ଚେନ୍ନାଇ: ଦିନକୁ ଦିନ ଲୋକସଂଖ୍ୟା ବଢିବା ସହ ଯାନବାହନର ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହାର ସିଧାସଳଖ ପ୍ରଭାବ ପରିବେଶ ଉପରେ ପଡ଼ୁଛି । ଫଳରେ ଅହେତୁକ ଭାବେ ବୃଦ୍ଧି ପାଉଛି ଦିନର ତାପମାତ୍ରା । ପରିବେଶ ଅନୁସାରେ ଋତୁର ନାମକରଣ କରାଯାଇଥିବା ବେଳେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ପରିବେଶବିତ୍ଙ୍କ ମତରେ ଏହି ସମସ୍ୟା ଆଗକୁ ସାଂଘାତିକ ହେବ । ଏଭଳି ସମୟରେ ବ୍ୟକ୍ତିଗତ ଉଦ୍ୟମରେ ପରିବେଶର ସୁରକ୍ଷା ପାଇଁ ସଚେତନତାର ବାର୍ତ୍ତା ବାଣ୍ଟି ଚର୍ଚ୍ଚାକୁ ଆସିଛନ୍ତି ଚେନ୍ନାଇର ଜଣେ ଅଟୋ ଚାଳକ । ନିଜ ଅଟୋକୁ ବିଭିନ୍ନ ପ୍ରକାର ବୃକ୍ଷଲତାରେ ସଜାଇଛନ୍ତି, ଯାହାକୁ ଲୋକେ ଚଳନ୍ତି ବଗିଚା ବୋଲି କହୁଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଆଜିକାଲି ଏହିପରି ଅନେକ ଅଟୋ ଡ୍ରାଇଭର ଲୋକପ୍ରିୟ ହେବାରେ ଲାଗିଛନ୍ତି, ଯେଉଁମାନେ ସେମାନଙ୍କ ଅଟୋ ରିକ୍ସା ଭିତରେ ବିଭିନ୍ନ ସାମଗ୍ରୀ ରଖି ସଜ୍ଜାଇଥାନ୍ତି । କିନ୍ତୁ ଏହି ଅଟୋ ଡ୍ରାଇଭର ସେମାନଙ୍କଠାରୁ ପୂରା ଭିନ୍ନ । କାରଣ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସେ ଅଟୋ ରିକ୍ସାକୁ ପରିବର୍ତ୍ତିତ କରିଛନ୍ତିି । ଅଟୋ ରିକ୍ସା ଭିତରେ ବିଭିନ୍ନ ପ୍ରକାରର ଚାରା ରୋପଣ କରିଛନ୍ତି । ଏଥିସହିତ ଗରିବ ଲୋକଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏକ ବାକ୍ସ ମଧ୍ୟ ରଖିଛନ୍ତି । ଯେଉଁଥିରେ ଯାତ୍ରୀମାନେ ନିଜ ସକ୍ଷମ ଅନୁସାରେ ସାହାଯ୍ୟ କରିଥାନ୍ତି ।
ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଅଟୋ ରିକ୍ସାକୁ ଖୁବ୍ ସୁନ୍ଦର ଭାବେ ସଜ୍ଜା ଯାଇଛି । ଏହାର ଭିତର ଘାସର ଗାଲିଚା କରାଯାଇଛି । ଛାତ ଉପରେ ମଧ୍ୟ ସବୁଜ ମ୍ୟାଟିଂ କରାଯାଇଛି । ଆଗ ଏବଂ ପଛରେ ଅନେକ ଗଛ ରଖିଛନ୍ତି । ଆଉ କିଛି ଗଛକୁ ସେ ଅଟୋରେ ଟାଙ୍ଗିଛନ୍ତି । ଏହାବ୍ୟତୀତ ଏକ ଦାନ ବାକ୍ସ ବି ରଖିଛନ୍ତି । ଏହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।
Comments are closed.