Latest Odisha News

ପରପାରିରେ କବି ଜୟନ୍ତ ମହାପାତ୍ର

କଟକ : ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ପରଲୋକ ଘଟିଛି । ଗତ କଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ନିମୋନିଆରେ ଆକ୍ରାନ୍ତ ହେବା ପରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା।

୧୯୨୮ ମସିହା ଅକ୍ଟୋବର ମାସ ୨୨ତାରିଖ ଦୁର୍ଗାଷ୍ଟମୀ ତିଥିରେ ସେ କଟକଠାରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ନେମୁଏଲ ମହାପାତ୍ର ଓ ମାତାଙ୍କ ନାମ ସୁଧାଂଶୁବାଳା ଦାଶ । ସେ କଟକର ଷ୍ଟିବର୍ଟ ସ୍କୁଲରେ ପଢ଼ା ଆରମ୍ଭ କରି ପରେ ପଦାର୍ଥ ବିଜ୍ଞାନରେ ସ୍ନାତକତ୍ତୋର ହାସଲ କରିଛନ୍ତି। ୧୯୪୯ ମସିହାରେ ସେ ରାଜ୍ୟର ବିଭିନ୍ନ ସରକାରୀ କଲେଜ ଯଥା, ଫକୀରମୋହନ କଲେଜ, ବାଲେଶ୍ୱର , ଗଙ୍ଗାଧର ମେହେର କଲେଜ, ସମ୍ବଲପୁର, ବି. ଜେ.ବି କଲେଜ, ଭୁବନେଶ୍ୱର ଏବଂ ରେଭେନ୍ସା କଲେଜ, କଟକରେ ପଦାର୍ଥ ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟ କରି ୧୯୮୬ରେ ଅବସର ଗ୍ରହଣ କରିଥିଲେ ।

୪୦ ବର୍ଷ ହେବା ପୂର୍ବରୁ ତାଙ୍କର ପ୍ରଥମ କବିତା ପ୍ରକାଶ ପାଇଥିଲା । ତାଙ୍କର ପ୍ରଥମ କବିତା ସଂକଳନ ସ୍ୱୟଂବର ଏବଂ କବିତାସମୂହ ୧୯୭୧ରେ ଏବଂ ପରେ ପରେ ‘କ୍ଲୋଜ ଦି ସ୍କାଇ, ଟେନ ବାଇ ଟେନର ପ୍ରକାଶନ ହୋଇଥିଲା । ତାଙ୍କର କବିତା ଗୁଚ୍ଛ ମଧ୍ୟରୁ ଏ ରେନ ଅଫ ରାଇଟ୍ସ , ଲାଇଫ ସାଇନସ ଏବଂ ଏ ୱାଇଟନେସ ଅଫ ବୋନ ଆଦି ଉଚ୍ଚକୋଟୀର । ପାଠକମାନଙ୍କ ବେଶ ଆଦୃତି ଲାଭ କରିଥିବା ଜୟନ୍ତ ମହାପାତ୍ରଙ୍କ କବିତା ସଂକଳନଟି ହେଉଛି ଦି ଲଙ୍ଗ ପଏମ ରିଲେସନସିପ। ଏହି କବିତା ସଙ୍କଳନ ମଧ୍ୟ ତାଙ୍କୁ ୧୯୮୧ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନ୍ନିତ କରିଥିଲା । କେବଳ ସେତିକି ନୁହେଁ, ସେତେବେଳେ ସେ ମଧ୍ୟ ପ୍ରଥମ ଭାରତୀୟ କବି ଭାବେ ଏହି ସଫଳତା ଅର୍ଜନ କରିଥିଲେ ।

ପାହିନି ରାତି (ଆତ୍ମଜୀବନୀ) ସ୍ୱୟଂବର, ପ୍ରତୀକ୍ଷା, ସମ୍ପର୍କ, ବଳୀ, କହିବି ଗୋଟିଏ କଥା ,ଟିକିଏ ଛାଇ,  ବାୟା ରାଜା,ଯଦି’ବା ଗପ ଟିଏ  ଆଦି ପୁସ୍ତକ ସହ ଇଂରାଜୀ ଭାଷାରେ ଶେଡ଼ୋ ସ୍ପେସ, ବେଆର ଫେସ ଏବଂ ରେଣ୍ଡୋମ ଡିସେଣ୍ଟ ଇତ୍ୟାଦି ସଙ୍କଳନର ସେ ସ୍ରଷ୍ଟା ଥିଲେ । କେବଳ କବିତା ନୁହଁ, ସେ ମଧ୍ୟ ଅନେକ ପ୍ରବନ୍ଧ ରଚନା କରିଛନ୍ତି । କିଛି କ୍ଷୁଦ୍ର ଗଳ୍ପ ଗୁଡିକୁ ନେଇ ସେ ଏକାକୀ ଗ୍ରୀନ ଗାର୍ଡେନର ନାମକ ଏକ ପୁସ୍ତକ ପ୍ରକାଶ କରିଛନ୍ତି । ସମ୍ପାଦନ କ୍ଷେତ୍ରରେ ମଧ୍ୟ ସେ ସଫଳତା ଅର୍ଜନ କରିଥିଲେ । କଟକରୁ ପ୍ରକାଶିତ ହେଉଥିବା ଏକ ସାହିତ୍ୟ ପୁସ୍ତିକା ଚନ୍ଦ୍ରଭାଗାକୁ ସେ ବହୁ ବର୍ଷ ଧରି ସମ୍ପାଦନା କରିଥିଲେ

ସ୍ୱର୍ଗତ ମହାପାତ୍ର ତାଙ୍କର ଅନବଦ୍ୟ ସାହିତ୍ୟ କେଉଁଟି ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ – ୨୦୧୯, ପଦ୍ମଶ୍ରୀ, ୨୦୦୯, କେନ୍ଦ୍ର ସାହିତ୍ୟ ଏକାଡେମୀ, ୧୯୮୧ ଉତ୍କଳ ରତ୍ନ ସମ୍ମାନ, ୨୦୧୪ ସାରଳା ସମ୍ମାନ, ୨୦୧୦ ବିଷୁବ ପୁରସ୍କାର, ୨୦୦୭ ଗଙ୍ଗାଧର ଜାତୀୟ ସମ୍ମାନ, ୧୯୯୪ କହ୍ନେୟାଲାଲ ସେଠିଆ ସମ୍ମାନ – ୨୦୧୭(ଜୟପୁର ସାହିତ୍ୟ ଉତ୍ସବରେ ଜୀବନବ୍ୟାପି ସାହିତ୍ୟକୁ ଅବଦାନ ପାଇଁ),  ଜାକବ ଗ୍ଲାଡଷ୍ଟୋନ ପୁରସ୍କାର(ଆମେରିକୀୟ ପତ୍ରିକା ପୋଏଟ୍ରି ଚିକାଗୋ ତରଫରୁ ପ୍ରଦତ୍ତ),କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ – ୨୦୨୩ (ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରଦତ୍ତ ଆଦି ପୁରସ୍କାର ଓ ସମ୍ମାନରେ ସମ୍ମନିୟତ ହୋଇଥିଲେ ।

ତାଙ୍କ ମୃତ୍ୟୁରେ ଓଡ଼ିଆ ସାହିତ୍ୟ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି ।

Comments are closed.