Latest Odisha News

ରାଜନୈତିକ ଷ୍ଟଂଟ୍ ଓ ଅର୍ଥନୈତିକ ମାନ୍ଦାବସ୍ଥା

ରାଜନୈତିକ ଷ୍ଟଂଟ୍ ଓ ଅର୍ଥନୈତିକ ମାନ୍ଦାବସ୍ଥା

ବିଚିତ୍ର ବିଶ୍ୱାଳ

ସିନେମାରେ ଆକର୍ଷଣୀୟ ଷ୍ଟଂଟ୍ ସିନ୍ ପୂରେଇ ସିନେମାକୁ ସୁପରହିଟ୍ କରାଯାଇପାରେ । ଦର୍ଶକଙ୍କୁ ମତୁଆଲା କରି ସିନେମା ହଲ୍ କୁ ଟଣାଯାଇପାରେ । ସେମାନଙ୍କଠାରୁ ପ୍ରଚୁର ଟଙ୍କା ଓ ତାଳିମାଡ଼ ଆଦାୟ କରାଯାଇପାରେ ଓ ପରିଶେଷରେ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ସିନେମା ତିଆରିର ଉଦ୍ଦେଶ୍ୟ ପୂରଣ ହୋଇପାରେ । କିନ୍ତୁ ରାଜନୀତିରେ ଷ୍ଟଂଟ ସିନ୍ ଦେଖେଇ ଅର୍ଥାତ୍ ରାଜନୈତିକ ଷ୍ଟଂଟ୍ ମାଧ୍ୟମରେ କୌଣସି ସମସ୍ୟାର ସମାଧାନ ହୁଏନି କିମ୍ବା ଦେଶର କିଛି ବି ମଙ୍ଗଳ ହୁଏନି । ରାଜନୈତିକ ଷ୍ଟଂଟ୍ ମାଧ୍ୟମରେ କିଛି ସମୟ ପାଇଁ ଲୋକମାନଙ୍କ ସମର୍ଥନ ହାସଲ କରାଯାଇପାରେ, ଲୋକମାନଙ୍କ ମଧ୍ୟରେ ଏକ ମିଛ ଉନ୍ମାଦନା ଭରି ଦିଆଯାଇପାରେ ଓ ସେମାନଙ୍କ ଭୋଟ୍ ହାତାଯାଇପାରେ । କିନ୍ତୁ ଲୋକଙ୍କ ଅସଲ ସମସ୍ୟାର ସମାଧାନ ହୁଏନି । କାରଣ ସିନେମା କାଳ୍ପନିକ ଓ ଏଥିସିହତ ଲୋକଙ୍କ ନୀତିଦିନିଆ ଜୀବନର ପ୍ରତ୍ୟେକ୍ଷ ସଂଯୋଗ ନଥାଏ । କିନ୍ତୁ ରାଜନୀତି କାଳ୍ପନିକ କାହାଣୀ ଉପରେ ଆଧାରିତ ନୁହେଁ । ଏହା ବ୍ୟବହାରିକ ବାସ୍ତବତା ଉପରେ ଠିଆ ହୋଇଥାଏ ଓ ଲୋକମାନଙ୍କ ଜୀବନ ସିଧା ସଳଖ ଏହା ଉପରେ ନିର୍ଭରଶୀଳ । ତେଣୁ ରାଜନୀତିରେ ଷ୍ଟଂଟ୍ ଅପେକ୍ଷା ବାସ୍ତବ କାମ ଅଧିକ ଆବଶ୍ୟକ ହୋଇଥାଏ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଆମ ଦେଶର ସରକାର ଏପରିକି ଖୋଦ୍ ପ୍ରଧାନମନ୍ତ୍ରୀ ଦେଶର ଅବସ୍ଥାକୁ ସୁଧାରିବା ପାଇଁ ଲୋକାଭିମୁଖୀ ପଦକ୍ଷେପ ନେବା ପରିବର୍ତ୍ତେ ରାଜନୈତିକ ହଟଚମଟ ଉପରେ ଅଧିକ ନିର୍ଭର କରୁଛନ୍ତି । ଆମ ଦେଶ ବର୍ତ୍ତମାନ ଭୟଙ୍କର ଆର୍ଥିକ ମାନ୍ଦା ଅବସ୍ଥା ଦେଇ ଗତି କରୁଛି । ଗତ ସତୁରୀ ବର୍ଷରେ ଆମ ଦେଶର ଅର୍ଥନୀତି ଏପରି ମାନ୍ଦା ଅବସ୍ଥାରେ ପହଂଚିନଥିଲା ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ୍ ରାଜନ୍ ମତ ଦେଇଛନ୍ତି । ଦେଶର ଏକାଧିକ ଏପରିକି ସରକାରରେ ଥିବା ଅର୍ଥଶାସ୍ତ୍ରୀ ମାନେ ମଧ୍ୟ ଏହା ସ୍ଵୀକାର କରିଛନ୍ତି ।

