Latest Odisha News

କବିତା : ମରିବାର ସୁଖ

ରାମକୃଷ୍ଣ

ନିଦର ଡାକ ଶୁଭିଲେ ଅନ୍ଧାର ରଙ୍ଗମାଖେ
ସ୍ବପ୍ନରେ ସ୍ବପ୍ନରେ ତିଆରିହୁଏ
ଇନ୍ଦ୍ରଧନୁର ଗୋଟେ ବିଶାଳ ସାମ୍ରାଜ୍ୟ

ରକ୍ତ ମାଂସ ହାଡରେ ନିଆଁଲାଗେ
ସ୍ବପ୍ନର ଆଲିଙ୍ଗନରେ
ତରଳି ବହିଯାଏ ମୁଁ
ନିଆଁର ନଦୀ ପରି
ସୀମିହୀନ ନିଶବ୍ଦତାର ମୁହାଣ ଆଡକୁ,
ମୃତ୍ୟୁ ମୋର ପାଦରେ ବାନ୍ଧିଥାଏ ନୃତ୍ୟ
ଓଠରେ ଆଙ୍କିଥାଏ ରାଗ ଶୃଙ୍ଗାର
କୂଳ ଲଙ୍ଘୁଥାଏ
ଫୁଲର ମହକ ଓ ଫଳର ସ୍ବାଦ

ମୃତ୍ୟୁ ଯେ କେତେ ସୁନ୍ଦର
ମରିଜାଣିବା ଲୋକ ହିଁ କେବଳ ଜାଣେ
ଯଦିଓ ଜୀବନ ବୋଲି.
ମୋତେ ଓହ୍ଲାଇ ଦିଆଯାଇଥିଲା
ସ୍ବପ୍ନର ଚାରିକାନ୍ଥରେ ଅବରୁଦ୍ଧ
ଏ ମାୟା ମରିଚୀକାର ଦୁର୍ଗରେ
ସେସବୁ କାନ୍ଥରେ ଆଙ୍କିଲି
ମୃତ୍ୟୁର ରଙ୍ଗରେ ସୁଖର ଅଜସ୍ର ଚିତ୍ର

ନଦୀବନ୍ଧ ପରି ବେଳେବେଳେ
ମୋର ସୁଅମୁହଁ ରେ ଛିଡ଼ାହୁଏ ଦୁଃଖ
ଯାହାକୁ ଶୁଖିଲା ପତ୍ର ପରି
ଭସାଇ ନିଏ ମୋର ଅଜ୍ଞାନତା,
ଅଜ୍ଞାନତା ଏପରି ଏକ ମୃତ୍ୟୁ
ଯେଉଁଠି ମୁଁ ନଥାଏ
ମୋର ନଥିବାରେ ହିଁ
ପରମ ଆନନ୍ଦ।

Comments are closed.