Latest Odisha News

BREAKING NEWS

ସ୍ଥାୟୀ ଶିକ୍ଷକ ହେବା କାଠିକର! ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ବଢ଼ାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶା ଶିକ୍ଷା ବିଭାଗରେ ଠିକା ନିଯୁକ୍ତି ବ୍ୟବସ୍ଥାର ଅବସାନ ହୋଇଛି ବୋଲି ଘୋଷଣା କରିଥିବା ରାଜ୍ୟ ସରକାର ଏବେ ଏକ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି ଯାହା ତାଙ୍କ ପୂର୍ବ ନିଷ୍ପତ୍ତିର ବିରୋଧାଭାଷ କରୁଥିବା ଭଳି ମନେ ହେଉଛି। ମଙ୍ଗଳବାର ଦିନ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ବିଜ୍ଞପ୍ତିରେ ଚୁକ୍ତିଭିତ୍ତିକ ଶିକ୍ଷକ ବଦଳରେ କନିଷ୍ଠ ଶିକ୍ଷକ (schematic) ନିୟୋଜିତ କରିବା ପାଇଁ ମାର୍ଗଦର୍ଶିକା ନିର୍ଦ୍ଧାରଣ କରାଯାଇଛି। ଅର୍ଥାତ ଏହି ଶିକ୍ଷକମାନଙ୍କୁ ବାର୍ଷିକ ଚୁକ୍ତି ଭିତ୍ତିରେ ନିଯୁକ୍ତି ଦିଆଯିବ। ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଏହି ଶିକ୍ଷକ ପଦବୀ ନିମନ୍ତେ ସିବିଟି ବା କମ୍ପ୍ୟୁଟର ବେସଡ ଟେଷ୍ଟ ପ୍ରଣାଳୀରେ ପରୀକ୍ଷା ଦେବାକୁ ହେବ। ଆଉ ମୈାଳିକ ଶିକ୍ଷାର ପରିଚାଳନା ଦାୟିତ୍ୱ ପର୍ଯାୟକ୍ରମେ ଜିଲ୍ଲା ପରିଷଦଙ୍କୁ ହସ୍ତାନ୍ତର କରାଯିବ। ଏହାର ଅର୍ଥ ଜିଲ୍ଲା ପରିଷଦ ଶିକ୍ଷକ ନିଯୁକ୍ତି କରିବେ।

ଜିଲ୍ଲା ପରିଷଦ ସ୍ତରରେ ଏକ ଚୟନ କମିଟି ଗଠନ କରାଯିବ । ଏହାର ଅଧ୍ୟକ୍ଷ ରହିବେ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଳା ପ୍ରକଳ୍ପ ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରମୁଖ ରହିବେ । ଏହି କନିଷ୍ଠ ଶିକ୍ଷକ ଯୋଜନାବଦ୍ଧ ନାଁରେ ପ୍ରଥମରୁ ଷଷ୍ଠ ଏବଂ ଷଷ୍ଠରୁ ଅଷ୍ଟମ ସ୍କୁଲ ଗୁଡ଼ିକରେ ସମଗ୍ର ଶିକ୍ଷା ଯୋଜନାରେ ଏହି ଶିକ୍ଷକମାନେ ନିଯୁକ୍ତି ପାଇବେ । ବିଭାଗର ଗାଇଡଲାଇନ ଅନୁସାରେ, ରାଜ୍ୟ ସରକାର ଏଲିମେଂଟାରୀ ଶିକ୍ଷା ପରିଚାଳନାକୁ ପର୍ଯ୍ୟାୟକ୍ରମେ ଜିଲ୍ଲା ପରିଷଦ ଓ ଅନ୍ୟ ପଂଚାୟତିରାଜ ଅନୁଷ୍ଠାନକୁ ହସ୍ତାନ୍ତର କରିବାକୁ ନିଷ୍ପତି ନିଆଯାଇଛି ।

