ଭୁବନେଶ୍ୱର: ଚାଞ୍ଚଲ୍ୟକର କଥା କହିଛନ୍ତି ମୃତ ସୌମ୍ୟଙ୍କ ମାମୁଁ । ଓଡ଼ିଶା ବାହାରେ ରହୁଥିବା ସୌମ୍ୟଙ୍କ ମାମୁ ଲମ୍ବୋଦର ଦାସ ଏକ ଭିଡିଓ ଜାରି କରି ଏଡିଜିଙ୍କ ବିରୋଧରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ମୋ’ ଭଣଜାକୁ ବ୍ୟକ୍ତିଗତ କାମରେ ରାଜ୍ୟ ପୋଲିସର ଜଣେ ଏଡିଜି ବ୍ୟବହାର କରୁଥିଲେ । ଦିନକୁ ଦୁଇ ଥର ମୋ ଭଣଜା ଦ୍ବାରା ଗୋଡ ମୋଡଉ ଥିଲେ ।
ଏ ସମ୍ପର୍କରେ ସୌମ୍ୟ ନିଜେ ମତେ ସବୁ କହିଛି । ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । ଯାହାକୁ ସେ ଆଉ ସହ୍ୟ କରିପାରିନଥିଲେ । ଏପରିକି ଏଡିଜି ତାଙ୍କର ଜଣେ କ୍ଲାସ୍ ୱାନ୍ ଠିକାଦାର ସାଙ୍ଗ ପାଇଁ ଜିମ୍ କରିବାକୁ କହିଥିଲେ । ତାହା ମଧ୍ୟ ଭଣଜା ସୌମ୍ୟ କଲା । ମାତ୍ର ତାର ଟଙ୍କା ଦେଲେ ନାହିଁ । ତେଣୁ ଗଲା ଏକ ମାସେ ହେବ ସେ ଏଡିଜିଙ୍କ ଗୋଡ଼ ମୋଡ଼ା କାମ ଛାଡ଼ିଦେଇ ଜିଆର୍ପିରେ ଆସି କାମ କରୁଥିଲା ।
ହେଲେ ଏଥିରେ ଏଡିଜି ପ୍ରତିଶୋଧ ପରାୟଣ ହୋଇ ରେଳବାଇ ଏସପିଙ୍କୁ କହି ସୌମ୍ୟର ଦରମା ବନ୍ଦ କରିଦେଲେ । ଦରମା ବନ୍ଦ ହେବାରୁ ସେ’ ମାନସିକ ସ୍ତରରେ ଅସ୍ଥିର ଥିଲା । ତେଣୁ ଉକ୍ତ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ବିରୋଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି ।
ଏହା ସହ ଗତ ୭ ତାରିଖରେ ଘଟିଥିବା ଘଟଣାର ଉଚ୍ଚସ୍ତରୀୟ ଦାବି କରିଛନ୍ତି ସୌମ୍ୟଙ୍କ ମାମୁଁ । ସେ କହିଛନ୍ତି ଯେ, ସେହି ଦୁଇ ଜଣ ଝିଅ ମିଛ କହୁଛନ୍ତି । ସେଦିନ ଯାହା ଘଟିଲା ସେମାନେ ତାହାକୁ ଅଟକାଇ ପାରିଥାନ୍ତେ । ଯେଉଁ ପିସିଆର୍ କର୍ମଚାରୀ ସେଠାକୁ କଲ୍ ପାଇ ଗଲେ ସ୍ଥିତି ବିଗୁଡ଼ୁଥିବା ଦେଖି ପୋଲିସ ଭିଡ଼କୁ ହଟାଇ ପାରିଥାନ୍ତା । ମାତ୍ର ତାହା କରାଗଲାନି । ଅଯଥାରେ ମୋ’ ଭଣଜାର ଜୀବନ ଗଲା ।