Latest Odisha News

BREAKING NEWS

ଗପ : ସେଇ ଚଉଦ ଘଣ୍ଟା

ସୁମିତା ବେହେରା

କାରରୁ ଓହ୍ଲେଇ ବିଜୁଳି ପରି କିଛି ସେକେଣ୍ଡ ମଧ୍ୟରେ କୋକେଇ ନିକଟରେ ପହଞ୍ଚିଗଲେ ଅନୁ। ସମସ୍ତ ହିତୈଷୀ ବନ୍ଧୁ ପରିଜନ, ପାଖ ପଡ଼ୋଶୀଙ୍କର ଗହଳିରେ ଦାଣ୍ଡ ଲୋକାରଣ୍ୟ। ଧଳା ଚାଦରରେ ଢାଙ୍କି ହୋଇ ରହିଛି ତାଙ୍କ ଇହକାଳର ସାଥୀଙ୍କର ମୃତଦେହ। ଦୀର୍ଘ ବତିଶ ବର୍ଷର ହସ ଲୁହର ସମ୍ପର୍କକୁ ଠକିଦେଇ, ପରମ ନିଶ୍ଚିନ୍ତରେ କିପରି ଶୋଇ ପାରିଲେ ସୁରେଶ ସତରେ ! କଚାଡ଼ି ହୋଇ ପଡିଲେ ସ୍ୱାମୀଙ୍କର ପ୍ରାଣହୀନ ଶରୀର ଉପରେ। ତାଙ୍କୁ ସ୍ୱାମୀଙ୍କ ଶବ ନିକଟରୁ ଅଲଗା କରିବା ପାଇଁ କେହି ଜଣେ ଟାଣି ଆଣିବାକୁ ଯାଉଥିଲେ, ଅନୁଙ୍କ ଭାଇ ବାରଣ କରି କହିଲେ, ” ଥାଉ କିଛି ସମୟ ସେମିତି । କେହି ବାଧା ଦିଅନ୍ତୁନି”।

ଅନୁଙ୍କର ଗୋଟିଏ ବୋଲି ଝିଅ। ଅନେକ ପୂଜା ପ୍ରାର୍ଥନା ପରେ ଈଶ୍ୱରଙ୍କ କୃପାରୁ ଅଜା ଓ ଆଈ ହେବା ଖୁସିରେ ଅନୁ ଓ ସୁରେଶଙ୍କର ପାଦ ତଳେ ଲାଗୁନି। ଝିଅ ରହୁଛି ସୁଦୂର ମୁମ୍ବାଇରେ। ପ୍ରଥମ କରି ମାଆ ହେବାକୁ ଯାଉଥିବା ଝିଅର ସାମାନ୍ୟ ଅସୁସ୍ଥତା ବିବ୍ରତ କରିଦିଏ ସୁରେଶଙ୍କୁ। ଅନୁକୁ କୁହନ୍ତି, “ଯାଅ ଅନୁ ! ଝିଅ ପାଖରେ କିଛିଦିନ ରହିକି ଆସିବ। ବିଚାରୀ ଖାଇ ପିଇ ପାରୁନି ଠିକ ରେ। ତୁମ ହାତରନ୍ଧା ଖାଇ, ସେବଯତ୍ନ ପାଇ ଟିକେ ସୁସ୍ଥ ହେଇଗଲେ ତାକୁ ନେଇ ଭୁବନେଶ୍ୱର ପଳେଇ ଆସିବ।’

