ଭୁବନେଶ୍ୱର: ରାଜ୍ୟ ସରକାର ୬ ବର୍ଷ ତଳେ ଶିକ୍ଷାନୁଷ୍ଠାନଗୁଡ଼ିକର ଉନ୍ନତ ପ୍ରଶାସନ ପାଇଁ ପ୍ଲସ୍ ଟୁ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ଓ ପ୍ଲସ୍ ଥ୍ରୀର ବିଭାଜନ ଘୋଷଣା କରିଥିଲେ ମଧ୍ୟ ଏବେ ଏହା କାଗଜ କଲମରେ ସୀମିତ ରହିଛି। କାରଣ ଏହି ନିର୍ଦ୍ଦେଶନାମା ସାରା ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ।
ଓଡ଼ିଶାର ୪୮ଟି ସରକାରୀ ମହାବିଦ୍ୟାଳୟ ମଧ୍ୟରୁ ୪୦ଟି କମ୍ପୋଜିଟ୍ ଅର୍ଥାତ୍ ସେମାନେ ଗୋଟିଏ କ୍ୟାମ୍ପସରେ ଉଭୟ ଉଚ୍ଚ ମାଧ୍ୟମିକ ଓ ଡିଗ୍ରୀ ପାଠପଢା ହେଉଛି। ୪୮୮ ବର୍ଗର ୫୧୭ଟି କଲେଜରୁ ୩୦୪ଟି କଲେଜରେ ଉଚ୍ଚ ମାଧ୍ୟମିକ ଓ ଡିଗ୍ରୀ କଲେଜ ପାଇଁ ଅଲଗା କ୍ୟାମ୍ପସ ନାହିଁ। ସେହିପରି ୬୬୨ ବର୍ଗରେ ଥିବା ୪୪୩ଟି ମହାବିଦ୍ୟାଳୟ ମଧ୍ୟ ଗୋଟିଏ କ୍ୟାମ୍ପସରେ ପାଠ ପଢ଼ା ଚାଲିଛି।
ଭିତ୍ତିଭୂମିର ଅଭାବ, ଜମି ସୀମା ନିର୍ଦ୍ଧାରଣ, ଅଧ୍ୟାପକଙ୍କ ଅଭାବ ଆଦି ଲକ୍ଷ୍ୟ ପୂରଣ ଦିଗରେ ଏହାର ପ୍ରାଥମିକ କାରଣ। ଅନେକ କଲେଜରେ ଡିଗ୍ରୀ କଲେଜ ଅଧ୍ୟାପକମାନେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଚାଳନା କରୁଛନ୍ତି। ଉଦାହରଣ ସ୍ୱରୂପ ବଲାଙ୍ଗୀର ଟିଟିଲାଗଡ଼ ସରକାରୀ ମହିଳା ଡିଗ୍ରୀ କଲେଜକୁ ସମ୍ପୂର୍ଣ୍ଣ ଭାବେ ସେହି କ୍ୟାମ୍ପସରେ ଥିବା ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକମାନେ ପରିଚାଳନା କରୁଛନ୍ତି। ଯେପରିକି ରାଜଧାନୀରେ ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆରଡି ମହିଳା ବିଶ୍ୱବିଦ୍ୟାଳୟ ପରିସରରୁ କାର୍ଯ୍ୟକ୍ଷମ ହେଉଛି।
ସମସ୍ତ ଶିକ୍ଷାନୁଷ୍ଠାନର ନିଜସ୍ୱ ଜମି ଥିବା ବେଳେ ଜମି ମାଲିକାନା ସଂସ୍ଥାଙ୍କ ନାମରେ ଅଦ୍ୟାବଧି ହସ୍ତାନ୍ତର ହୋଇ ପାରିନାହିଁ। ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ କେତେକ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମିର ସୀମା ନିର୍ଦ୍ଧାରଣ ଓ ଡିଗ୍ରୀ କଲେଜରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯାଏଁ ଜମିକୁ ବିଚ୍ଛିନ୍ନ କରିବା କାମ ଆରମ୍ଭ ହୋଇଥିଲେ ମଧ୍ୟ ଆଉ କେତେକ ଶିକ୍ଷାନୁଷ୍ଠାନରେ ଏହି କାମ ଆରମ୍ଭ ହୋଇପାରୁନାହିଁ।
ଶିକ୍ଷାବିତମାନେ ଏପରି ବିଳମ୍ବକୁ ସମାଲୋଚନା କରି କହିଛନ୍ତି ଯେ ଗୁଣାତ୍ମକ ଶିକ୍ଷାଦାନ ସୁନିଶ୍ଚିତ କରିବା ଏବଂ ବର୍ତ୍ତମାନର ଅଧ୍ୟାପକମାନଙ୍କ ଉପରେ ବୋଝ ହ୍ରାସ କରିବା ପାଇଁ ଯୁକ୍ତ ଦୁଇ ଓ ପ୍ଲସ ଥ୍ରୀ ଅଲଗା କ୍ୟାମ୍ପସ ଆବଶ୍ୟକ। ଏ ନେଇ ଚଳିତ ମାସ ଶେଷ ଆଡ଼କୁ ବୈଠକ ବସିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।
Comments are closed.