ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା
ବାସନ୍ତୀ ଦାସଙ୍କ ଆତ୍ମଜୀବନୀ “ଷଠୀରୁ ଷାଠିଏ” ଏକ ସୂକ୍ଷ୍ମ ଆକଳନ
ପ୍ରଥମ ପ୍ରକାଶ ‐ ୨୦୨୩
ପ୍ରକାଶକ ‐ ଶିଳାଶ୍ରୀ ପବ୍ଲିକେଶନ୍ସ, ଭୀମଟାଙ୍ଗି, ଭୁବନେଶ୍ବର
ଯୋଗାଯୋଗ ‐ ୯୮୫୩୯୯୩୯୯୩
ପୃଷ୍ଠା ‐ ୨୦୮, ମୂଲ୍ୟ ‐ ଟ.୨୫୦/- ମାତ୍ର
ଜୀବନରେ ବେଶ୍ କିଛି ବାଟ ଆଗକୁ ଗଲାପରେ ପଛକୁ ଫେରି ଚାହିଁବାକୁ ଇଚ୍ଛା ହୁଏ । ଅତୀତକୁ ଘାଣ୍ଟିବାକୁ ମନହୁଏ । ମନସ୍ତତ୍ତ୍ବଜ୍ଞଗଣ କୁହନ୍ତି ଅତୀତକୁ ବାରମ୍ବାର ମନେ ପକେଇଲେ ହାତ ପାହାନ୍ତାରେ ଯାହା ମିଳେ ତା’ ହେଉଛି ଗୁଡାଏ ଦୁଃଖ ଓ ଶୋଚନା । କିନ୍ତୁ ଥରେ ଚିନ୍ତା କଲେ ଅତୀତ ବିନା ବର୍ତ୍ତମାନର ସ୍ଥିତି ନାହିଁ କି ଏକ ଉଜ୍ଜଳ ଭବିଷ୍ୟତର ପରିକଳ୍ପନା କରିହୁଏ ନାହିଁ । ଠକି ଶିଖିଲେ ହିଁ ଠେକି ହୁଏ । ଅତୀତଟା ଠିକ୍ ପଛେପଛେ କା’ ଭଳି ଗୋଡେଇଥାଏ । ବାରମ୍ବାର ଚେତେଇଦିଏ । କେବେ ହସାଏ କେବେ କନ୍ଦାଏ, କେବେ ନଚାଏ ତ କେବେ ଗୁମ୍ ମାରି ବସିଯାଏ । କଣ୍ଟାର ରୁକ୍ଷତା ନଥିଲେ ଯେମିତି ଫୁଲର ସ୍ନିଗ୍ଧତା ଓ କୋମଳତାକୁ ମାପି ହୁଏନି ସେହିପରି ସଂଘର୍ଷ ବିନା ଜୀବନର ସୁଆଦ କାହିଁ ! ଜଣକର ଜୀବନୀ କେବଳ ତା’ ନିଜର ନୁହେଁ, ତାକୁ ପୁଷ୍ଟ କରିବାପାଇଁ ସେଥିରେ ସମୟାନ୍ତରେ ଆହୁରି କେତେ ଚରିତ୍ର ଯୋଗ ଦିଅନ୍ତି । ସେମାନଙ୍କ କଥା ଲେଖି ବସିଲେ ଜୀବନ ବିତିଯାଏ ହେଲେ ଲେଖା ସରେନି । ସାହିତ୍ୟରେ ଆତ୍ମଜୀବନୀ ଏପରି ଏକ ବିଭାଗ ଯେଉଁଥିରେ ଏକା ସମୟରେ ବ୍ୟକ୍ତି, ସମାଜ ଓ ଜାତି ଚରିତ୍ର କାନଭାସରେ ରୂପ ନିଅନ୍ତି । ଗଳ୍ପ, ଉପନ୍ୟାସ ଭଳି ଏହା ମଧ୍ୟ ଏକ ସୁଖପାଠ୍ୟ ବିଭାଗ । ସୁଖର କଥା ଓଡିଆ ସାହିତ୍ୟରେ ଏ ବିଭାଗଟି ବେଳକୁବେଳ ଖୁବ୍ ସମୃଦ୍ଧ ହୋଇଚାଲିଛି । ସମାଜର ବିଭିନ୍ନ ସ୍ତରରେ ସଫଳତାର ଶୀର୍ଷ ଛୁଇଁଥିବା ଅନେକ ବ୍ୟକ୍ତି ସେମାନଙ୍କ ଜୀବନ କାହାଣୀକୁ ବେଶ୍ ଆକର୍ଷଣୀୟ ଭଙ୍ଗୀରେ ଉପସ୍ଥାପନ କରି ଯାଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି କବି, ଲେଖକ, ରାଜନୀତିଜ୍ଞ, ଶିକ୍ଷକ, ଯନ୍ତ୍ରୀ, ସମାଜସେବୀ, ଅଭିନେତା ତଥା କିଛି ସାଧାରଣ ଚରିତ୍ର । ନିଜ ଜୀବନର ନାନାଦି ଘଟଣା ଦୁର୍ଘଟଣାକୁ ଏମାନେ ଅକୃତ୍ରିମ ଢଙ୍ଗରେ ଲେଖି ଯାଇଛନ୍ତି । ଅବଶ୍ୟ ସତ୍ୟ ପରିବେଷଣରେ ଯେଉଁ ସ୍ଥାନରେ ଛଳନାକୁ ମାଧ୍ୟମ କରାଯାଇଛି ସେଇଠି ଉଦ୍ଦେଶ୍ୟ ଧରାଶାୟୀ ହୋଇଛି । କିନ୍ତୁ ସ୍ରଷ୍ଟା ଯେଉଁଠି ନିର୍ଭୀକ ଭାବେ ସତ୍ୟକୁ ଉପସ୍ଥାପନ କରିଛି ସେଠି ସୃଷ୍ଟି କାଳଜୟୀ ହୋଇପାରିଛି । ସେହି କ୍ରମରେ କବୟିତ୍ରୀ ବାସନ୍ତୀ ଦାସଙ୍କ ସଂଘର୍ଷ, ସଙ୍କଳ୍ପ ଓ ସଫଳତାର ପ୍ରତିଶ୍ରୁତି ”ଷଠୀରୁ ଷାଠିଏ” ଏକ ଉଲ୍ଲେଖନୀୟ କୃତି ।
ଜୀବନ ଯେ ଫୁଲର ଶଯ୍ୟା ନୁହେଁ ଏକଥା ଶ୍ରୀମତୀ ଦାସଙ୍କ ଜୀବନୀରୁ ପୁନଃ ପ୍ରମାଣିତ । ଗୋଟିଏ ସାଧାରଣ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଲାଭ କରିଥିବା ୫ଟି ଝିଅ ଯେଉଁଠି ସାଇ ପଡ଼ିଶା, ବନ୍ଧୁବାନ୍ଧବଙ୍କ ଆକଟ ଓ ଆଡଆଖି କିଛି କମ୍ ନୁହେଁ ସେଠି ଶ୍ରୀମତୀ ଦାସ ନିଜ ଉଚ୍ଚାଭିଳାଷକୁ ପୂର୍ଣ୍ଣ କରିବା ପାଇଁ ବଦ୍ଧ ପରିକର ହୁଅନ୍ତି । ମଫସଲ ଅଞ୍ଚଳରେ ଯେଉଁଠି ଭଲକରି ଗଣ୍ଡେ ଖାଇବା ଓ ପିନ୍ଧିବା ସ୍ବପ୍ନ ସେଠି ପାଠ କଥା କିଏ ପଚାରେ ! କିନ୍ତୁ ଗଭୀର ଆତ୍ମବିଶ୍ବାସ ଆଗରେ ସବୁ ପ୍ରତିବନ୍ଧକ ହାର୍ ମାନେ । ଲେଖିକାଙ୍କ କ୍ଷେତ୍ରରେ ମଧ୍ୟ ଠିକ୍ ସେୟା । ପ୍ରଥମରୁ ଆଧୁନିକ ଚିନ୍ତାଧାରା ସଂପନ୍ନା ଶ୍ରୀମତୀ ଦାସ କ୍ରମେ ସମସ୍ତ ପ୍ରକାର ସଂକଟକୁ ନିଜ ଦୃଢ଼ ଇଚ୍ଛାଶକ୍ତି ବଳରେ ପରାଜିତ କରି ଶିକ୍ଷାର ଆଲୋକ ସନ୍ଦର୍ଶନ କରନ୍ତି । ଖାଲି ସେତିକି ନୁହେଁ ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ମଧ୍ୟ ଆରମ୍ଭ କରିଦିଅନ୍ତି ପ୍ରଚେଷ୍ଟା । ତତ୍କାଳୀନ ଗ୍ରାମ୍ୟ ପରିବେଶ ଓ ନିମ୍ନ ମଧ୍ୟବିତ୍ତ ପରିବାରର ଏକ ମନୋଜ୍ଞ ଚିତ୍ର ପାଠକ ଏଥିରୁ ପାଇପାରିବ । ସର୍ବୋପରି ନାରୀ ଶିକ୍ଷା, ଆତ୍ମନିର୍ଭଶୀଳତା ଭଳି ପ୍ରଗତିଶୀଳ ଚିନ୍ତାଧାରା ସଂପନ୍ନା ଶ୍ରୀମତୀ ଦାସଙ୍କ ପାଠପଢା ଦିନଗୁଡିକର ସଂଘର୍ଷ ମର୍ମେମର୍ମେ ଅନୁଭବ କରିହୁଏ ।
କିଛି ନୂଆ କରିବା ପାଇଁ ଯେବେ ଲେଖିକା ଭୁବନେଶ୍ବରରେ ପାଦ ଦିଅନ୍ତି ଜୀବନ ପୃଷ୍ଠାରେ ଆଉ କିଛି ଫର୍ଦ୍ଦ ଯୋଡାହୁଏ । ନିଜ ବିପର୍ଯ୍ୟସ୍ତ ଦାମ୍ପତ୍ୟ ଜୀବନକୁ ସଜାଡୁ ସଜାଡୁ ତାଙ୍କ ଆଗରେ ଉଭା ହୁଏ ଅନେକ ସମସ୍ୟା ଓ ପ୍ରତିବନ୍ଧକ । ଜିତୁଜିତୁ ହାରିଯାଇଥିବା ମଣିଷଟେ ଯେବେ ପୁଣି ସବୁ ଅତୀତକୁ ପଛରେ ପକାଇ ଜିତିବା ଆରମ୍ଭ କରେ ସେତେବେଳେ ବଦଳିଯାଏ ଜୀବନର ଗତିପଥ ଆଉ ତା’ ସହିତ ସାମାଜିକ ଦୃଷ୍ଟିଭଙ୍ଗୀ । ଶିଳାଶ୍ରୀ ପତ୍ରିକା ସହିତ ପୁସ୍ତକ ପ୍ରକାଶନ, ସାହିତ୍ୟ ସଂଗଠିକା ତଥା ଜଣେ କବୟିତ୍ରୀ ଭାବେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ବହୁ ନୂତନ ସ୍ରଷ୍ଟାମାନଙ୍କ ସୃଷ୍ଟିକୁ ଲୋକଲୋଚନକୁ ଆଣି ସାହିତ୍ୟ ଜଗତରେ ଅନୁକରଣୀୟ ଉଦାହରଣ ସୃଷ୍ଟି କରିପାରିଛନ୍ତି । ‘ଷଠୀରୁ ଷାଠିଏ’ କେବଳ କବି ବାସନ୍ତୀ ଦାସଙ୍କ ଆତ୍ମଲିପି ନୁହେଁ ବରଂ ତାଙ୍କ ଷାଠିଏ ବର୍ଷ ପୂର୍ତ୍ତି ଉପଲକ୍ଷେ ତାଙ୍କ ସଂସ୍ସର୍ଶରେ ଆସିଥିବା ଅନେକ ବରେଣ୍ୟ ବ୍ୟକ୍ତିମାନଙ୍କ ବ୍ୟକ୍ତିଗତ ଅନୁଭୂତିର ମନୋଜ୍ଞ ସମାହାର । ଯେଉଁଥିରୁ ତାଙ୍କ କବିତ୍ବ, ବ୍ୟକ୍ତିତ୍ବ ତଥା ସମକାଳୀନ ସାହିତ୍ୟର ସ୍ଥିତି ସଂପର୍କରେ ମଧ୍ୟ ବେଶ୍ କିଛି ବୁଝାପଡେ । ଅତଏବ “ଷଠୀରୁ ଷାଠିଏ” ବିପୁଳ ପାଠକୀୟତା ଲାଭ କରିବାର ଆଶା କରାଯାଏ ।
୭୩୭୭୮୮୯୯୧୬
ନୀଳଚକ୍ର ନଗର
ଅଠରନଳା
ପୁରୀ
Comments are closed.