ରାଜ୍ୟରେ ବଢୁଛି ସ୍କ୍ରବ୍ ଟାଇଫସ ମାମଲା: ସମସ୍ତ CDMO ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ଵର: ମ୍ୟାଲେରିଆ, ଡେଙ୍ଗୁ ପରେ ଏବେ ରାଜ୍ୟରେ ଚିନ୍ତା ବଢାଇଛି ସ୍କ୍ରବ୍ ଟାଇଫସ୍ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି କୀଟ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି । ବର୍ତ୍ତମାନ ସୁଦ୍ଧା ଏହି କୀଟ ଆକ୍ରମଣରେ ୬ ଜଣଙ୍କର ପ୍ରାଣହାନି ହେଲାଣି । ଏହାର ତୁରନ୍ତ ପ୍ରତିକାର ପାଇଁ ସମସ୍ତ ଜିଲ୍ଲାର CDMO ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।
ସ୍କ୍ରବ୍ ଟାଇଫସ ଓ ଲେପଟୋସ୍ପାଇରୋସିଶ ପ୍ରତିକାର ପାଇଁ ସମସ୍ତ CDMO ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ରୋଗୀ ସଂଖ୍ୟା ବଢ଼ୁଥିବାରୁ ସମସ୍ତ DPHLରେ ଟେଷ୍ଟ ଓ ପର୍ଯ୍ୟାପ୍ତ ଟେଷ୍ଟିଂ କିଟ ମହଜୁଦ ରଖିବାକୁ ନିର୍ଦେଶ ଦିଆଯାଇଛି ।
ଏ ନେଇ ଡାକ୍ତରମାନଙ୍କୁ ସଚେତନ କରାଯିବ । ଶୀଘ୍ର ଚିହ୍ନଟ ଓ ଜନସାଧାରଣଙ୍କୁ ସଚେତନତା ପାଇଁ ପଦକ୍ଷେପ ନିଆଯିବ । ସବୁଠି ସର୍ଭେଲାନସ ବୃଦ୍ଧି କରାଯିବ । ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ ଓ ଆଣ୍ଟିବାୟୋଟିକସ ମହଜୁଦ ପାଇଁ ନିର୍ଦେଶ ରହିଛି । ମୃତ୍ୟୁ ଗୁଡିକର ସଠିକ ଭାବେ ତଦନ୍ତ ସହ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ହୋଇଛି । ରୋଗୀ ଓ ମୃତ୍ୟୁ ତଥ୍ୟ ନେଇ ଷ୍ଟେଟ ସର୍ଭେଲାନସ ୟୁନିଟକୁ ଅବଗତ କରାଯିବ । ଏହି ରୋଗ ସାଧବାଣି ପୋକରୁ ହେଉଛି । ତେବେ ମୂଷା ହେଉଛି ଏହାର ପ୍ରାଥମିକ ବାହକ । ଯଦି ସାଧବାଣି ପୋକ ମୂଷାକୁ କାମୁଡିବା ପରେ ମଣିଷକୁ କାମୁଡିଵ, ତେବେ ସ୍କ୍ରବ ଟାଇଫସ ହେବ । ତୁରନ୍ତ ପରୀକ୍ଷା କରିବାକୁ ଆହ୍ୱାନ ଦିଆଯାଇଛି ।
‘ଚିଗର’ ନାମକ କୀଟ କାମୁଡ଼ିଲେ ସ୍କ୍ରବ୍ ଟାଇଫସ୍ ରୋଗ ହୋଇଥାଏ । କିନ୍ତୁ ଏହି କୀଟକୁ ଚିହ୍ନିବା କଷ୍ଟକର । ଏହି କୀଟ ପଶୁମାନଙ୍କ ଦେହରେ ବି ରହିଥାଏ । ଏହି କୀଟ କାମୁଡ଼ିଲେ ମୁଖ୍ୟତଃ ଜ୍ଵର, ଆଣ୍ଠୁ ଗଣ୍ଠି ଘୋଳାବିନ୍ଧା ଲାଗି ରହିଥାଏ । ମୃତ୍ୟୁ ଆଶଙ୍କା ଥିବାରୁ ଏ ନେଇ ସତର୍କ ରହିବା ଜରୁରୀ । ଚାଷଜମି ଓ ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହି କୀଟ କାମୁଡ଼ିବା ସମ୍ଭାବନା ଅଧିକ ହୋଇଥାଏ ।
Comments are closed.