Latest Odisha News

BREAKING NEWS

ରୋବୋଟିକ୍ସ ଗ୍ୟାଲେରୀରେ ପ୍ରଧାନମନ୍ତ୍ରୀଙ୍କୁ ଚା’ ପରଷିଲା ରୋବର୍ଟ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅହମ୍ମଦାବାଦସ୍ଥିତ ସାଇନ୍ସ ସିଟି (ବିଜ୍ଞାନ ସହର) ପରିଦର୍ଶନ କରିଛନ୍ତି । ସେ ରୋବୋଟିକ୍ସ ଗ୍ୟାଲେରୀ, ନେଚର ପାର୍କ, ଆକ୍ୱାଟିକ୍ ଗ୍ୟାଲେରୀ ଏବଂ ସାର୍କ ଟନେଲ ପରିଦର୍ଶନ କରିବା ସହ ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିଥିଲେ ।

ଏଠାରେ ଥିବା  ରୋବୋଟିକ୍ସ ଗ୍ୟାଲେରୀ ବୁଲି ଅଭିଭୂତ ହୋଇପଡିଥିଲେ ପ୍ରଧାନମନ୍ତ୍ରୀ ।  ଏହି ଜ୍ଞାନକୌଶଳ କିପରି ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସୁକତା ଜାଗ୍ରତ କରୁଛି ତାହା ଦେଖି ଆନନ୍ଦିତ ହୋଇଥିଲେ । ରୋବୋଟିକ୍ସ ଗ୍ୟାଲେରୀରେ ଡିଆରଡିଓ ରୋବୋଟ, ମାଇକ୍ରୋବଟ, ଏକ କୃଷି ରୋବୋଟ, ମେଡିକାଲ ରୋବଟ, ମହାକାଶ ରୋବଟ ଏବଂ ଆହୁରି ଅନେକ କିଛି ରହିଛି । ଏହି ଆକର୍ଷଣୀୟ ପ୍ରଦର୍ଶନୀ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା, ଉତ୍ପାଦନ ଏବଂ ଦୈନନ୍ଦିନ ଜୀବନରେ ରୋବୋଟିକ୍ସର ପରିବର୍ତ୍ତନଶୀଳ ଶକ୍ତି ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି । ଏହି  ଗ୍ୟାଲେରୀରେ ଥିବା କାଫେରେ ରୋବୋଟ୍ ମାନଙ୍କ ଦ୍ୱାରା ପରିବେଷିତ ଚା ମଧ୍ୟ ପିଇଥିଲେ ମୋଦି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗୁଜରାଟ ସାଇନ୍ସ ସିଟି ଭିତରେ ଥିବା ଏକ ଶାନ୍ତ ଓ ଆକର୍ଷଣୀୟ ସ୍ଥାନ ହେଉଛି ନେଚର ପାର୍କ । ପ୍ରକୃତିପ୍ରେମୀ ଓ ଉଦ୍ଭିଦ ବିଜ୍ଞାନୀ ମାନଙ୍କ ପାଇଁ ଏହା ଦେଖିବା  ନିହାତି ଜରୁରୀ । ଏହି ପାର୍କ କେବଳ ଜୈବ ବିବିଧତାକୁ ପ୍ରୋତ୍ସାହିତ କରେ ନାହିଁ ବରଂ ଲୋକ ମାନଙ୍କ ପାଇଁ ଏକ ଶିକ୍ଷାଗତ ପ୍ଲାଟଫର୍ମ ଭାବରେ ମଧ୍ୟ କାର୍ଯ୍ୟ କରେ । ଏହା ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀତା ଉପରେ ମୂଲ୍ୟବାନ ଶିକ୍ଷା ପ୍ରଦାନ କରେ । କ୍ୟାକଟସ୍ ଗାଡେନ୍‌, ବ୍ଲକ୍ ପ୍ଲାଣ୍ଟେସନ୍‌, ଅକ୍ସିଜେନ୍ ପାର୍କ ଭଳି ଅନ୍ୟାନ୍ୟ ଆକର୍ଷଣକୁ ମଧ୍ୟ ବୁଲି ଦେଖନ୍ତୁ ବୋଲି ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏଥିସହିତ  ଆକ୍ୱାଟିକ୍ ଗ୍ୟାଲେରୀ ମଧ୍ୟ ବୁଲି ଦେଖିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ ।

Comments are closed.