Latest Odisha News

BREAKING NEWS

ସ୍କୁଲ ଶିକ୍ଷା ସହ ଭିତ୍ତିଭୂମି ମଜବୁତ କରିବାକୁ ପ୍ରୟାସ: ୧୪ ସ୍କୁଲକୁ ୧୧ କୋଟି ୬୮ଲକ୍ଷ ମଞ୍ଜୁର କଲା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ

ଭୁବନେଶ୍ବର: ସ୍କୁଲ ଶିକ୍ଷା ସହ ଭିତ୍ତିଭୂମିକୁ ମଜବୁତ କରିବା ଦିଗରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓଡିଶାର ୧୪ଟି ସ୍କୁଲକୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୧ କୋଟି ୬୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି  । ଏ ନେଇ ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି  । ସେଥିମଧ୍ୟରୁ ଅନୁଗୁଳ ହାଣ୍ଡିଧୂଆ ସରକାରୀ ସ୍କୁଲକୁ ୧ କୋଟି ୧୦ ଲକ୍ଷ ,  ଢେଙ୍କାନାଳର ବଜ୍ରନାଥ ବଡଜେନା ହାଇସ୍କୁଲ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି  । ଗତ ଜୁନ ୨୪ ତାରିଖରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ପଢୁଥିବା ତାଳଚେର ସ୍ଥିତ ‘ହାଣ୍ଡିଧୁଆ ପ୍ରାଥମିକ ସରକାରୀ ବିଦ୍ୟାଳୟ’ ସ୍କୁଲକୁ ଗସ୍ତ କରିଥିଲେ । ଏହି ଅବସରରେ ସେ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ କଥା ହେବା ସହିତ ବିଦ୍ୟାଳୟର କାର୍ଯ୍ୟ ଗୁଡିକୁ ଦେଖିବା ସହ ସ୍କୁଲର ବିକାଶ ପାଇଁ ଭାରତ ସରକାର ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ସେହିପରି ଢେଙ୍କାନାଳର ବଜ୍ରନାଥ ବଡଜେନା ହାଇସ୍କୁଲର ପୁରାତନ ଛାତ୍ର ସଂଘର ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଭେଟି ସ୍କୁଲର ଉନ୍ନତିକରଣ ଓ ଆନୁଷଙ୍ଗିକ ସୁବିଧା ପାଇଁ ଅନୁରୋଧ କରିଥିଲେ ।  ତେବେ ଶିକ୍ଷା ମନ୍ତ୍ରଣାଳୟର ସୂଚନା  ଅନୁସାରେ ଏହି ଦୁଇଟି ସ୍କୁଲ ବ୍ୟତୀତ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଷ୍ଟାର୍ସ ଯୋଜନା  ବରଗଡ଼ର ରଣାପ୍ରତାପ ହାଇସ୍କୁଲ ପାଇଁ ୫୪.୧୦ ଲକ୍ଷ,  ଢେଙ୍କାନାଳ ଭୁବନ ବ୍ଲକର ପଞ୍ଚାୟତରାଜ ସରକାରୀ ହାଇସ୍କୁଲ ପାଇଁ ୧ କୋଟି, ଗଜପତି ପାରଳାଖେମୁଣ୍ଡିର ମହେନ୍ଦ୍ରଗିରି ମ୍ୟୁନିସିପାଲଟି ହାଇସ୍କୁଲ ପାଇଁ ୭୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି ।

ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠ ବ୍ଲକର ଜି.ନୂଆ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୫୫ ଲକ୍ଷ, ଜଗତସିଂହପୁର ଜିଲ୍ଲା ନୂଆ ଗାଁ ବ୍ଲକର ଅଲନାହାଟ ହାଇସ୍କୁଲ ପାଇଁ ୭୬ ଲକ୍ଷ, କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ସ୍ଥିତ ସରକାରୀ ବାଳିକା ହାଇସ୍କୁଲ ପାଇଁ ୮୩.୮୦ ଲକ୍ଷ, କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଥିବା ସରକାରୀ ବାଳିକା ହାଇସ୍କୁଲ ପାଇଁ ୫୫.୯୫ ଲକ୍ଷ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଫେଜ୍-୨ ସରକାରୀ ହାଇସ୍କୁଲକୁ ୮୩.୮୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ସୂଚନା ମିଳିଛି ।

ସେହିପରି ମାଲକାନଗିରି ଜିଲ୍ଲା ଖଇରିପୁଟ ବ୍ଲକ ସ୍ଥିତି କାକିରିଗୁମା ହାଇସ୍କୁଲ ପାଇଁ ୫୭ ଲକ୍ଷ, ମୟୂରଭଞ୍ଜ ଜିଲ୍ଲା ଉପରବେଢା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୧ କୋଟି ୧୦ ଲକ୍ଷ ଟଙ୍କା, ବାଙ୍ଗିରିପୋଷି ସ୍ଥିତ ଭୂଆଶୁଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୧କୋଟି ୫ ଲକ୍ଷ , ରାୟଗଡା ଜିଲ୍ଲା ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ ପାଇଁ ୫୬.୮୫ କୋଟି ଟଙ୍କା ପ୍ରଦାନ କରାଯାଇଛି  । ତେବେ ଏସବୁ ଅର୍ଥରେ ସ୍କୁଲର ଭିତ୍ତିଭୂମି , ସ୍ମାର୍ଟ ଶ୍ରେଣୀଗୃହ, ଶୌଚାଳୟ , ପାନୀୟ ଜଳ, ଖେଳ ପଡିଆ , ରୋଷେଇ ଘରର ଉନ୍ନତି ପାଇଁ ଖର୍ଚ୍ଚ କରାଯିବ  ।

 

Comments are closed.