ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ବୁଧବାର ଭାରତ ତାର ଦ୍ୱିତୀୟ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ । ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ଭାରତୀୟ ଦଳର ମନୋବଳ ଉଚ୍ଚରେ ରହିଛି । ପ୍ରଥମ ଥର ପାଇଁ ଘରୋଇ ପରିବେଶରେ ଆଫଗାନିସ୍ତାନକୁ ଭାରତ ଭେଟବାକୁ ଯାଉଛି । ଦିଲ୍ଲୀରେ ଟିମ ଇଣ୍ଡିଆ ୪ର୍ଥ ପାଇଁ କୌଣସି ବିଶ୍ୱକପ ମ୍ୟାଚ ଖେଳିବାକୁ ଯାଉଛି । ପ୍ରଥମ ମ୍ୟାଚରେ ବାଂଲାଦେଶଠାରୁ ପରାଜିତ ହୋଇଥିବାରୁ ଆଫଗାନିସ୍ତାନ ଚାପରେ ରହିଛି । ଏଠାରେ ଭାରତ ୧୦୮୭ରେ ଅଷ୍ଟ୍ରେଲିଆକୁ ୫୬ ରନରେ ହରାଇଥିବା ବେଳେ ୧୯୯୬ରେ ୬ ୱିକେଟରେ ଶ୍ରୀଲଙ୍କାଠାରୁ ପରାଜିତ ହୋଇଥିଲା । ୨୦୧୧ରେ ନେଦରଲାଣ୍ଡ ବିପକ୍ଷରେ ଭାରତ ବଡ ବିଜୟ ହାସଲ କରିଥିଲା । ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଓଭରାଲ ୩ଟି ମ୍ୟାଚ ଖେଳାଯାଇଛି । ୨ଟି ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଟାଇ ରହିଛି ।
ଅରୁଣ ଜେଟଲୀ ଷ୍ଟାଡିୟମରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ବିରାଟ କୋହଲି ରହିବେ । ସଚିନ ଏଠାରେ ୮ଟି ମ୍ୟାଚରୁ ୩୦୦ ରନ ସଂଗ୍ରହ କରିଥିବା ବେଳେ କୋହଲି ୭ଟି ମୁକାବିଲାରେ ୨୨୨ ରନ କରିଛନ୍ତି । ସେ ଯଦି ଆଉ ୭୯ ରନ କରିବେ ତାହାହେଲେ ସଚିନଙ୍କୁ ଅତିକ୍ରମ କରିବେ । ଟାଇଟଲ ଫେଭରାଇଟ ବିବେଚନା କରାଯାଉଥିବା ଭାରତ ସମସ୍ତ ବିଭାଗରେ ଆଫଗାନିସ୍ତାନଠାରୁ ଆଗରେ ରହିଛି । ପାକିସ୍ତାନ ବିପକ୍ଷ ହାଇ ଭୋଲଟେଜ ମୁକାବିଲା ପୂର୍ବରୁ ଟିମ ଇଣ୍ଡିଆ ଟପ ଅର୍ଡର ଏହି ମ୍ୟାଚ ମାଧ୍ୟମରେ ଫର୍ମକୁ ଫେରିବା ପାଇଁ ଚାହିଁବେ ।
Comments are closed.