Latest Odisha News

ଏସସିବିରେ ବିଦ୍ୟୁତ ବିଭ୍ରାଟ, ରାତିରେ ରୋଗୀ ହନ୍ତସନ୍ତ

କଟକ: ଏସସିବି ମେଡିକାଲରେ ଶନିବାର ଦୀର୍ଘ ଘଣ୍ଟା ଧରି ବିଦ୍ୟୁତ କାଟ ଯୋଗୁଁ ରୋଗୀମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି।ହସ୍ପିଟାଲରେ କାର୍ଯ୍ୟରତ ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ଯୋଗୁ ବିଦ୍ୟୁତ୍ ବିଭ୍ରାଟ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ଏହି କର୍ମଚାରୀମାନେ ବକେୟା ଦରମା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡ଼ିଛି।

ବିଦ୍ୟୁତ୍ କାଟ ଯୋଗୁ ରୋଗୀ ଓ ଆଟେଣ୍ଡାଣ୍ଟମାନେ ନାହିଁ ନଥିବା ହଇରାଣ ହୋଇଥିଲେ। ଅନେକଙ୍କୁ ହସ୍ପିଟାଲ ବେଡ୍ ଛାଡ଼ି ବାହାରକୁ ଯିବାକୁ ପଡ଼ିଥିବା ବେଳେ ଆଉ କେତେକ ହାତ ତିଆରି ବିଞ୍ଚଣା ଓ ଖବରକାଗଜ ବ୍ୟବହାର କରି ଗରମରୁ ସାମାନ୍ୟ ଆଶ୍ୱସ୍ତି ପାଇଥିବା ଜଣାପଡ଼ିଛି। ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଘେରିଥିଲେ।

ମେଡିକାଲ କର୍ତ୍ତୃପକ୍ଷ ଓ ଡାକ୍ତରମାନେ ଏସି ରୁମ୍ ଭିତରେ ମଜା ନେଉଥିବା ବେଳେ ଗରମରେ ଆମକୁ ଝାଳ ବୋହିବାକୁ ବାଧ୍ୟ କରାଯାଉଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ପ୍ରତିଦିନ କୌଣସି ନା କୌଣସି ବିଭାଗରେ ବିଜୁଳି କାଟ ହେଉଛି। ଯାହାର ପରିଣାମ ଆମେ ଭୋଗୁଛୁ ବୋଲି ଜଣେ ରୋଗୀ କହିଛନ୍ତି। ଏ ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷ ଏଯାଏଁ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ସୂଚନାଯୋଗ୍ୟ, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ବିଜୁଳି କାଟ୍ ହେବା ପ୍ରଥମ ଘଟଣା ନୁହେଁ। ରାଜ୍ୟର ଏହି ମର୍ଯ୍ୟାଦାଜନକ ହସ୍ପିଟାଲରେ ବାରମ୍ବାର ବିଜୁଳି କଟିବା ମୁଖ୍ୟ ଚିନ୍ତାର କାରଣ ପାଲଟିଛି। ବିଦ୍ୟୁତ୍ କାଟ୍ ଯୋଗୁଁ ରୋଗୀ ଓ ଆଟେଣ୍ଡାଣ୍ଟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଡାକ୍ତରଖାନାରେ ସୁବ୍ୟବସ୍ଥିତ ଭାବେ କାମ କରିବାରେ ବାଧା ସୃଷ୍ଟି ହେଉଛି।

Comments are closed.