ସ୍ଵର୍ଣ୍ଣଲତା ମହାପାତ୍ର
ମୁଁ ଆଜି ପୁଣି ବିଭକ୍ତ
ତୁମେ ଫେଡିଦେଇଛ
ତୁମ ଅସ୍ତିତ୍ବରୁ, ଭାବନାରୁ
ଦୂରେଇ ଦେଇଛ ବହୁ ଆଗରୁ।
ମୁଁ ଜାଣେ…
ହସ ଅଛି, ଲୁହ ଅଛି, ପ୍ରତିଶ୍ରୁତି ଅଛି,
ଅଛି ତ..ସବୁ ଅଛି
ତୁମଠାରୁ ଯାହା ପାଇଛି,
ସେ କେବଳ ଛଳନାରେ
ତୁମେ ଦେଇ ନାହଁ କିଛି,
ମୁଁ କିନ୍ତୁ ଛଡେଇ ଆଣିଛି
ତୁମ ଅଗୋଚରରେ।।
ତେବେ ସମୟ କ’ଣ ସରିଆସୁଛି???
ଏତେ ଶୂନ୍ୟତା କାହିଁକି??
ଏତେ ବେଶୀ ବ୍ୟସ୍ତତା କାହିଁକି??
କାନ୍ଧ କ’ଣ ମୋର ଦୁର୍ବଳ
ବା ଅକ୍ଷମ ହେଇଥାଇ ପାରେ,
ନହେଲେ ସବୁ ପରେ ବି
ଅପାରଗତାର ଉପାଧିଟେ
ଝୁଲନ୍ତା କାହିଁକି ବେକରେ!!
ପାଦ ଦୁଇ ଟଳ ମଳ
ଦିଗ୍ ବଳୟ ଯାଏ ଲମ୍ବିଥିବା
ସଡ଼କଟା ,ପୁରାପୁରି ଅନ୍ଧାର
ଶକ୍ତି ବା କେତେ ଯେ ମୋ’ର
ମୁଁ ତ ସମ୍ପୂର୍ଣ୍ଣ ଏକ ଯାଯାବର।।
ଡ଼ରିବିନି!!
ଡ଼ରିଗଲି,ହଜିଗଲି।
ଖୋଜିଲି ଖୁବ୍ ,କାନ୍ଦିଲି ଖୁବ୍,
ପ୍ରାଣବନ୍ଧୁ ପ୍ରାଣବନ୍ଧୁ ବୋଲି
ଡାକିଲି ଖୁବ।।
ତମେ ମନେପକାଅ
ମୁଁ ଜାଣିପାରେ..ଚାଲି ଆସେ।
ମୁଁ ଖୋଜିଲେ କାଇଁ ତମେ ତ
ଆସନି କେବେହେଲେ।।
ତେବେ ସମୟ କ’ଣ ସରିଆସୁଛି??
କ’ଣ ହାରିଯିବି?
ପାରିବିନି??
ଥକିଯାଏ ବେଳେବେଳେ
ଖୁବ୍ ବେଶୀ ଥକ୍କା,
ସତରେ କ’ଣ ହାରିଯିବି
ଏ ରଙ୍ଗମଞ୍ଚରେ??
ଯଦି ବା ଜୀଇଁଛି ..
ତାହା କେବଳ ତୁମ ଅନୁଭବରେ
ଯାହା ଦେଇନାହଁ ତୁମେ ସ୍ବଇଚ୍ଛାରେ
ମୁଁ ଛଡେଇ ଆଣିଛି
ତୁମ ଅଗୋଚରରେ।।
ତେବେ ସମୟ କ’ଣ ସରିଆସୁଛି??
Comments are closed.