଦେଉଛିଁ ଜଣାଇ
ନିଜେ ନିଜ ମନକୁ ବୁଝି
ମନାଇବାକୁ ହେଲେ ରାଜି
ସ୍ବମନ ହେବ ପରିଚ୍ଛନ୍ନ
ସୁଂଦର ଲାଗିବ ଜୀବନ
Comments are closed.