Latest Odisha News

ସମାଜ ପ୍ରତି ଆମ ଗୁରୁ ଦାୟିତ୍ୱ ‘କର୍ତ୍ତବ୍ୟବୋଧ ମନୋଭାବ’କୁ ଆପଣାଇବା ନିହାତି ଜରୁରୀ: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ଅନୁଷ୍ଠିତ ହୋଇଛି ଆଇଆଇଏମ ସମ୍ବଲପୁରର ନବମ ପ୍ରତିଷ୍ଠା ଦିବସ । ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଶିକ୍ଷା ଏବଂ ଦକ୍ଷତା କେବଳ ବ୍ୟକ୍ତିଗତ ଲାଭ ପାଇଁ ନୁହେଁ ବରଂ ଆମ ସମାଜର ଉନ୍ନତି ପାଇଁ ମଧ୍ୟ ଆବଶ୍ୟକ ବୋଲି ଶନିବାର ଆଇଆଇଏମ ସମ୍ବଲପୁରର ନବମ ପ୍ରତିଷ୍ଠା ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା ଯୋଗେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଇଆଇଏମ ସମ୍ବଲପୁରକୁ ପ୍ରତିଷ୍ଠା ଦିବସର ଅଭିନନ୍ଦନ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେ ଆଗକୁ ବଢ଼ୁଥିବା ବେଳେ ସମାଜ ପ୍ରତି ଆମର ଗୁରୁ ଦାୟିତ୍ୱକୁ ସ୍ୱୀକାର କରିବା ନିହାତି ଜରୁରୀ । ସମାଜ ପ୍ରତି “କର୍ତ୍ତବ୍ୟବୋଧ” ମନୋଭାବ ରଖିବା ଜରୁରୀ । ଏହି ଧାରଣାକୁ ଛାତ୍ରଛାତ୍ରୀମାନେ ନିଜ ମନରୁ ଗ୍ରହଣ କରିବା ଆବଶ୍ୟକ । ଛାତ୍ରଛାତ୍ରୀଙ୍କ ପାଖରେ ସମାଜରେ ଓ୍ୱେଲଥ କ୍ରିଏଟର୍ ଓ ରୋଜଗାର ତିଆରି କରିବାର ଶକ୍ତି ଅଛି । କେବଳ ସୁଯୋଗ ଅନ୍ୱେଷଣ କରିବା ନାହିଁ ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ଚାକିରି ସୃଷ୍ଟି କରିବା ଦରକାର । ଏହା ଦ୍ୱାରା ଆମେ ଏକ ରାଷ୍ଟ୍ରର ବିକଶିତ କରିପାରିବା ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଆମ ଦେଶର ସାମ୍ପ୍ରତିକ ଇତିହାସର କିଛି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବିଷୟରେ ଚିନ୍ତା କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଅବସର । ଆମ ସଂସଦରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ – ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ ହୋଇଛି । ଆମ ଗଣତାନ୍ତ୍ରିକ ରାଷ୍ଟ୍ର ଗୁଡ଼ିକରେ ଲିଙ୍ଗଗତ ସମାନତା ହାସଲ ଦିଗରେ ଏହି ଐତିହାସିକ ଅଧିନିୟମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ଆଗକୁ ବଢୁଛି ଏବଂ ବିଶେଷ ଭାବରେ ବିଶ୍ୱ ପାଇଁ ଉଭା ହେଉଥିବା ଅର୍ଥବ୍ୟବସ୍ଥା ଦିଗରେ ଏକ ଆଦର୍ଶ ପାଲଟିଛି । ଆଇଆଇଏମ୍ ସମ୍ବଲପୁରର ମୂଳ ମୂଲ୍ୟବୋଧ- ଇନୋଭେସନ୍, ଇନକ୍ଲୁସିଭନେସ୍ ଏବଂ ଇଣ୍ଟିଗ୍ରିଟି, ଏହା ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶକ ସାଜିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉ । ଶ୍ରେଷ୍ଠତା ପାଇଁ ପ୍ରୟାସ କରିବା ସହ ସମାଜରେ ଯୋଗଦାନ କରିବା ଏବଂ ସେହି ମୂଲ୍ୟବୋଧକୁ ବଜାୟ ରଖିବା ଛାତ୍ରଛାତ୍ରୀଙ୍କ ମୂଳ ଉଦ୍ଦେଶ୍ୟ ହେଉ । ଏହା ଆମ ସମସ୍ତଙ୍କୁ ୨୦୪୭ ସୁଦ୍ଧା “ବିକଶିତ ଭାରତ”ରେ ପରିଣତ କରିବାରେ ସାହାଯ୍ୟ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୪୭ ସୁଦ୍ଧା ବିକଶିତ ଭାରତର କଥାରେ ସହଯୋଗୀ ହେବା । ଭାରତକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ଆଇଆଇଏମ୍ ସମ୍ବଲପୁରର ଭୂମିକା ରହିବା ନେଇ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

 

 

Comments are closed.