Latest Odisha News

BREAKING NEWS

ଡଲାର ଆଗରେ ଦୁର୍ବଳ ଟଙ୍କା, ବଢ଼ିପାରେ ପେଟ୍ରୋଲ୍‌-ଡିଜେଲ୍‌ ଦର

ନୂଆଦିଲ୍ଲୀ: ଭାରତର ଟଙ୍କା ପୁଣି ଚିନ୍ତା ବଢ଼ାଇଛି। ଆମେରିକାର ଡଲାର ଆଗରେ ଟଙ୍କା ରେକର୍ଡ ସର୍ବନିମ୍ନ ସ୍ତରକୁ ଖସିଯାଇଛି। ମଙ୍ଗଳବାର ୧ ଡଲାର ପିଛା ଟଙ୍କାର ମୂଲ୍ୟ ୯୫.୬୩ରେ ପହଞ୍ଚିଥିଲା। ଏହାକୁ ନେଇ ଆର୍ଥିକ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଛି। କାରଣ ଏହାର ସିଧା ପ୍ରଭାବ ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡ଼ିପାରେ।

ଆମେରିକା-ଇରାନ ମଧ୍ୟରେ ବିବାଦ ଏବଂ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ବଢ଼ିବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହଠାତ୍‌ ବଢ଼ିଛି। ଭାରତ ବହୁ ପରିମାଣରେ ବିଦେଶରୁ ତେଲ ଆମଦାନି କରୁଥିବାରୁ ଡଲାର ଚାହିଦା ବଢ଼ିଯାଇଛି। ଫଳରେ ଟଙ୍କା ଉପରେ ଚାପ ସୃଷ୍ଟି ହୋଇଛି।

ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଟଙ୍କା ଦୁର୍ବଳ ହେଲେ ସବୁଠୁ ପ୍ରଥମେ ପ୍ରଭାବ ପଡ଼େ ଇନ୍ଧନ ଉପରେ। ପେଟ୍ରୋଲ୍‌, ଡିଜେଲ୍‌ ଓ ରୋଷେଇ ଗ୍ୟାସ ଦର ବଢ଼ିପାରେ। କେବଳ ସେତିକି ନୁହେଁ, ମୋବାଇଲ୍‌, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ସୁନା ଓ ବିଦେଶରୁ ଆସୁଥିବା ଅନ୍ୟାନ୍ୟ ଜିନିଷ ମଧ୍ୟ ମହଙ୍ଗା ହୋଇପାରେ। ବିଦେଶ ଯାତ୍ରା କରୁଥିବା ଲୋକଙ୍କ ଖର୍ଚ୍ଚ ମଧ୍ୟ ବଢ଼ିବ।

ଏପଟେ ବିଦେଶୀ ନିବେଶକମାନେ ମଧ୍ୟ ଭାରତୀୟ ଶେୟର ବଜାରରୁ ଟଙ୍କା କାଢ଼ିବା ଆରମ୍ଭ କରିଛନ୍ତି। ରିପୋର୍ଟ ଅନୁସାରେ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ୨୦ ବିଲିୟନ୍‌ ଡଲାରରୁ ଅଧିକ ଟଙ୍କା ବିଦେଶୀ ନିବେଶକ ଉଠାଇନେଇଛନ୍ତି। ଏହାର ପ୍ରଭାବ ଷ୍ଟକ୍‌ ମାର୍କେଟ୍‌ ଉପରେ ମଧ୍ୟ ଦେଖିବାକୁ ମିଳିଛି।

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପରିସ୍ଥିତିକୁ ନଜରରେ ରଖିଛି। ଡଲାର ବିକ୍ରି କରି ଟଙ୍କାକୁ ସନ୍ତୁଳନ କରିବାକୁ ଚେଷ୍ଟା ଚାଲିଥିବା ଚର୍ଚ୍ଚା ମଧ୍ୟ ହେଉଛି। କିନ୍ତୁ ଯଦି ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଜାରି ରହେ, ଆଗାମୀ ଦିନରେ ଟଙ୍କା ଉପରେ ଚାପ ଆହୁରି ବଢ଼ିପାରେ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ସତର୍କ କରିଛନ୍ତି।

Comments are closed.