Latest Odisha News

BREAKING NEWS

ଟ୍ରାଫିକ ନିୟମ ଉଲ୍ଲଂଘନ କରି ଲୋକଙ୍କ ସହ ଯୁକ୍ତିତର୍କ କଲେ ଅତିରିକ୍ତ ଆର୍‌ଟିଓ, ଭିଡିଓ ଭାଇରାଲ

ଗଞ୍ଜାମ: ନୂଆ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବା ପରେ ଚାରିଆଡ଼େ କେବଳ ତା’ରି ଚର୍ଚ୍ଚା । କିଏ କେତେ ଜୋରିମାନା ଦେଲା ଆଉ କିଏ ଖସି ପଳେଇଲା । ଏହି ନୂଆ ନିୟମରେ ଅତିଷ୍ଠ ହୋଇ ସାଧାରଣ ଜନତା ଯେମିତି ଏକରକମ ସଜାଗ ହୋଇ ଯାଇଛନ୍ତି । ପୋଲିସ ସେମାନଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରୁଥିବା ବେଳେ ଯଦି କେଉଁଠି ସରକାରୀ ବାବୁ କି ସରକାରୀ ଗାଡି ଆଇନର ଖିଲାପ କରୁଥିବାର ନଜର ଆସେ ,ସେମାନେ ଆଉ ବିଳମ୍ବ ନକରି ମୋବାଇଲରେ ରେକଡ଼ିଂ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଉଛନ୍ତି ।

ତେବେ ଏହିଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଜଣେ ଅତିରିକ୍ତ ଆର୍‌ଟିଓ ଗାଡ଼ିରେ ଯିବା ବେଳେ ସିଟ୍‌ବେଲ୍‌ଟ୍‌ ନ ବାନ୍ଧିଥିବା ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

ରବିବାର ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଯାଞ୍ଚ କରି ସାରି ଫେରୁଥିବା ବେଳେ ଅତିରିକ୍ତ ଆର୍‌ଟିଓ ଶାନ୍ତନୁ କୁମାର ପରିଡ଼ା ସିଟ୍‌ ବେଲ୍‌ଟ୍‌ ବାନ୍ଧି ନଥିଲେ। ଚମାଖଣ୍ଡି ଛକ ନିକଟରେ କେତେକ ଲୋକ ଏହା ଦେଖି ତାଙ୍କୁ ଅଟକାଇଥିଲେ।

ସେ ଜଣେ ଟ୍ରାଫିକ୍‌ ଅଧିକାରୀ ହୋଇ କେମିତି ନିୟମ ଉଲ୍ଲଂଘନ କରୁଛନ୍ତି ଓ ଜଣେ ସରକାରୀ ଅଧିକାରୀ ହୋଇଥିବାରୁ କ’ଣ ତାଙ୍କ ପାଇଁ ଅଲଗା ଆଇନ ବୋଲି ପ୍ରଶ୍ନ କରିବାରୁ ଲୋକଙ୍କ ସହ ଅତିରିକ୍ତ ଆର୍‌ଟିଓ ଯୁକ୍ତିତର୍କ କରିଥିବା ଭିଡ଼ିଓରେ ସ୍ପଷ୍ଟ ଜାଣି ହେଉଛି ।

Leave A Reply

Your email address will not be published.