ପ୍ରତିବାଦ କରନ୍ତି ଅନୁ। ଏକଲା ସ୍ୱାମୀଙ୍କୁ ଛାଡି ଯିବାକୁ ମନ ଡାକେନି। ଏଇ ତ ବର୍ଷେ ତଳେ କେତେ ଅସୁସ୍ଥ ହୋଇ ପଡ଼ିଥିଲେ। ସେ ଗୋଟିଏ କଥା ଲକ୍ଷ୍ୟ କରି ସାରିଲେଣି, ଯେବେ ବି ସୁରେଶ ତାଙ୍କଠାରୁ କିଛିଦିନ ପାଇଁ କୌଣସି କାମରେ ଦୂରକୁ ଯାଆନ୍ତି, ଅସୁସ୍ଥ ହୋଇ ପଡନ୍ତି। ମଜାରେ କେତେଥର କହି ବି ଥିବେ “ଅନୁ ! ତୁମେ ମୋର ଲକ୍ଷ୍ମୀ ପ୍ରତିମା। ତୁମକୁ ମୁଁ ପାଖରୁ କେବେ ବି ଅଲଗା କରିବିନି ଦେଖିବ । ଦେଖିବ ମୋର ଶେଷ ଶ୍ୱାସ ବି ତୁମରି କୋଳରେ ମୁଣ୍ଡ ରଖି ଛାଡିବି ।” ରାଗି ଯାଆନ୍ତି ଅନୁ। କୁହନ୍ତି” ଯେତେବେଳେ ଦେଖ ଏମିତି ଅଲକ୍ଷଣା କଥା ତୁଣ୍ଡରେ କାହିଁକି ଧର କୁହ ତ ?”

ସ୍ୱାମୀଙ୍କର ଜିଦ ହେଉ ଅବା ପୁତ୍ରୀମୋହ ହେଉ ମୁମ୍ବାଇ ଆସିଲେ ଝିଅ ପାଖକୁ । ଡେଲିଭରି ପର୍ଯ୍ୟନ୍ତ ଝିଅ ତାଙ୍କରି ସହ ରହିବ। ଘରେ ଶଯ୍ୟାଶାୟୀ ଶାଶୁ। ନଣନ୍ଦଙ୍କୁ ପନ୍ଦର ଦିନ ପାଇଁ ସୁରେଶ ଓ ଶାଶୁଙ୍କ ଦାୟିତ୍ବ ଦେଇ ମୁମ୍ବାଇ ଆସିଛନ୍ତି। ଆସିବା ପରଠୁ ସୁରେଶ ଙ୍କୁ ହାଲ୍କା ଜ୍ୱର ଆସୁଛି। ଦିନରେ ଅନେକ ଥର ଫୋନ୍ କରି ତାଙ୍କ ଖବର ବୁଝନ୍ତି ଅନୁ। ମନ ଭଲ ଲାଗୁନି। କାହିଁକି ଯେ ମୁମ୍ବାଇ ଆସିଲେ, ଅନୁତାପ ଆସୁଛି। ଜୋଇଁଙ୍କୁ କହିଛନ୍ତି ଫେରିବା ଟିକେଟ କାଟିଦେବା ପାଇଁ।

ରାତି ପ୍ରାୟ ସାଢ଼େ ଏଗାରଟା ବେଳେ ଅନୁ କଥା ହେଇଛନ୍ତି ସୁରେଶଙ୍କ ସହ। ଜ୍ୱର କମି ଆସୁଛି ଶୁଣି ଆଶ୍ୱସ୍ଥ ହେଲେ। ସୁରେଶ କହିଲେ,” ଅନୁ ! ତୁମେ ମୋଠାରୁ ଗୋଟିଏ କଥା ଶୁଣିବାକୁ କେତେ ଇଚ୍ଛା କରିଥିଲ ମାତ୍ର ମୁଁ କହି ପାରି ନ ଥିଲି। ଆଜି କହିବାକୁ ବହୁତ ମନ ଚାହୁଁଛି।”

ଅନୁ ଆଶ୍ଚର୍ଯ୍ୟ ହେଲେ। ସୁରେଶ ଆଜି ତାଙ୍କୁ କ’ଣ କହିବାକୁ ଚାହୁଁଛନ୍ତି ?  ଅନୁ କହିଲେ,” ବହୁତ ରାତି ହେଲାଣି ଶୋଇପଡ। ଯେବେ ଆମର ଦେଖା ହେବ ଆଉଥରେ କହିବ। ମୁଁ ଖୁବ ଶୀଘ୍ର ଫେରୁଛି।

