Latest Odisha News

BREAKING NEWS

ଏଥର ବାଙ୍କୀରେ ପୁଣିଥରେ ଦେବୀ!

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀମାନେ ନିର୍ବାଚନ ମଣ୍ଡଳୀରେ ରାଜନୈତିକ କାର୍ଯ୍ୟକ୍ରମକୁ ଜୋରଦାର କଲେଣି। ବିଭିନ୍ନ ଦଳର ବହୁ ଆଶାୟୀ ଥିଲେ ମଧ୍ୟ ପ୍ରମୁଖ ପ୍ରାର୍ଥୀମାନେ ଟିକେଟ ପାଇବା ସମ୍ଭାବନା ଅଧିକ। ସେଥିପାଇଁ ସେମାନେ ବିଭିନ୍ନ ମାଧ୍ୟମରେ ମାହୋଲ ତିଆରି କରିବା ଆରମ୍ଭ କରିଛନ୍ତି।

ରାଜ୍ୟର ସେମିତି ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ ହେଉଛି କଟକ ଜିଲ୍ଲାର ବାଙ୍କୀ ନିର୍ବାଚନ ମଣ୍ଡଳୀ। ବାଙ୍କୀରେ ଏବେ ଦେବୀ ରଞ୍ଜନ ତ୍ରିପାଠୀ ବିଧାୟକ ରହିଛନ୍ତି। ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ ହେଉଛନ୍ତି ଦେବୀ ରଞ୍ଜନ।

ଏକଦା ବିଜେଡିର ହେଭିୱେଟ ନେତା କୁହାଯାଉଥିବା ପ୍ରଭାତ ତ୍ରିପାଠୀ ୨୦୧୯ ରେ ଲଢ଼ିବେ ନାହିଁ ବୋଲି ପୂର୍ବରୁ ସୂଚନା ଦେଇଥିବା ବେଳେ ତାଙ୍କ ପୁଅ ଦେବୀ ରଂଜନଙ୍କୁ ଶାସକ ବିଜେଡିର ପ୍ରାର୍ଥୀ କରାଯାଇଥିଲା ଓ ସେ ବହୁ ଭୋଟ ପାଇ ଜିତିଥିଲେ।

୨୦୧୯ ନିର୍ବାଚନରେ ଦେବୀରଞ୍ଜନ ୭୪ ହଜାର ୫୯୯ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ୫୦ ହଜାର ୪୮୧ ଖଣ୍ଡ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ। ବିଜେପିର ଶୁଭ୍ରାଂଶୁ ମୋହନ ପାଢ଼ୀ ୩୨ ହଜାର ୫୪୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

ପ୍ରଭାତ ତ୍ରିପାଠୀଙ୍କ ଚିଟଫଣ୍ଡ ସଂପୃକ୍ତିର କଥାକୁ ବିରୋଧୀ ନିର୍ବାଚନ ଅସ୍ତ୍ର କରିଥିଲେ ମଧ୍ୟ ବିଜେଡିର ଜିତାପଟ ହୋଇଥିଲା। ଆଗାମୀ ନିର୍ବାଚନରେ ମଧ୍ୟ ପୁଣିଥରେ ଦେବୀ ରଞ୍ଜନ ଶାସକ ଦଳର ପ୍ରାର୍ଥୀ ହେବା ପ୍ରାୟ ସ୍ପଷ୍ଟ।

ଯୁବ ବିଧାୟକ ଦେବୀ ରଂଜନ ବିଜେଡି ଛାତ୍ର ସଂଗଠନର ଦାୟିତ୍ୱ ତୁଲାଇଥିବା ବେଳେ ଯୁବ ଛାତ୍ରଙ୍କ ମଧ୍ୟରେ ତାଙ୍କର ଭଲ ପ୍ରଭାବ ରହିଛି। ସେହିପରି ବାଙ୍କୀ ନିର୍ବାଚନ ମଣ୍ଡଳୀର ପ୍ରମୁଖ ଚେହେରା ହେଉଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଦେବାଶିଷ ପଟ୍ଟନାୟକ।

