Latest Odisha News

BREAKING NEWS

ମହାଳୟା

ହିନ୍ଦୁ ଧର୍ମ ସହ ଅନେକ ରୀତିନୀତି , ପରମ୍ପରା , କିମ୍ବଦନ୍ତୀ ତଥା ପର୍ବପର୍ବାଣୀ ଆଦି କେଉଁ ଅନାଦି କାଳରୁ ଜଡି଼ତ । ପ୍ରତିଟି ପୂଜା ପର୍ବ ସହ ଏକ କାହାଣୀ ବା କିମ୍ବଦନ୍ତୀ ଜଡ଼ିତ ହୋଇଥାଏ । ଧାର୍ମିକ ଭାବନା ସହ ସଂଶ୍ଲିଷ୍ଟ ‘ ମହାଳୟା’ ହିନ୍ଦୁ ଧର୍ମର ଏକ ବିଶେଷ ଦିନ ଭାବରେ ପରିଗଣିତ ।

ଆଶ୍ୱିନ ମାସ କୃଷ୍ଣପକ୍ଷ ପିତୃପକ୍ଷ ଭାବରେ ଅଭିହିତ । ଏହି ପକ୍ଷର ଶେଷ ଦିନ ଅର୍ଥାତ ଅମାବାସ୍ୟା ତିଥିଟି ‘ମହାଳୟା’ ଭାବରେ ପାଳିତ ହୁଏ । ପୂର୍ବ-ପୁରୁଷଙ୍କ ଉଦ୍ଦେଶ୍ୟରେ ଏହି ଦିନ ଶ୍ରାଦ୍ଧ ଅର୍ପଣ କରାଉଥିବାରୁ ଏହାକୁ ଏହାକୁ ‘ପିତୃପର୍ବ’ ବୋଲି ମଧ୍ୟ କୁହାଯାଏ । ଆଶ୍ୱିନ ମାସର ପ୍ରତିପଦାଠାରୁ ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲା ପରେ ଅମାବସ୍ୟା ଦିନ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଦିନ ପିଣ୍ଡ ଦାନ କରାଯାଏ ।

ମହାଳୟା ଶ୍ରାଦ୍ଧର ତର୍ପଣରେ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ପ୍ରଜାପତି, ଆଚାର୍ଯ୍ୟ, ବେଦ, ଛନ୍ଦ, ଗନ୍ଧର୍ବଗଣ, ଦେବଗଣ, ପୁରୁଣାଚାର୍ଯ୍ୟ, ସମ୍ବତ୍ସର, ଶାବୟବ, ନାଗଗଣ, ଯକ୍ଷ, ଭକ୍ଷ, ପିଶାଚ, ବନସ୍ପତି, ଔଷଧ, ଭୂତଗ୍ରାମ, ଚତୁଷ୍ଟୟ ଏବଂ ପୃଥିବୀ ଆଦି କୋଡ଼ିଏ ଦେବଗଣଙ୍କୁ ଗୋଟିଏ ଥର ତର୍ପଣ , ସନତ, ସନନ୍ଦ, ସନତନ, କପିଳ, ଆସୁରୀ, ଡୋବୁ, ଏବଂ ପଞ୍ଚଶିଖ ଆଦିଙ୍କୁ ସାତ ଋଷିଙ୍କୁ ଦୁଇ ଥର ତର୍ପଣ ଏବଂ ପିତୃପୁରୁଷଗଣଙ୍କୁ ତିନିଥର ତର୍ପଣ ପ୍ରଦାନ କରାଯାଏ । ପିତୃ ତର୍ପଣରେ ପିତାଙ୍କୁ ରୁଦ୍ର, ପିତାମହଙ୍କୁ ବସୁ ଓ ପ୍ରପିତାମହଙ୍କୁ ଆଦିତ୍ୟରୂପେ କଳ୍ପିତ କରାଯାଏ । ପିଣ୍ଡଦାତାଙ୍କ ଆଳୟରେ ସର୍ବଦେବ, ଋଷି, ଏବଂ ପିତୃପୁରୁଷଙ୍କ ଉପସ୍ଥିତି, ହେତୁ ଏହାକୁ ମହାଳୟା ଶ୍ରାଦ୍ଧ କୁହାଯାଏ

