ଭୁବନେଶ୍ୱର: ବିଏମସି କମିଶନର ବିଜେଡିର ମୁଖପାତ୍ର ସାଜି ବିଭ୍ରାନ୍ତକର ତଥ୍ୟ ଦେଉଛନ୍ତି । ବିଏମ୍ସି କମିଶନ ପଟ୍ଟା ବଣ୍ଟନ କରି ପ୍ରତିବଦଳରେ ଟଙ୍କା ନେଉଛନ୍ତି । ଆଇପିସି ଧାରା-୪୨୦ ଅନୁସାରେ କମିଶନଙ୍କ ନାଁରେ ମକଦ୍ଦମା ରୁଜୁ କରାଯିବ । ବସ୍ତିବାସିନ୍ଦାଙ୍କୁ ପଟ୍ଟା ନୁହେଁ ସାଧାରଣ କାଗଜ ଦେଇ ରାଜ୍ୟ ସରକାର ଠକୁଛନ୍ତି । ଲୋକଙ୍କୁ ଏମିତି ଭୂତେଇ ୨୦୨୪ ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରିଛନ୍ତି । ଏମିତି କହି ବିଜେଡି ସରକାର ଉପରେ ବର୍ଷିଛନ୍ତି ବିଜେପି ଜିଲ୍ଲା ସଭାପତି ବାବୁ ସିଂ ।
ସେ କହିଛନ୍ତି, ବିଜୁ ଜନତା ଦଳ ନିର୍ବାଚନ ଆଗରୁ ବସ୍ତି ବାସିନ୍ଦାଙ୍କ ଭୋଟ ପାଇବା ପାଇଁ ପଟ୍ଟା ବଣ୍ଟନ ନାଟକ କରିଥାଏ । ୨୩ବର୍ଷ ଧରି ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କୁ ପ୍ରତାରଣା, ଚ୍ଛଳନା କରି ଆସୁଛନ୍ତି । ସରକାରୀ ଦଳର ନେତା ଓ କର୍ମୀ ବସ୍ତିବାସିନ୍ଦାଙ୍କ ଉପରେ ଜୁଲମ କରୁଛନ୍ତି । ଭୁବନେଶ୍ୱରରେ ବସ୍ତି ବାସିନ୍ଦାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ତିନି ତିନି ଥର ସର୍ଭେ କରି କାନ୍ଥରେ ଟିଣ ପ୍ଲେଟ ମାରି ଘର ଓ ପଟ୍ଟା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହା ସବୁ କେବଳ ଫଟୋ ଆଉ ଖବର କାଗଜରେ ସୀମିତ ରହିଛି ।
୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ପଟ୍ଟାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ଲଗାଇ ବସ୍ତିବାସିନ୍ଦାଙ୍କୁ ଦେଇଥିଲେ । ନବୀନ ବାବୁ ଯେଉଁ ପଟ୍ଟା ବାଂଟିଥିଲେ ତାହା ରଦି କାଗଜଠାରୁ ହୀନ ବୋଲି କିଛିଦିନ ପରେ ଜାଣିବାକୁ ପାଇଥିଲେ ବସ୍ତିବାସିନ୍ଦା । ପୁଣି ଏବେ ଡ୍ରୋନ ସର୍ଭେ କରି ପ୍ରମାଣ ପତ୍ର ବାଂଟିଲେ ଓ ଏହା ଠିକ୍ ପଟ୍ଟା ବୋଲି କହିଲେ । ତାହାଲେ ପୂର୍ବରୁ ହୋଇଥିବା ତିନୋଟି ସର୍ଭେ କ’ଣ ତାହାର ଉତ୍ତର ରାଜ୍ୟ ସରକାର ଦିଅନ୍ତୁ ବୋଲି ଜିଲ୍ଲା ସଭାପତି ବାବୁ ସିଂ କହିିଛନ୍ତି ।
ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂ କହିଛନ୍ତି ଯେ, ଗତ ତିନିଦିନ ତଳେ ଭୁବନେଶ୍ୱର ମ୍ୟୁନିସପାଲଟି କମିଶନର ବାରମ୍ବାର କହୁଛନ୍ତି, ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଂଟନ କରୁଛୁ । ଯଦି ପଟ୍ଟା ବଂଟା ହେଉଛି ତାହାଲେ ୟୁନିଟ୍-୪ରେ ଜଣେ ଲୋକ ପଟ୍ଟା ପାଇଥିବା ସତ୍ୱେ ବିଏମ୍ସି ଗାଡି ଯାଇ ତାର ଘରକୁ ଭାଙ୍ଗି ଦେଲା । ବିଏମସିର ନିଜ ବିଭାଗ ଜାଣିପାରୁନି ପଟ୍ଟା କାଗଜର ମୂଲ୍ୟ । ସେହିପରି ବସ୍ତିରେ ରହୁଥିବା ବନିତା ବିଶୋଇ ନାମ୍ନୀ ଜଣେ ମହିଳା ବିଏମସି ଦେଇଥିବା ପଟ୍ଟାକୁ ନେଇ ବ୍ୟାଙ୍କକୁ ଯାଇଥିଲେ ଋଣ ଆଣିବା ପାଇଁ । ସେଠାରେ ତାଙ୍କୁ ଋଣ ଦେବା ପାଇଁ ମନା କରିଥିଲେ ବ୍ୟାଙ୍କ ମ୍ୟାନେଜର । ଏହି ପଟ୍ଟା ଗୁଡିକ ଗୋଚର ଜମିର ପଟ୍ଟା । ବିଏମସି କମିଶନର ବିଜେଡିର ମୁଖପାତ୍ର ସାଜି ବିଭ୍ରାନ୍ତକର ତଥ୍ୟ କାହିଁକି ଗଣମାଧ୍ୟମରେ କହୁଛନ୍ତି ବୋଲି ଶ୍ରୀ ସିଂ ପ୍ରଶ୍ନ କରିଛନ୍ତି ।
ରାଜ୍ୟ ସରକାର ସର୍ଭେ ନାଁରେ ପ୍ରଚୁର ଟଙ୍କା ଖର୍ଚ୍ଚ କଲେ । ଏବେ ସହରାଂଚଳରେ ବସ୍ତି ବାସିନ୍ଦାମାନଙ୍କୁ ଯେଉଁ କାଗଜ ଖଣ୍ଡିଏ ଦିଆଯାଉଛି ସେହି କାଗଜରେ ଲେଖାଯାଇଛି ଯେ, ଏହା ଏକ ଫର୍ମ ବୋଲି । ତା ତଳକୁ ଲେଖା ହୋଇଛି ଏହା ଏକ ପ୍ରମାଣ ପତ୍ର ବୋଲି । ଆଉ ଏହାକୁ ରାଜ୍ୟ ସରକାର କହୁଛନ୍ତି ଏହା ପଟ୍ଟା ବୋଲି । ପ୍ରଥମେ ସରକାର ସ୍ପଷ୍ଟ କରନ୍ତୁ ଏହା ଫର୍ମ ନା ପ୍ରମାଣ ପତ୍ର ନା ପଟ୍ଟା । ଜଣେ ବସ୍ତିବାସିନ୍ଦାଙ୍କୁ ୩୨୩ ବର୍ଗ ଫୁଟ୍ର ଜମି ଦେଇଛନ୍ତି । କିନ୍ତୁ ଘରକୁ ଯିବାକୁ ୨୦ଫୁଟର ରୋଡ ନହେଲେ ପ୍ଲାନ ଆପ୍ରୁଭାଲ ହେବ ନାହିଁ । ଏହି ପ୍ଲାନ ଆପ୍ରୁଭାଲ କେମିତି ଦେବ ବିଏମ୍ସି? ଖାଲି ଜମି ଦେଲେ ହେଲେ ରାସ୍ତା ପାଇଁ ଜମି ଦେଲେ ନାହିଁ । ରାଜ୍ୟ ସରକାର ମିଥ୍ୟା ପଟ୍ଟା ଦେଇ ପ୍ରତାରଣା କରିଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି ।
ଏପରି ସ୍ଥିତିରେ ବସ୍ତିବାସିନ୍ଦାଙ୍କୁ ନ୍ୟାୟ ଦେବା ପାଇଁ ଭାରତୀୟ ଜନତା ପାର୍ଟି ରାଜ ରାସ୍ତାରେ ଲଢ଼ିବା ସହ କୋର୍ଟରେ ଲଢ଼ିବ ବୋଲି ଶ୍ରୀ ସିଂ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ବିଏମସି କର୍ପୋରେଟର ରାମଚନ୍ଦ୍ର ରଣସିଂହ, ମଧୁସ୍ମିତା ପ୍ରଧାନ, ଯଶୋଧାରା ପ୍ରଧାନ, ଧରିତ୍ରୀ ଜେନା, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.