ତେବେ ଯେଉଁମାନେ ଏହି ବର୍ଷିକିଆ ନିଯୁକ୍ତି ପାଇବେ ସେମାନେ ପରବର୍ତ୍ତୀ ବର୍ଷଗୁଡ଼ିକରେ ଚୁକ୍ତି ନବୀକରଣ କରିବେ। ଏଥିପାଇଁ ସଂପୃକ୍ତ ଶିକ୍ଷକଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ । ନବୀକରଣ ପୂର୍ବରୁ କନିଷ୍ଠ ଶିକ୍ଷକମାନେ ନିୟମିତ ଉପସ୍ଥାନ ଓ ସନ୍ତୋଷଜନକ ପ୍ରଦର୍ଶନ ଦର୍ଶାଇ ପ୍ରଧାନ ଶିକ୍ଷକଙ୍କ ଠାରୁ ପ୍ରମାଣ ପତ୍ର ପ୍ରଦାନ କରିବା ନିହାତି ଆବଶ୍ୟକ। ଏହି ପ୍ରମାଣପତ୍ରକୁ ଜିଲ୍ଲା ପରିଷଦରେ ଦାଖଲ କରିବା ଆବଶ୍ୟକ।

ସେହିପରି ବ୍ଲକ ଶିକ୍ଷା ଅଧିକାରୀଙ୍କ ପ୍ରତିକୂଳ ରିପୋର୍ଟକୁ ଆଧାର କରି ଚୁକ୍ତିନାମା ସର୍ତ୍ତକୁ ଉଲ୍ଲଙ୍ଘନ କଲେ ଜଣେ କନିଷ୍ଠ ଶିକ୍ଷକଙ୍କୁ ୩୦ ଦିନର ନୋଟିସ୍ ସହ ବରଖାସ୍ତ କରାଯାଇପାରେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏଥିରେ ଅନଧିକାର ଅନୁପସ୍ଥିତି, ଅସଦାଚରଣ, କିମ୍ବା ଅପରାଧିକ ମାମଲାରେ ସମ୍ପୃକ୍ତି ସାମିଲ ରହିଛି।

ବିଶେଷଜ୍ଞମାନେ ଉଲ୍ଲେଖ କରିଛନ୍ତି ଯେ ଏହା ୨୦୧୮ ମସିହାରେ ଶିକ୍ଷା ସହାୟକ ପଦବୀ ଉଚ୍ଛେଦ ଏବଂ ପ୍ରଥମ ତିନି ବର୍ଷ ପାଇଁ କନିଷ୍ଠ ଶିକ୍ଷକ ଭାବେ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନିଯୁକ୍ତି ଦେବାକୁ ସରକାରଙ୍କ ପୂର୍ବ ନିଷ୍ପତ୍ତିର ବିରୋଧାଭାଷ କରୁଛି। ଚଳିତ ବର୍ଷ ଏପ୍ରିଲ ମାସରେ ସରକାର କନିଷ୍ଠ ଶିକ୍ଷକ (କଣ୍ଟ୍ରାକ୍ଚୁଆଲ୍)ରୁ କନିଷ୍ଠ ଶିକ୍ଷକ (ସ୍କିମେଟିକ୍) ନାମ ପରିବର୍ତ୍ତନ କରିଥିଲେ।

ପୂର୍ବରୁ ଠିକା ନିଯୁକ୍ତି ବ୍ୟବସ୍ଥାର ଅବସାନ ଏବଂ ବର୍ତ୍ତମାନର ଠିକା କର୍ମଚାରୀଙ୍କ ସେବା ନିୟମିତ କରିବା ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ ବିଶେଷଜ୍ଞଙ୍କ ମତରେ ଏହି ସଦ୍ୟ ପ୍ରକାଶିତ ବିଜ୍ଞପ୍ତି ସେହି ନିଷ୍ପତ୍ତିଗୁଡ଼ିକୁ ପ୍ରତିହତ କରିବା ଭଳି ମନେ ହେଉଛି।

Comments are closed.