ଗତ ଦୁଇଦିନ ତଳେ ମୋର ଜଣେ ସାଙ୍ଗ ଯିଏ ଚେନ୍ନାଇରେ ଏକ ଅଟୋମୋବାଇଲ୍ ପାର୍ଟସ ତିଆରି କଂପାନୀରେ ସୁପରଭାଇଜର୍ କାମକରେ, ସେ ଫୋନ୍ କରିଥିଲା । କଥାବାର୍ତ୍ତା ଆରମ୍ଭରେ ସେ ପ୍ରଥମେ କାଶ୍ମୀରରେ ୩୭୦ ଧାରା ଉଠେଇବାକୁ ନେଇ ମୋଦିଙ୍କ ସାହସିକ ପଦକ୍ଷେପ ବିଷୟରେ କହିଲା ଓ ମୋଦିଙ୍କୁ ଗଦଗଦ ହୋଇ ପ୍ରଶଂସା କଲା । ଏଠାରେ ସୂଚାଇ ଦେବା ଉଚିତ୍ ହେବ ଯେ ମୋର ସେ ସାଙ୍ଗ ଜଣକ ‘ମୋଦି ହେ ତୋ ମୁମ୍କିନ୍ ହେ’ର ବିଚାରକୁ ପ୍ରାଣେ ପ୍ରାଣେ ବିଶ୍ୱାସ କରେ । ପୂର୍ବରୁ ମୋଦିଙ୍କର ବିଭିନ୍ନ ପଦକ୍ଷେପ ବିଷୟରେ ତା ସହିତ ମୋର ଅନେକ ଥର କଥାବାର୍ତ୍ତା ହୋଇଥିଲା । ତେଣୁ ସେ ଯେତେବେଳେ ସେଦିନ ୩୭୦ ଧାରା ଉଠିବାକୁ ନେଇ ମୋଦିଙ୍କୁ ଭୁରିଭୁରି ପ୍ରଶଂସା କରୁଥିଲା, ମୋର ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନଥିଲା । ଯଦିଓ ମୁଁ ଜାଣିଥିଲି କାଶ୍ମୀର ସମସ୍ୟା କି ତାର ଇତିହାସ ବିଷୟରେ ତାର କାଣିଚାଏ ବି ଧାରଣା ନଥିଲା । ଦେଶର ଅନ୍ୟ ଲୋକମାନଙ୍କ ପରି ସେ ବି ‘ମାଧିଆ ଭାଈ ହୋଇ ହୋଇ’ ନ୍ୟାୟରେ ମୋଦିଙ୍କ ଗୁଣ କୀର୍ତ୍ତନ କରୁଥିଲା । ଏସବୁ କଥା କହିସାରି ଶେଷରେ ସେ କହିଲା, ତାଙ୍କ କଂପାନୀ ଗତ ଚାରିଦିନ ହେବ ବନ୍ଦ ଅଛି । କେବେ ଖୋଲିବ କିଛି ଠିକ୍ ଠିକଣା ନାଇଁ । ପ୍ରତ୍ୟେକ ଦିନ ପାଂଚ ସାତ ଜଣ କରି କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଉଛି । ତାକୁ ବି ଡର ଲାଗୁଛି, ତାର ଚାକିରି ବି କେଉଁ ଦିନ ଚାଲିଯାଇପାରେ । ଗାଡ଼ି ତିଆରୀ କଂପାନୀ ହ୍ୟୁଣ୍ଡାଇ ଏବେ କାର୍ ତିଆରି ବନ୍ଦ କରିଥିବାରୁ ତାଙ୍କୁ ଗାଡ଼ିର ଉପକରଣ ଦରକାର ପଡ଼ୁନି । ତେଣୁ ତାଙ୍କ କଂପାନୀ ବନ୍ଦ ଅଛି । ତା କଥା ସରିବା ବେଳକୁ ତା ଭିତରେ ଚାକିରି ହରେଇବାର ଭୟ ସ୍ପଷ୍ଟ ଜଣାଯାଉଥିଲା । ମୁଁ ତାକୁ ସଂପ୍ରତି ଚାଲୁଥିବା ଅର୍ଥନୈତିକ ମାନ୍ଦାବସ୍ଥା କଥା କହିଲି ଓ ଆମ ସରକାରଙ୍କ ଏ ଦିଗରେ ଥିବା ଉଦାସୀନତା ବିଷୟରେ କହିଲି । ସେ ଟିକେ ଟିକେ ବୁଝିପାରିଲା କି କ’ଣ ଚୁପ୍ ହୋଇଗଲା ।