ଧାର୍ମିକ ପରମ୍ପରା ଅନୁସାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଶାସ୍ତ୍ର ମାନ୍ୟତା ଅନୁଯାୟୀ ପିତୃପକ୍ଷରେ ପିତୃ-ପୁରୁଷ ପୃଥିବୀରେ ପଶୁ-ପକ୍ଷୀ ଏବଂ ବ୍ରାହ୍ମଣଙ୍କ ରୂପରେ ନିଜ ପ୍ରିୟଜନଙ୍କ ସହ ସାକ୍ଷାତ କରିବାକୁ ଆସିଥାନ୍ତି। ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଏହା ଦ୍ୱାରା ପିତୃ ଦୋଷ ଏବଂ ବିଭିନ୍ନ ପ୍ରକାର କଷ୍ଟ ଦୂର ହୋଇଥାଏ। ଏଥିସହ ମହାଳୟା ଅମାବାସ୍ୟା ଦିନ ଧରିତ୍ରୀକୁ ଆସିଥିବା ପିତୃ-ପୁରୁଷମାନେ ପୁଣି ଥରେ ଚାଲିଯାଇଥାନ୍ତି। ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପୀଢ଼ିର ମଙ୍ଗଳ ହୁଏ ବୋଲି ବିଶ୍ୱାସ କରାଯାଏ । ଏହି ପବିତ୍ର ତିଥିରେ ବଡ଼ ଦେଉଳରେ ବାଇଶି ପାହାଚରେ ପିଣ୍ଡଦାନ କର୍ମ ହୁଏ ।

ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ମହାଦାନୀ କର୍ଣ୍ଣଙ୍କର ପରଲୋକ ଗମନ ପରେ ଯମପୁରରେ ତାଙ୍କୁ ସୁନା, ରୁପା ମିଳିଥିଲା । ହେଲେ, ଖାଦ୍ୟ ଦିଆଯାଇ ନଥିଲା । କାରଣ, ଜୀବିତାବସ୍ଥାରେ ସେ କେବେ ଅନ୍ନଦାନ କରି ନଥିଲେ । ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସି ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ । ଯମପୁର ଫେରିବା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନଥିଲା । ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନ ଥିଲା ପିତୃପକ୍ଷ ଭାବରେ ଅଭିହିତ ହୋଇଥିଲା ।

ପବିତ୍ର ମହାଳୟା ତିଥିରେ ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଥାନ୍ତି । ମା’ ଙ୍କର ଏହି ଅଲୌକିକ ବେଶକୁ ଦର୍ଶନ କଲେ ଗଙ୍ଗାସ୍ନାନର ଫଳ ମିଳେ ବୋଲି ବିଶ୍ୱାସ ରହିଛି । ଦଶହରା ମାସ ପିତୃପକ୍ଷରେ ପରଲୋକଗତ ପିତୃପୁରୁଷଙ୍କୁ ପିଣ୍ଡ ପ୍ରଦାନ ପରେ ଗଙ୍ଗାସ୍ନାନ ବିଧି ରହିଥିବାରୁ  ବିକଳ୍ପ ସଦୃଶ୍ଯ ଦେବୀ ସମଲେଶ୍ୱରୀଙ୍କ ଧବଳମୁଖୀବେଶ ଦର୍ଶନ କରିଥାଆନ୍ତି ।

ମହାଳୟା ପରଦିନରୁ ଅର୍ଥାତ ଶୁକ୍ଳପକ୍ଷ ପ୍ରତିପଦରୁ ଦେବୀପକ୍ଷର ଆରମ୍ଭ ହୋଇଥାଏ । ମା’ ଜଗତଜନନୀ ଦୁର୍ଗାଙ୍କର ଆଗମନୀର ଶୁଭଲଗ୍ନ ମହାଳୟା ସହ ଆରମ୍ଭ ହୋଇ ପାର୍ବଣର ଉତ୍ସବମୁଖର ହେବାକୁ ପ୍ରସ୍ତୁତ ହୁଏ । ତେଣୁ ଏହା ଅମାବାସ୍ୟା ତିଥିରେ ପାଳିତ ହେଉଥିଲେ ମଧ୍ୟ ‘ଶୁଭ ମହାଳୟା’ ବୋଲି କୁହାଯାଏ ।

Leave A Reply

Your email address will not be published.