Latest Odisha News

୫ ବର୍ଷରେ ରାଜ୍ୟର ବିଭିନ୍ନ ବିପର୍ଯ୍ୟୟରେ ୧୬,୩୭୨ ଜଣ ପ୍ରାଣ ହରାଇଛନ୍ତି

ଭୁବନେଶ୍ୱର: ଗତ ୫ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ବିପର୍ଯ୍ୟୟରେ ୧୬,୩୭୨ ଜଣ ପ୍ରାଣ ହରାଇଛନ୍ତି ବୋଲି ଗୁରୁବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୂଚନା ଦେଇଛନ୍ତି।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସୁଦାମ ମାର୍ଣ୍ଡି ବିଧାନସଭାରେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ୧,୪୪୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମରେ ୧,୧୬୨ ଜଣଙ୍କର ମୃତ୍ୟୁ ଘଟିଛି।

ସେହିପରି ବାଲେଶ୍ୱରରେ ବିଭିନ୍ନ ବିଜ୍ଞାପିତ ବିପର୍ଯ୍ୟୟରେ ୧,୧୩୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ତୃତୀୟ ସ୍ଥାନରେ ରହିଛି। କେନ୍ଦୁଝରରେ ୨୦୧୩ରୁ ୨୦୧୮ ମଧ୍ୟରେ ୧୧୧୫ ଜଣଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ବଜ୍ରପାତ, ଅଗ୍ନିକାଣ୍ଡ, ବାତ୍ୟା, ଡଙ୍ଗା ବୁଡ଼ି, ପାଣିରେ ବୁଡ଼ି, ବନ୍ୟା, ଉଷ୍ମତା, ଘୂର୍ଣ୍ଣିଝଡ଼, ପ୍ରବଳ ବର୍ଷା ଏବଂ ସାପ କାମୁଡ଼ା ଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏହି ମୃତ୍ୟୁ ଘଟିଛି।

ସୁଦାମ ମାର୍ଣ୍ଡି ଆହୁରି କହିଛନ୍ତି ଯେ, ରାଜ୍ୟ ବିପର୍ଯ୍ଯୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)ର ନିର୍ଦ୍ଦେଶାବଳୀ ଅନୁଯାୟୀ ମୃତକଙ୍କ ପରିବାରକୁ ରାଜ୍ୟ ସରକାର କ୍ଷତିପୂରଣମୂଳକ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଗ୍ରୀଷ୍ମ ପ୍ରବାହ ଜନିତ ମୃତ୍ୟୁ ପାଇଁ ସରକାର ୫୦ ହଜାର ଟଙ୍କା ଓ ଅନ୍ୟାନ୍ୟ ବିପର୍ଯ୍ୟୟ ଜନିତ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି।

Comments are closed.