ସଂପ୍ରତି ଆମ ଦେଶରେ ଅଟୋମୋବାଇଲ୍ ଶିଳ୍ପ, କପଡ଼ା ଶିଳ୍ପ ଓ ଘରବାଡ଼ି ବିକ୍ରି ଆଦି ଧନ୍ଦା ବେଶ୍ କିଛି ବର୍ଷ ହେବ ମାନ୍ଦା ଚାଲିଛି । ଏପରିକି ଅଟୋମୋବାଇଲ୍ କାରଖାନାମାନଙ୍କରୁ ପ୍ରତି ଦିନ କର୍ମଚାରୀ ଛଟେଇ ହେଉଥିବାର ଖବର ଶୁଣିବାକୁ ମିଳୁଛି । ବିମୁଦ୍ରୀକରଣ ପରଠାରୁ ଖୁଚୁରା ବ୍ୟବସାୟୀଙ୍କ ଧନ୍ଦା ବି ଅନେକଟା ମାନ୍ଦା ହୋଇଯାଇଛି । ୯% ରୁ ୧୦% ବେଗରେ ବଢ଼ୁଥିବା ଆମ ଅର୍ଥବ୍ୟବସ୍ଥା ଏବେ ୫.୮%ରେ ପହଂଚିଗଲାଣି । ସରକାରଙ୍କ ଅର୍ଥବ୍ୟବସ୍ଥାର ପରିସଂଖ୍ୟାନ ଅନୁଯାୟୀ ସଂପ୍ରତି ଏହି ତିନିମାସ ମଧ୍ୟରେ କାର୍ ବିକ୍ରିରେ ୨୩% ହ୍ରାସ ଘଟିଛି । ସ୍କୁଟର ଓ ଅନ୍ୟାନ୍ୟ ମୋଟର ସାଇକେଲ୍ ବିକ୍ରିରେ ୧୨% ହ୍ରାସ ଘଟିଛି । ଦୈନନ୍ଦିନ ଉପଭୋକ୍ତା ସାମଗ୍ରୀର ବିକ୍ରିରେ ମାତ୍ର ୫% ବୃଦ୍ଧି ଘଟିଛି, ଯାହା ଆଦୌ ସନ୍ତୋଷଜନକ ନୁହେଁ । ଅର୍ଥନୀତିକୁ ବଳ ଦେଉଥିବା ନିବେଶ କ୍ଷେତ୍ରରେ ବି ଗତ ବର୍ଷ ତୁଳନାରେ ୮୦% ହ୍ରାସ ଦେଖାଦେଇଛି । ସରକାରଙ୍କ ଆୟ କ୍ଷେତ୍ରକୁ ଯଦି ଦେଖବା, ଗତ ବର୍ଷର ପ୍ରଥମ ତିନିମାସରେ ଟିକସ ଆୟ ୨୨% ବଢ଼ିଥିବା ବେଳେ ଏବର୍ଷ ମାତ୍ର ୧.୫% ବଢ଼ିଛି । ଏ ସମସ୍ତ ପରିସଂଖ୍ୟାନ ପ୍ରମାଣ କରୁଛି ଯେ, ଆମ ଦେଶର ଅର୍ଥବ୍ୟବସ୍ଥା ବର୍ତ୍ତମାନ ଭୟଙ୍କର ମାନ୍ଦାବସ୍ଥା ଦେଇ ଗତି କରୁଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ସରକାର ଅର୍ଥନୈତିକ ବିଶେଷଜ୍ଞମାନଙ୍କ ପରାମର୍ଶ ନେଇ ଏଥିପ୍ରତି ଉଚିତ୍ ପଦକ୍ଷେପ ନେବା ପରିବର୍ତ୍ତେ ରାଜନୈତିକ ଷ୍ଟଂଟ୍ ଦେଖେଇବାରେ ମାତିଛନ୍ତି । ବିମୁଦ୍ରୀକରଣ, ୩୭୦, ତିନ୍ ତଲାକ୍, ମନ୍ଦିର ମସଜିଦ୍, ପାକିସ୍ତାନ, ଗୋ-ରକ୍ଷା, ସର୍ଜ୍ଜିକାଲ୍ ଷ୍ଟ୍ରାଇକ୍ ଆଦି ବିଷୟରେ ମୋଦି ସରକାର ଲୋକମାନଙ୍କର ଏପରି ମନୋରଞ୍ଜନ କରୁଛନ୍ତି ଯେ ଲୋକମାନଙ୍କର ଦୃଷ୍ଟି ବି ସିଆଡେ଼ ଓ ସରକାର ବି ମସ୍ତ ସିଆଡେ଼ । ଏପଟେ କିନ୍ତୁ ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି । ଅର୍ଥନୀତିରେ ଘୋର୍ ମାନ୍ଦାବସ୍ଥା । ବେକାରୀ ଆହୁରି ତୀବ୍ର ଗତିରେ ବଢ଼ିବାକୁ ଲାଗିଲାଣି । ଏକ ଡଲାରର ମୂଲ୍ୟ ୭୨ ଟଙ୍କାରେ ପହଂଚିଲାଣି । ଷ୍ଟଂଟ୍ ସିନର ମାଦକତାରେ ମସଗୁଲ ଥିବା ସରକାର ଅର୍ଥନୀତିର ଏ ଅବସ୍ଥାକୁ ସ୍ୱିକାର ବି କରୁନାହାନ୍ତି । ଏହା ହିଁ ଦୁର୍ଭାଗ୍ୟ ।

