Latest Odisha News

BREAKING NEWS

ଏମପିରେ ସିନ୍ଧିଆ ଲଢିବେ ବିଧାନସଭା ନିର୍ବାଚନ, ପ୍ରତିଶୋଧ ନେବାକୁ କଂଗ୍ରେସର ମାଷ୍ଟର ପ୍ଲାନ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଜେପି ଦୁଇଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ବିଧାନସଭା ମୈଦାନକୁ ଓଲ୍ହାଇଛି।

ଏପରିକି ଦଳ ପକ୍ଷରୁ ଖୁବ ଶୀଘ୍ର ତୃତୀୟ ତାଲିକା ଘୋଷଣା ହେବ। ସେଥିରେ ଆହୁରି ଚମକାଇଲା ଭଳି ସ୍ଥିତି ଦେଖିବାକୁ ମିଳିବ ବୋଲି କୁହାଯାଉଛି।

କଂଗ୍ରେସରୁ ଯାଇ କେନ୍ଦ୍ରମନ୍ତ୍ରୀ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦଳ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି। ତୃତୀୟ ଲିଷ୍ଟରେ ସିନ୍ଧିଆଙ୍କ ସମେତ ଅନ୍ୟ କିଛି ସାଂସଦଙ୍କ ନାଁ ବି ଆସିପାରେ।

ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୋପାଳ ଗସ୍ତ ପରେ ଆସନ୍ତା ମାସ ଏକ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭୋପାଳ ଆସିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ନିର୍ବାଚନ ହେବାକୁ ଥିବା ପ୍ରମୁଖ ରାଜ୍ୟର ଦଳର ମହାସଚିବ ମାନଙ୍କ ସହ ବୈଠକ କରିଛନ୍ତି। ଯେଉଁଥିରେ ଏମପିକୁ ଫୋକସ କରାଯାଇଛି।

ସ୍ଵାସ୍ଥ୍ୟଗତ କାରଣରୁ ସିନ୍ଧିଆଙ୍କ ସମ୍ପର୍କୀୟ ଶିବପୁରୀ ଆସନରୁ ଲଢ଼ିବାକୁ ଚାହୁଁ ନ ଥିବାରୁ ସେଠାରୁ ସିନ୍ଧିଆଙ୍କୁ ପ୍ରାର୍ଥୀ କରାଯାଇପାରେ। ସେପଟେ ବିଜେପିର ଏଭଳି ନୂଆ ଏକ୍ସପେରିମେଣ୍ଟକୁ ନେଇ ଦଳ ଭିତରେ ବଢ଼ୁଥିବା ଅସନ୍ତୋଷର ଫାଇଦା ନେବାକୁ କଂଗ୍ରେସ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି।

ଦୁଇଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ବିଜେପି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଯାଇଥିବା ବେଳେ କଂଗ୍ରେସ ୱେଟ ଆଣ୍ଡ ୱାଚ ଫର୍ମୁଲା ଆପଣାଇଥିବା କୁହାଯାଉଛି।

ବିଜେପିର ପ୍ରାର୍ଥୀ ଘୋଷଣା ପରେ ଯେଉଁ ନିର୍ବାଚନ ମଣ୍ଡଳୀରେ ବିଦ୍ରୋହ ସୃଷ୍ଟି ହୋଇଛି ସେହି ସ୍ଥାନ ଉପରେ କଂଗ୍ରେସର ନଜର ପଡିଛି। ଦୁଇଟି ପର୍ଯ୍ୟାୟରେ ଘୋଷଣା ହୋଇଥିବା ବିଜେପିର ପ୍ରାର୍ଥୀ ମଧ୍ୟରୁ ୨୪ ରୁ ଅଧିକ ସ୍ଥାନରେ ଜୋରଦାର ବିଦ୍ରୋହ ଦେଖିବାକୁ ମିଳିଛି।

ଏପରିକି ନୂଆ ଏକ୍ସପେରିମେଣ୍ଟ କରି ବରିଷ୍ଠ ନେତାଙ୍କୁ ବିଧାନସଭା ନିର୍ବାଚନ ପାଇଁ ଓଲ୍ହାଇଥିଲେ ମଧ୍ୟ ସେମାନଙ୍କ ଅନାଗ୍ରହ ମଧ୍ୟ ଦେଖିବାକୁ ମିଳିଛି। ତେଣୁ ଏସବୁର ଫାଇଦା ଯୋଜନାବଦ୍ଧ ଭାବେ ନେବାକୁ ଦଳ ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଇଛି ।

ସେପଟେ ବିଜେପି ଏଭଳି ସ୍ଥିତିକୁ ସମ୍ମୁଖୀନ ହେବାକୁ ନିଜ ପ୍ରାର୍ଥୀମାନଙ୍କୁ ଅସନ୍ତୁଷ୍ଟ ନେତାଙ୍କ ବିରୋଧରେ କିଛି ଟିପ୍ପଣୀ ନ ଦେବାକୁ ଓ ସାମାଜିକ ଗଣମାଧ୍ୟମରେ କିଛି ନ ଲେଖିବାକୁ କୁହାଯାଇଛି।

ତେଣୁ ଏଭଳି ସ୍ଥିତି ମଧ୍ୟରେ କିଏ ସୁଯୋଗର ଫାଇଦା ଉଠାଇପାରୁଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Comments are closed.