Latest Odisha News

ରାଜ୍ୟ ସରକାରଙ୍କ ନୂଆ ଭେଳିକି ‘ନବୀନ ଓଡିଶା, ଲୁଟ୍ ଓଡିଶା’-ବିରୋଧୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଛି ମୋ ଓଡ଼ିଶା ନବୀନ ଓଡ଼ିଶା କାର୍ଟକ୍ରମ । ଏହି କାର୍ଯ୍ୟକ୍ରମକୁ ନେଇ ବର୍ଷିଛି ବିଜେପି ।  ଏହାକୁ “ନବୀନ ଓଡିଶା ଲୁଟ୍ ଓଡିଶା”  ବୋଲି କହିଛି ବିଜେପି । କାରଣ ଏହି ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ୪,୦୦୦ କୋଟି ଟଙ୍କାରୁ ୨ ହଜାର କୋଟି ଟଙ୍କା ବିଜୁ ଜନତା ଦଳ ସରକାର ଲୁଟ କରିବା ପାଇଁ ଷଡଯନ୍ତ୍ର କରିଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ସରକାରୀ ବିଜ୍ଞାପନରେ ବିଜୁ ଜନତା ଦଳ  ଦଳୀୟ ଚିହ୍ନକୁ  ବ୍ୟବହାର କରୁଛି  । ଏହା ଏକ ଘୃଣ୍ୟ ପରମ୍ପରା  ।   ବିଜ୍ଞାପନରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ବିଜୁ ଜନତା ଦଳର ଲୋକପ୍ରିୟତା ରସାତଳ ହୋଇଛି । ସେଥିପାଇଁ ସେମାନେ ଏବେ ସରକାରୀ ଯୋଜନାରେ ନିଜର ଦଳୀୟ ଚିହ୍ନକୁ ଥୋପିବା ପାଇଁ ଅପଚେଷ୍ଟା କରିଛନ୍ତି । ସରକାରୀ ବିଜ୍ଞାପନରେ କୌଣସି ବି ହାଲତରେ ଦଳୀୟ ଚିହ୍ନ, ଦଳୀୟ ପ୍ରଚାର କରାଯାଇ ପାରିବନାହିଁ । ଆଜି ରାଜ୍ୟ ସରକାର ସମସ୍ତ ନୀତିନିୟମକୁ ଭାଙ୍ଗି ଯେଉଁ ଭଳି ଭାବରେ ସରକାରୀ ଅର୍ଥରେ ବିଜୁ ଜନତା ଦଳର ଚିହ୍ନର ପ୍ରଚାର କରିଛନ୍ତି ଏହାର ଜବାବ ଆଗାମୀ ଦିନରେ ଦିଆଯିବ ବୋଲି ମିଶ୍ର କହିଛନ୍ତି ।

ଆଜି ସରପଂଚ ରାଜରାସ୍ତାରେ, ସମିତି ସଭ୍ୟ ରାଜରାସ୍ତାରେ । ଏହି ଆମ ଓଡିଶା ନବୀନ ଓଡିଶା ଯୋଜନାକୁ ଲୁଟପାଟ୍ କରିବା ପାଇଁ ଏହି ଯୋଜନାର ଦାୟିତ୍ୱ ଅଫିସରମାନଙ୍କ ହାତରେ ଟେକି ଦିଆଯାଇଛି । ଏହା କି ପ୍ରକାର ଗଣତନ୍ତ୍ର? ବିଜୁ ଜନତା ଦଳର ବିଧାୟକମାନେ ସଚିବଙ୍କ ପାଇଁ ଟେଂଟ୍ ହାଉସ ବାନ୍ଧିବା, ଚା ଜଳଖିଆ ସଜାଡିବାରେ ବ୍ୟସ୍ତ ଅଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଏହା ପୂର୍ବରୁ ସରକାର ଘୋଷଣା କରିଥିଲେ,  ଗୋପବନ୍ଧୁ ଗ୍ରାମୀଣ ଯୋଜନା, ବିଜୁ ପକ୍କା ଘର ଯୋଜନା, ଆମ ଗାଁ ଆମ ବିକାଶ ଯୋଜନା , ପିଠା ଯୋଜନା, ବିଜୁ ଗାଁ ଗାଡି ଯୋଜନା, ବିଜୁ ଯୁବ ବାହିନୀ ଯୋଜନା । ହେଲେ ଏ ସବୁ ଯୋଜନା ଗଲା କୁଆଡେ ?  ନିର୍ବାଚନ ଆସିଲେ ନବୀନ ବାବୁଙ୍କ ବିଭିନ୍ନ ଯୋଜନା କଥା ମନେପଡେ, କିନ୍ତୁ ନିର୍ବାଚନ ସରିଗଲେ ସେ ସବୁ ଭୁଲି ଯାଆନ୍ତି ବୋଲି କହିଛନ୍ତି ଜୟନାରୟଣ ମିଶ୍ର ।

ସିଏଜି ରିପୋର୍ଟରେ ଯେଉଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି, ଭତା ଦୁର୍ନୀତି, ଛାତ୍ରବୃତ୍ତି ଦୁର୍ନୀତି କଥା ଉଲ୍ଲେଖ ଅଛି ତାହା କ’ଣ ୫ଟି କି ବୋଲି ଶ୍ରୀ ମିଶ୍ର କହିଛନ୍ତି ।  ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଓ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଉପସ୍ଥିତ ଥିଲେ ।

Comments are closed.