ସମୟ ଥାଉ ଥାଉ ସରକାର ବୁଝିଯିବା ଉଚିତ୍ ଯେ ଅର୍ଥନୀତି କେବଳ ରାଜନୈତିକ ପତିଆରା ବୃଦ୍ଧି କରିବାର ଏକ ଖେଳ ନୁହେଁ । ଏଥିପାଇଁ ଉଚିତ୍ ସମୟରେ ଉଚିତ୍ ପଦକ୍ଷେପ ନେବାକୁ ପଡେ଼ । ସରକାରଙ୍କୁ ରୋଜଗାର ବୃଦ୍ଧି, କ୍ଷୁଦ୍ର ଶିଳ୍ପର ବିକାଶ, କୃଷିର ବିକାଶ ଓ କୃଷି ଉତ୍ପାଦିତ ଦ୍ରବ୍ୟର ପ୍ରକ୍ରିୟାକରଣ ଶିଳ୍ପ ଆଦି ଉପରେ ଅଧିକ ନଜର ଦେବାକୁ ହେବ । ସରକାର ଏହି ସମସ୍ୟାକୁ ଯେତେ ଯେତେ ଅସ୍ଵୀକାର କରି ଚାଲିବେ, ସମସ୍ୟା କମିବା ପରିବର୍ତ୍ତେ ବଢ଼ିବ । ଆମର ଦେଶର ବହୁଳ ପ୍ରଚାରିତ ପାଂଚ ଟ୍ରିଲିଅନ୍ ଅର୍ଥନୀତି କୂଅରେ ପଡ଼ିଯିବାକୁ ବେଶୀ ଡେରି ହେବନାହିଁ ।
…………………….
ଭିରଙ୍ଗ, ତିରଣ, ଜଗତସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪

Comments are closed.