ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
କଥାରେ ଯେଉଁ ଶବ୍ଦ ଚଳେ
ତାହା କେବଳ ଲେଖିଦେଲେ
ଭାଷାକୁ ପଶେ ସରଳତା
ବିଲୁପ୍ତ ହୁଏ ଦୁର୍ବୋଧ୍ୟତା
ଲିପି ତ ଧ୍ବନିର ସୂଚକ
ସ୍ବତଃ ତା ଶବ୍ଦର ରକ୍ଷକ
ମୂଳ ଭାଷା ପାଟିର କଥା
ସଂଭାଳେ ଶବ୍ଦର ସ୍ଥିରତା
ଧ୍ବନି ଓ ଲିପିର ପାର୍ଥକ୍ଯ
କରିବା ଯଦି କେବେ ଲକ୍ଷ୍ୟ
ଧ୍ବନି ଅଧିକ ପ୍ରଚଳିତ
ଲିପି ତ ସର୍ବଦା ସୀମିତ
ଜଣାଶୁଣା ଶବ୍ଦଂକୁ ବାଛି
ଯିଏ ବି ସାହିତ୍ୟ ଲେଖିଛି
କାଳ ଓ ସ୍ଥଳ ସୀମା ଟପି
ହୋଇପାରିଛି ସର୍ବବ୍ୟାପୀ
ସୁକବି ଜଗନ୍ନାଥ ଦାସ
ରଚିତ ନବାକ୍ଷରୀ ଶେଷ
ହେବାର ନାହିଁ ସଂଭାବନା
ଏହା ତ ଅନେକଂକୁ ଜଣା
ଅଲେଖପଂଥୀ ଭୀମ ଭୋଇ
ଯାହା ବି ଦେଉଥିଲେ କହି
ସୁଜ୍ଞାନୀ କଲେ ଲିପିବଦ୍ଧ
ସାହିତ୍ଯ ହୋଇଲା ସମୃଦ୍ଧ
ଏ ଦୁଇ କାଳଲଂଘୀ କବି
ଏବେ ବି ଅତ୍ୟଂତ ପ୍ରଭାବୀ
ଏ ସତ୍ୟ କରିଲେ ସ୍ବୀକାର
ଅଲୋଡ଼ା ଶବ୍ଦ-ଆଡ଼ଂବର
ଯେଉଁ କାଳଖଂଡରେ ବାସ
କରୁଛୁଁ, ତାକୁ ଉପହାସ
କରିବା ନୁହେ ସମୀଚୀନ
ଏ ସତ୍ୟ ବୁଝୁ ଆମ ମନ
ଚଳିତ ସମୟର ଭାଷା
ଆମର ଆଶା ଓ ଭରସା
ହେଲେ ହିଁ ଘଟିବ ବିକାଶ
ସ୍ବଭାଷୀ ପାଇବେ ସଂତୋଷ
Comments are closed.