ମୋହ
କାଜଲ୍ ସ୍ୱାଇଁ
ମୁଁ ଏବେ ମୋହରେ…
କେବେ ବଞ୍ଚିବାର ମୋହ
କେବେ ସ୍ୱପ୍ନ ଦେଖିବାର ମୋହ
ପୁଣି କେବେ
ମୋ ଅଣାୟତ୍ତ ବୟସମାନଙ୍କୁ ବାନ୍ଧି ରଖି
ଭିନ୍ନ ଏକ ପୃଥିବୀ ଗଢିବାର ମୋହରେ…
ବୈଶାଖର ତତଲା ବାଲିରେ ପାଦକୁ ବୁଡେଇ
ମୁଁ ସବୁଦିନ ଅପେକ୍ଷା କରିଥାଏ ତୁମକୁ
ଯଦିଓ ମୋତେ ଜଣାଥାଏ
ମୋ ଅପେକ୍ଷା ବିଫଳ ହେଉଥିବ ଚିରକାଳ
ଲାଉତୁମ୍ବି କି କେନ୍ଦରା ବଜେଇ
ତୁମେ ଆସିବନି ଯୋଗୀ ବେଶରେ
ହେଲେ ମୋହକୁ ମନେଇବା କଣ ସହଜ କଥା !
ମୋହମାନଙ୍କ ଅଝଟପଣ ବି ଖୁବ ନିଆରା
କେବେ ସ୍ଵପ୍ନକୁ ସଜେଇବାକୁ ଯାଇ
ବାସ୍ତବତାର ପୃଥିବୀ ଆଡେ
ସେମାନଙ୍କର ବିଲକୁଲ ନିଘା ନଥାଏ
ସବୁ ଯନ୍ତ୍ରଣାକୁ ପୁଟୁଳି କରି ଫିଙ୍ଗିଦିଅନ୍ତି
କାନଭାସରେ ଦିଶୁଥିବା ସେ ପାହାଡ଼ ତଳି ଗାଁକୁ
ଯୋଉଠୁ ଫେରିବା ସେମାନଙ୍କ ପକ୍ଷେ ଖୁବ କଷ୍ଟ
ଏଇ ଦେଖୁନ
ମୁଁ ଏବେ ମୋହଗ୍ରସ୍ତ ହୋଇ
କେମିତି ଛୁଇଁବି ଛୁଇଁବି ହେଲିଣି ମାଟିରୁ ଆକାଶ
ପାପୁଲିରେ ମୁଠେଇ ଧରିଲିଣି ନୀଳ ରଙ୍ଗ
ନିଜକୁ ପ୍ରସ୍ତୁତ କଲିଣି
ନୀଳ ପ୍ରେମରେ ବିଲୀନ ହେବାପାଇଁ
ପାରୁଛ ଯଦି ତୁମେ ବି ମୋହରେ ପଡ଼
ବିଶ୍ୱାସ ଅବିଶ୍ୱାସର ଗଭୀରତା ନମାପି
କେବଳ ପ୍ରେମକୁ ଅନୁଭବ କର
ଜିତିବାର ନିଶାରେ ଏମିତି ପ୍ରତିଥର ହାରୁଥାଅ
ମୋହର ମାୟାରେ ଈଶ୍ୱରଙ୍କୁ ପଥର
ଆଉ ପଥରକୁ ଈଶ୍ୱର ମଣୁଥାଅ
……………………………..
ଡେଲାଙ୍ଗ, ପୁରୀ
୮୦୧୮୧୯୦୩୩୩