Latest Odisha News

ସ୍କ୍ୱାଶ, ତୀରନ୍ଦାଜୀରେ ସ୍ୱର୍ଣ୍ଣ: ଭାରତର ପଦକ ସଂଖ୍ୟା ୮୬ରେ ପଂହଚିଲା

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଭାରତ ତାର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ୨୦୧୮ ଏସିଆଡରେ ଭାରତ ସର୍ବାଧିକ ୭୦ ପଦକ ଜିତିଥିଲା । ଚଳିତ ସଂସ୍କରଣରେ ଭାରତର ପଦକ ସଂଖ୍ୟା ୮୬ରେ ପଂହଚିଛି । ୧୨ତମ ଦିବସରେ ଭାରତୀୟ ଆଥଲେଟ ୩ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ଜିତିଛନ୍ତ । ତୀରନ୍ଦାଜ କମ୍ପାଉଣ୍ଡ ମହିଳା ବିଭାଗରେ ଜ୍ୟୋତି ସୁରେଖା, ଅଦିିତି ଗୋପୀଚାନ୍ଦ ସ୍ୱାମୀ ଓ ପରନୀତ କୌର ଦେଶ ପାଇଁ ଆଜି ପ୍ରଥମ ସ୍ୱର୍ଣ୍ଣ ଜିତିଥିଲେ । ସେମାନେ ଫାଇନାଲରେ ଚାଇନିଜ ତାଇପେ ଟିମକୁ ୨୩୦-୨୧୯ରେ ହରାଇଥିଲେ ।

ଏହା ପରେ ସ୍କ୍ୱାଶ ମିକ୍ସଡ ଡବଲ୍ସ ଇଭେଂଟରେ ଦୀପିକା ପାଲିକଲ ଓ ହରିନ୍ଦର ପାଲ ସିଂ ମାଲେସିଆର ମହମ୍ମଦ ଶାଫିକ ଓ ଆଇଫା ଆଜମନ ଯୋଡିଙ୍କୁ ଫାଇନାଲରେ ୨-୦ରେ ହରାଇ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଥିଲେ । ତୀରନ୍ଦାଜ ପୁରୁଷ କମ୍ପାଉଣ୍ଡ ବିଭାଗରେ ଓଜସ ପ୍ରବୀଣ, ଅଭିଷେକ ବର୍ମା ଓ ପ୍ରଥମେଶ ସମାଧାନ ତୃତୀୟ ସ୍ୱର୍ଣ୍ଣ ଜିତିଥିଲେ । ସେମାନେ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ କୋରିଆ ଟିମକୁ ୨୩୫-୨୩୦ରେ ପରାସ୍ତ କରିଥିଲେ ।

ଏଥିସହ ଚଳିତ ସଂସ୍କରଣରେ ଭାରତର ସ୍ୱର୍ଣ୍ଣ ସଂଖ୍ୟା ୨୧ରେ ପଂହଚିଛି । ମହିଳା ଫ୍ରିଷ୍ଟାଇଲ ୫୨ କେଜି ବିଭାଗରେ ଭିନେଶ ଫୋଗଟଙ୍କ ସ୍ଥାନରେ ଶେଷ ମୂହର୍ତରେ ଦଳରେ ସାମିଲ ହୋଇଥିବା ଅନ୍ତିମ ପଙ୍ଘଲ ବ୍ରୋଞ୍ଜ ପଦକ ଜିତିଛନ୍ତି । ସ୍କ୍ୱାଶରେ ଭାରତର ସୌରଭ ଘୋଷାଲ ଫାଇନାଲରେ ମାଲେସିଆର ଏନଜି ଇୟାନଙ୍କଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ବ୍ୟାଡମିଂଟନ ପୁରୁଷ ସିଙ୍ଗଲ୍ସରେ ଭାରତର ଏଚଏସ ପ୍ରଣୟ ଇତିହାସ ସୃଷ୍ଟି କରି ଫାଇନାଲରେ ପ୍ରବେଶ କରିଛନ୍ତି । ସେମିଫାଇନାଲରେ ସେ ମାଲେସିଆର ଲି ଜି ଜିୟାଙ୍କୁ ୨୧-୧୬, ୨୧-୨୩, ୨୨-୨୦ରେ ହରାଇଥିଲେ ।

Comments are closed.