Latest Odisha News

BREAKING NEWS

‘ବ୍ଲୁ ଡ୍ରାଗନ୍ ସି ସ୍ଲଗ୍‌’ ଜୀବ ଦେଖିବାକୁ ଯେତିକି ସୁନ୍ଦର ସେତିକ ସାଂଘାତିକ

ଥାଇଲାଣ୍ଡ: ଗଭୀର ସମୁଦ୍ରରେ ଅନେକ ପ୍ରକାର ବିଷାକ୍ତ ଜୀବ ଅଛନ୍ତି । ସେଥିମଧ୍ୟରୁ ବ୍ଲୁ ଡ଼୍ରାଗନ୍ ସି ସ୍ଲଗ୍ ହେଉଛି ଅନ୍ୟତମ । ଏହା ଦେଖିବାକୁ ବହୁତ  ଛୋଟ ହୋଇଥିବା ବେଳେ ଅଧିକ ବିଷାକ୍ତ । ସାଧାରଣତଃ ସନ୍ତରଣକାରୀ ଓ ମତ୍ସ୍ୟଜୀବୀମାନଙ୍କୁ ସେମାନଙ୍କଠାରୁ ଦୂରେଇ ରହିବା ଓ ନ ଛୁଇଁବା ପାଇଁ ଚେତାବନୀ ଦିଆଯାଇଥାଏ । ନିକଟରେ ଥାଇଲାଣ୍ଡର ଏକ ସମୁଦ କୂଳରେ ଏହି ବିଷାକ୍ତ ବ୍ଲୁ ଡ଼୍ରାଗନ୍ ସି ସ୍ଲଗ୍ ଦେଖିବାକୁ ମିଳିଛି । ଯାହାକୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ନିକଟରେ ଥାଇଲ୍ୟାଣ୍ଡର ଫୁକେତର କରୋନ୍ ବିଚ୍ ନିକଟରେ ଏକ ସପ୍ତାହ ଧରି ପ୍ରବଳ ପବନ ବୋହିବା ସହ ଉଚ୍ଚ ଜୁଆର ଦେଖାଦେଇଥିଲା । ଉଚ୍ଚ ଜୁଆର ଯୋଗୁ ଗଭୀର ସମୁଦ୍ରରୁ ‘ବ୍ଲୁ ଡ୍ରାଗନ୍ ସି ସ୍ଲଗ୍‌’ କୂଳକୁ ଚାଲି ଆସିଥିଲେ । ଏହାର କିଛି ଫଟୋ ଫେସବୁକ୍ ପେଜ୍ ମନସୁନ୍ ଗାବେଜ୍ ଥାଇଲ୍ୟାଣ୍ଡରେ ସେୟାର କରାଯାଇଛି । କାସେଟାର୍ଟ ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ବୈଜ୍ଞାନିକ ତଥା ଅଧ୍ୟାପକ ଥନ୍ ଥାମ୍ରୋମଗନାସ୍ୱତଙ୍କୁ ଏହି ଜୀବ ବିଷୟରେ ତଥ୍ୟ ଦେବା ସହ ଲୋକଙ୍କୁ ଚେତାବନୀ ଦେଇଛନ୍ତି ।

ସେ କହିଛନ୍ତି ଯେ, ବ୍ଲୁ ଡ୍ରାଗନ୍ ସି ସ୍ଲଗ୍ ହେଉଛି ଗ୍ଲୋକସ୍ ଆଟଲାଣ୍ଟିକସ୍ ପ୍ରଜାତିର । ଏମାନେ ଗଭୀର ସମୁଦ୍ର ଜଳର ମଧ୍ୟଭାଗରେ ରୁହନ୍ତି । ପ୍ରାୟତଃ ସମୁଦ୍ରରେ ବହୁତ ଦୂରରେ ଏମାନେ ଦେଖାଯାନ୍ତି । ସେମାନଙ୍କୁ କ୍ୱଚିତ ସମୁଦ୍ର କୂଳରେ ଦେଖିବା ମିଳିଥାଏ । ଉଚ୍ଚ ଜୁଆର ଓ ପ୍ରବଳ ପବନ ଯୋଗୁ ସେମାନେ କୂଳକୁ ଆସିଥାନ୍ତି । ଏମାନେ ବହୁତ ବିଷାକ୍ତ । ସେମାନଙ୍କଠାରୁ ଯେତେ ଦୂରେଇ ରହିବା ସେତେ ଭଲ ।

ବ୍ଲୁ ଡ୍ରାଗନ୍ ସି ସ୍ଲଗ୍ ସାଧାରଣତଃ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ୟୁରୋପର ଉଷ୍ମ ଜଳରେ ଦେଖାଯାନ୍ତି । ଯଦି ଏହାର ଶଂସ୍ପର୍ଷରେ କେହି ଆସନ୍ତି ତେବେ ଏହା ବିପଦ ସୃଷ୍ଟି କରିପାରେ । ଏହାକୁ ଛୁଇଁଲେ ସ୍ନାୟୁ ପ୍ରଣାଳୀ, ହୃଦ୍‌ରୋଗ ଏବଂ ଚର୍ମ କୋଷ ଉପରେ ସିଧାସଳଖ ପ୍ରଭାବ ପଡିଥାଏ ଏବଂ ଏହା ସାଂଘାତିକ ମଧ୍ୟ ହୋଇଥାଏ । ଏମାନେ ଦେଖିବାକୁ ଉଜ୍ଜ୍ୱଳ ନୀଳ ରଙ୍ଗର ଓ ସେମାନଙ୍କ ଶରୀରରେ ଧଳା ରେଖା ମଧ୍ୟ ରହିଥାଏ । ଏହା ଦେଖିବାକୁ ବହୁତ ସୁନ୍ଦର । ଏହାର ସୌନ୍ଦର୍ଯ୍ୟ ଦେଖି ଲୋକମାନେ ପ୍ରାୟତଃ ସମୁଦ୍ର କୂଳରେ ଏହାକୁ ନିଜ ହାତରେ ଉଠାଇବାକୁ ଚେଷ୍ଟା କରନ୍ତି । କିନ୍ତୁ ଏହା ସେମାନଙ୍କ ପାଇଁ ସାଂଘାତିକ ହୋଇପାରେ ।

Comments are closed.