Latest Odisha News

BREAKING NEWS

ସୌମ୍ୟ ହତ୍ୟା ମାମଲାରେ ମିଳିନି ଭିଡ଼ ହିଂସାର ପ୍ରମାଣ: କ୍ରାଇମବ୍ରାଞ୍ଚ ଡିଜି

ଭୁବନେଶ୍ୱର: ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ନେଇ ଏବେ ବାଲିଅନ୍ତା ଥାନା ପୋଲିସ କାଠଗଡ଼ାରେ। ଏହା ଏକ ସ୍ପଷ୍ଟ ମବ୍ ଲିଞ୍ଚିଂ ବା ଗୋଷ୍ଠୀବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହେଉଥିବା ବେଳେ, ଏହାକୁ ନେଇ କ୍ରାଇମବ୍ରାଞ୍ଚ ଡିଜିଙ୍କର ପ୍ରତିକ୍ରିୟା ଆସିଛି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି, ଘଟଣାରେ ଦୁଇ ମାମଲା ରୁଜୁ କରାଯାଇଛି, କିନ୍ତୁ ଏହି ମାମଲାରେ ଲାଗିନାହିଁ ମବ୍ ଲିଞ୍ଚିଂ ଧାରା। ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି।

କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି, ବାଲିଅନ୍ତା ବର୍ବରତା ସମୟରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଅପରାଧି ଭାବିବା ଠିକ୍ ନୁହେଁ। ଘଟଣାକୁ ମଧ୍ୟ ଭିଡ଼ ହିଂସା କହିହେବ ନାହିଁ। ସୌମ୍ୟ ହତ୍ୟା ମାମଲା ସେଭଳି କିଛି ତଥ୍ୟ ମିଳିନାହିଁ। ଜାତି, ଧର୍ମ, ସମ୍ପ୍ରଦାୟ ଆଧାରରେ ୫ରୁ ଅଧିକଙ୍କ ସଂପୃକ୍ତି ଥିଲେ ଭିଡ ହିଂସା ଧାରା ଲାଗେ। ଗୁଣି ଗାରେଡି ଜନିତ ହିଂସା ମାମଲାରେ ମଧ୍ୟ ଏଭଳି ଦଫା ଲାଗାଯାଏ। କିନ୍ତୁ ଏହି ପରିସ୍ଥିତିରେ ଏଭଳି କିଛି ହୋଇ ନଥିବାରୁ ଭିଡ଼ ହିଂସା ଧାରା ଲାଗିନି। ଯଦି ତଦନ୍ତ ବେଳେ ସେଭଳି ପ୍ରମାଣ ମିଳେ, ତେବେ ଅଭିଯୁକ୍ତଙ୍କ ଉପରେ ଭିଡ଼ ହିଂସା ଭଳି ଦଫା ଲାଗିବ ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି।

ତେବେ ମବ୍ ଲିଞ୍ଚିଂ ଧାରା ଲାଗୁ କି ନଲାଗୁ ହତ୍ୟା ପାଇଁ ଦଣ୍ଡବିଧାନ ସମାନ ରହିବ ବୋଲି ସେ କହିଛନ୍ତି। ଯେଉଁମାନେ ଘଟଣାସ୍ଥଳରେ ଥିଲେ ସମସ୍ତେ ଯେ ମବ୍ ଲିଞ୍ଚିଂ କରିଛନ୍ତି ତାହା କହିବା ବି ଠିକ ନୁହେଁ ବୋଲି ସେ କହିଛନ୍ତି। ତଦନ୍ତ ଆଧାରରେ ଦଣ୍ଡ ଦିଆଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି। ଆଜି ଟିମ୍ ଘଟଣାସ୍ଥଳକୁ ଯାଇ ପ୍ରତ୍ୟକ୍ଷଦର୍ଶୀ ଓ ମୃତ ସୌମ୍ୟଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିବ। ଏହା ପୂର୍ବରୁ ବାଲିଅନ୍ତା ଥାନା ପୋଲିସଠାରୁ ତଦନ୍ତକାରୀ ଅଧିକାରୀ ‘ଭିଡ଼ ହତ୍ୟା’ର ଟିକିନିଖି ତଥ୍ୟ ସଂଗ୍ରହ କରିଛନ୍ତି। କିଛି ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ବାକି କିଛି ପ୍ରତ୍ୟକ୍ଷଦର୍ଶୀ ଓ ସୌମ୍ୟଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିବ କ୍ରାଇମବ୍ରାଞ୍ଚ। ସେହିପରି ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଓ ଫରେନସିକ୍ ରିପୋର୍ଟର ତର୍ଜମା ଚାଲିଛି। ସୋସିଆଲ ମିଡିଆ ତଥ୍ୟକୁ ମଧ୍ୟ ତର୍ଜମା କରାଯାଉଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ୍ ଡିଜି ବିନୟ ତୋଷ ମିଶ୍ର ।

Leave A Reply

Your email address will not be published.