୨୦୦୪ ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ବାଙ୍କୀରୁ ଜିତିଥିଲେ। କିନ୍ତୁ ପରବର୍ତ୍ତୀ ନିର୍ବାଚନ ଗୁଡିକରେ ସେ ଦ୍ଵିତୀୟ ସ୍ଥାନରେ ରହି ଭଲ ଲଢେଇ ଦେଇଥିଲେ ମଧ୍ୟ ଜିତିବାକୁ ସମର୍ଥ ହୋଇପାରୁ ନାହାନ୍ତି। ୨୦୧୯ ନିର୍ବାଚନରେ ଦେବାଶିଷ ନବାଗତ ଦେବୀରଞ୍ଜନଙ୍କ ବିରୋଧରେ ଜିତିବା ପାଇଁ ଏକ ସମ୍ଭାବନା ସୃଷ୍ଟି ହୋଇଥିଲେ ମଧ୍ୟ ତାହା ହୋଇପାରି ନ ଥିଲା।

କିନ୍ତୁ ଏଥର ଦେବାଶିଷ ନୂଆ ରଣନୀତି ସହ ନିର୍ବାଚନକୁ ଓଲ୍ହାଇବେ ବୋଲି କୁହାଯାଉଛି। ବିଜେପି ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀ ୨୦୧୪ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇ ୪ହଜାର ୨୫୧ ଭୋଟ ପାଇଥିବା ବେଳେ ୨୦୧୯ ରେ ବିଜେପିରୁ ପ୍ରାର୍ଥୀ ହୋଇ ୩୨ ହଜାର ୫୪୧ ଭୋଟ ପାଇଥିଲେ। ଯାହାକି ଦେବାଶିଷଙ୍କ ବିଜୟ ସମ୍ଭାବନା ଉପରେ ରୋକ ଲଗାଇଥିବା ଚର୍ଚ୍ଚା ହୁଏ।

ଏଥର କିନ୍ତୁ ବାଙ୍କୀରେ ଦେବୀରଞ୍ଜନ ଓ ଦେବାଶିଷଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି କୁହାଯାଉଛି। ସେପଟେ ବିଜେପିର ଅନ୍ୟ କିଛି ଆଶାୟୀ ଥିଲେ ମଧ୍ୟ ଗତ ନିର୍ବାଚନରେ ଶୁଭ୍ରାଂଶୁ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିବାରୁ ଦଳ ତାଙ୍କ ଉପରେ ଭରସା କରିପାରେ ବୋଲି କୁହାଯାଉଛି।

କିନ୍ତୁ ବାଙ୍କୀ ନିର୍ବାଚନ ମଣ୍ଡଳୀର କିଛି ବର୍ଷର ଇତିହାସକୁ ଦେଖିଲେ ପ୍ରଭାତ ତ୍ରିପାଠୀଙ୍କର ସେଠାରେ ନିଜସ୍ୱ ଏକ ଭୋଟବ୍ୟାଙ୍କ ରହିଛି। ସେପଟେ ତାଙ୍କ ପୁଅ ଦେବୀରଞ୍ଜନ ମଧ୍ୟ ବିଧାୟକ ହେବା ପରେ ତୃଣମୂଳ ସ୍ତରରେ ଲୋକଙ୍କ ସହ ଯୋଡି ହୋଇ ରହୁଛନ୍ତି।

ଶାସକ ବିଜେଡି ମଧ୍ୟ ରାଜ୍ୟବ୍ୟାପୀ ଦଳ ସପକ୍ଷରେ ଏକ ବାତାବରଣ ତିଆରି କରିବାରେ ସକ୍ଷମ ହୋଇଛି। ଏପରିକି ବିଜେଡି ପାଇଁ ଏକ ପ୍ରମୁଖ ଟେନସନ କୁହାଯାଉଥିବା ଗୋଷ୍ଠୀ କନ୍ଦଳ ବାଙ୍କୀରେ ଦେଖିବାକୁ ମିଳୁନି।

ତେଣୁ ଆଗାମୀ ନିର୍ବାଚନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ବଡ଼ ଲଢେଇ ଦେଖିବାକୁ ମିଳିବା ସହ ବିଜେପି ନିର୍ଣ୍ଣାୟକ ଭୂମିକା ନେବ ବୋଲି ଆଲୋଚନା ହେଉଛି।

Leave A Reply

Your email address will not be published.