ଭୁବନେଶ୍ୱର: ଓଡ଼ିଶା ସରକାର ଠକେଇର ଶିକାର ହୋଇଥିବା ଲୋକଙ୍କ ପାଇଁ ୨୪ ଘଣ୍ଟିଆ ସାଇବର ହେଲ୍ପ ଲାଇନ୍ ଆରମ୍ଭ କରିଛନ୍ତି। ୧୯୩୦ ନମ୍ବର ବିଶିଷ୍ଟ ଏହି ହେଲ୍ପଲାଇନ୍ ଓଡ଼ିଶା ପୁଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଆରମ୍ଭ ହୋଇଛି।
ଏହି ହେଲ୍ପ ଲାଇନରେ ତାଲିମପ୍ରାପ୍ତ ପୁଲିସ କର୍ମଚାରୀ ନିୟୋଜିତ ଅଛନ୍ତି, ଯେଉଁମାନେ ସାଇବର ଠକେଇର ଶିକାର ହୋଇଥିବା ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବେ। ସେମାନେ କ୍ଷତିଗ୍ରସ୍ତଙ୍କୁ ଟ୍ରାଞ୍ଜାକସନ୍ ବ୍ଲକ୍ କରି ସେମାନଙ୍କ ଟଙ୍କା ଫେରସ୍ତ ପାଇବାରେ ସାହାଯ୍ୟ କରିବେ।
ଓଡ଼ିଶାର ଯେକୌଣସି ସ୍ଥାନରୁ ଏହି ହେଲ୍ପ ଲାଇନରେ ଯୋଗାଯୋଗ କରାଯାଇ ପାରିବ। ଏହି ହେଲ୍ପ ଲାଇନର ଲାଭ ଉଠାଇବା ପାଇଁ ପୀଡ଼ିତମାନଙ୍କୁ ୧୯୩୦ ନମ୍ବରକୁ ଡାଏଲ କରି ଠକେଇ ସମ୍ପର୍କରେ ପ୍ରାସଙ୍ଗିକ ତଥ୍ୟ ଦେବାକୁ ପଡ଼ିବ। ଏହାପରେ ପୁଲିସ କର୍ମଚାରୀମାନେ ତୁରନ୍ତ ପଦକ୍ଷେପ ନେଇ ମନି ଟ୍ରେଲ୍ ଟ୍ରାକିଂ କରିବା ସହ ଟ୍ରାଞ୍ଜାକ୍ସନକୁ ବ୍ଲକ୍ କରିବେ। ମଙ୍ଗଳବାର ଏହି ହେଲ୍ପଲାଇନକୁ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଉଦଘାଟନ କରିଛନ୍ତି। ଏହି ହେଲ୍ପ ଲାଇନ୍ ସାଇବର ଠକେଇ ବିରୋଧରେ ଏକ ବଡ ପ୍ରତିବନ୍ଧକ ହେବା ସହ ପୀଡିତାଙ୍କ ପାଇଁ ବରଦାନ ହେବ ବୋଲି ସେ କହିଛନ୍ତି।
ସାଇବର ଅପରାଧର ମୁକାବିଲା ପାଇଁ ପ୍ରସ୍ତୁତି ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ପ୍ରେଜେଣ୍ଟେସନ ମଧ୍ୟ କରାଯାଇଛି। ସାଇବର ଅପରାଧ ରୋକିବା ଓ ଏହାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନାରେ ଆଲୋକପାତ କରାଯାଇଥିଲା।
Comments are closed.