ନୂଆଦିଲ୍ଲୀ: ସାଇବର ଠକେଇ ଦିନକୁ ଦିନ ଭୟଙ୍କର ରୂପ ନେଉଥିବା ବେଳେ, ଏବେ ବଡ଼ ପଦକ୍ଷେପ ନେଇଛି Google। କମ୍ପାନୀ Android 17 ଅପଡେଟ୍ରେ ଏମିତି କିଛି AI ଭିତ୍ତିକ ସୁରକ୍ଷା ଫିଚର୍ ଆଣୁଛି, ଯାହା ଫୋନ୍ ବ୍ୟବହାରକାରୀଙ୍କୁ ବ୍ୟାଙ୍କ ଠକେଇ, ଫେକ୍ କଲ୍, ମାଲୱେର ଓ ମୋବାଇଲ୍ ଚୋରି ଭଳି ବିପଦରୁ ସୁରକ୍ଷା ଦେବ।
ସବୁଠୁ ଆକର୍ଷଣୀୟ ଫିଚର୍ ହେଉଛି “Verified Financial Calls”। ଏବେ ଯଦି କେହି ବ୍ୟାଙ୍କ ନାଁରେ ଫୋନ୍ କରି ଠକିବାକୁ ଚେଷ୍ଟା କରିବେ, Android ନିଜେ ସେହି କଲ୍କୁ ଯାଞ୍ଚ କରିଦେବ। ବ୍ୟାଙ୍କର ଅଫିସିଆଲ୍ ଆପ୍ ସହିତ ସିଷ୍ଟମ୍ କନେକ୍ଟ ହୋଇ ଦେଖିବ କଲ୍ଟି ସତ କି ନକଲି। ଯଦି ସନ୍ଦେହଜନକ ଲାଗେ, କଲ୍ ଆପେଆପେ କଟି ଯିବ।
କେବଳ କଲ୍ ନୁହେଁ, ଫେକ୍ ଆପ୍ ଓ ଠକେଇ ମେସେଜ୍ ଉପରେ ମଧ୍ୟ ରହିବ AIର ନଜର। Google କହିଛି, ନୂଆ “Live Threat Detection” ସିଷ୍ଟମ୍ ଫୋନ୍ରେ ଚାଲୁଥିବା ସନ୍ଦେହଜନକ କାର୍ଯ୍ୟକଳାପକୁ ରିଅଲ୍ ଟାଇମ୍ରେ ଧରିପାରିବ। ଯଦି କୌଣସି ଆପ୍ ଲୁଚିକି ପରମିଶନ୍ ବଦଳାଏ କିମ୍ବା ବ୍ୟାକଗ୍ରାଉଣ୍ଡରେ ଚାଲିଥାଏ, Android ସତର୍କ କରିଦେବ।
ଏଥିସହିତ ଚୋରି ହୋଇଥିବା ଫୋନ୍କୁ ନେଇ ମଧ୍ୟ ଆସୁଛି ନୂଆ ସୁରକ୍ଷା। “Mark as Lost” ଫିଚର୍ ଦ୍ୱାରା ବ୍ୟବହାରକାରୀ ଫିଙ୍ଗରପ୍ରିଣ୍ଟ କିମ୍ବା ବାୟୋମେଟ୍ରିକ୍ ମାଧ୍ୟମରେ ଫୋନ୍କୁ ଲକ୍ କରିପାରିବେ। ଚୋର ଫୋନ୍ର WiFi, Bluetooth କିମ୍ବା Quick Settings ବଦଳାଇପାରିବେ ନାହିଁ। ଏହା ସହିତ ଭୁଲ୍ ପାସୱାର୍ଡ ବାରମ୍ବାର ଦେଲେ ସିଷ୍ଟମ୍ ଅଧିକ ସମୟ ପାଇଁ ଲକ୍ ହୋଇଯିବ।
Android 17ରେ ପ୍ରାଇଭେସି ଉପରେ ମଧ୍ୟ ଭାରି ଫୋକସ୍ ଦିଆଯାଇଛି। ଏବେ କୌଣସି ଆପ୍କୁ ସମ୍ପୂର୍ଣ୍ଣ କଣ୍ଟାକ୍ଟ ଲିଷ୍ଟ ଦେବାକୁ ପଡିବ ନାହିଁ। ୟୁଜର ଚାହିଁଲେ କେବଳ ନିଜ ପସନ୍ଦର କଣ୍ଟାକ୍ଟ ଶେୟାର କରିପାରିବେ। ଲୋକେସନ୍ ଆକ୍ସେସ୍ ନେଇ ମଧ୍ୟ ଆସିଛି ନୂଆ କଣ୍ଟ୍ରୋଲ୍। ଆପ୍ ଖୋଲା ଥିବା ସମୟରେ ମାତ୍ର ସଠିକ୍ ଲୋକେସନ୍ ଦେଖିପାରିବ।
Googleର ଏହି ନୂଆ AI ସୁରକ୍ଷା ଫିଚର୍ଗୁଡ଼ିକ ପ୍ରଥମେ Android 17 ଡିଭାଇସ୍ରେ ଆସିବ। କିନ୍ତୁ କିଛି ସୁବିଧା ପୁରୁଣା Android ଫୋନ୍ରେ ମଧ୍ୟ ମିଳିପାରେ ବୋଲି କମ୍ପାନୀ ସୂଚନା ଦେଇଛି।