” ଥରେ କାହିଁକି ? ଏବେ ସବୁଦିନ କହିବି। ତୁମେ ଦୂରକୁ ଯିବା ପରେ ମୋର ଅନୁଭବ ହେଲା, ଖାଲି ମନ ଭିତରେ ଭଲ ପାଇଲେ ହୁଏନି , ମନର ଆବେଗକୁ ବ୍ୟକ୍ତ କରିବା ନିହାତି ଜରୁରୀ। ସେଥିରେ ଭଲପାଇବା ଆହୁରି ମହକେ।”

“ଏଥର ଶୋଇପଡ଼। ମୁଁ ଖୁବ ଶୀଘ୍ର ଝିଅକୁ ନେଇ ଫେରୁଛି। ସେତେବେଳେ ଦେଖିବି କେତେଥର କହୁଛ ।”

ଏଇ ଥିଲା ଉଭୟଙ୍କର ଶେଷ କଥା। ଭୋର ଚାରିଟା ବେଳେ ନଣଦ ଫୋନ୍ କରି କହିଲେ ସୁରେଶ ଆଉ ନାହାନ୍ତି। ଭୂଇଁ ଖସିଗଲା ପାଦ ତଳୁ। ରାତିରେ ଏତେ ସୁନ୍ଦର କଥା ହେଲେ , ଅଥଚ ସକାଳେ …..। କ’ଣ କରିବେ ? ଝିଅର ଏଇନେ ଯେମିତି ଅବସ୍ଥା ତାକୁ ଜଣେଇଲେ କିଛି ବି ଦୁର୍ଘଟଣା ଘଟିପାରେ ତା’ ସହ। ତାକୁ ଛାଡିକି ବି ଯାଇ ହେବନି। କେମିତି ଲୁଚେଇବେ ବେଦନାସିକ୍ତ ଅଶ୍ରୁକୁ ଝିଅ ଆଖିରୁ ? ବର୍ତ୍ତମାନ ପ୍ରଥମ କାମ ଭୁବନେଶ୍ୱର ଫେରିବା। ବାଥ୍ ରୁମ୍ ଯାଇ ଦୁଇ ଘଣ୍ଟା ଖୁବ କାନ୍ଦିଲେ। ତାଙ୍କୁ ତ ଏବେ ପଥର ହେବାକୁ ପଡିବ। ଝିଅକୁ ସୁରକ୍ଷିତ ଭାବେ ନେଇ ଭୁବନେଶ୍ୱରରେ ପହଞ୍ଚିବାକୁ ହେବ।

ଅପେକ୍ଷା କଲେ ଜୋଇଁ ଉଠିବା ପର୍ଯ୍ୟନ୍ତ। ସବୁ କଥା ଜଣାଇ କହିଲେ , ଆଜି ହିଁ ଟିକେଟ ବ୍ୟବସ୍ଥା କରିବା ପାଇଁ ।ଝିଅକୁ ଜଣାଇବାକୁ ମନା କଲେ। ଏମିତି ଅବସ୍ଥାରେ ମାନସିକ ଚାପ ସେ ନେଇ ପାରିବନି। ତିନିଟା ବେଳେ ଫ୍ଲାଇଟ। ତା’ ଭିତରେ ଘରର କାମ, ରୋଷେଇ ସବୁ କଲେ।

ସୁରେଶଙ୍କ ଶବ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ସେଇ ଚଉଦ ଘଣ୍ଟା ଯେ କେମିତି ବିତିଛି ସେ ଜାଣନ୍ତି ଆଉ ତାଙ୍କ ଈଶ୍ୱର।

କୋଳରେ ଶେଷଥର ପାଇଁ ସ୍ୱାମୀଙ୍କ ଶବକୁ ରଖିଲେ। ସେ ନାରୀ..ଜନନୀ.. ଜାୟା..ଭଗିନୀ ..। ସେ ସର୍ବଂସହା ଧରିତ୍ରୀ। ନିଜର ବ୍ୟଥା ବେଦନାକୁ କବର ଦେଇ ଅନ୍ୟ ପାଇଁ ହସିବାକୁ ହୁଏ। ବଞ୍ଚିବାକୁ ହୁଏ।

Comments are closed.